ପୁଇଗୁଡ଼ା ନଦୀ ପଠାରୁ ଉଦ୍ଧାର ଶବ ର ପରିଚୟ ମିଳିଲା

ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କଲା ବିଜେପୁର ପୁଲିସ

ଲାଞ୍ଜିଗଡ଼: ବିଜେପୁର ଥାନା ଅନ୍ତର୍ଗତ ପୁଇଗୁଡା ନଦୀ ପଠାରୁ ଉଦ୍ଧାର ହୋଇଥିବା ଶବ ର ପରିଚୟ ମିଳିଛି। ମୃତ ଯୁବକ ଜଣକ ବିଜେପୁର ଥାନା ତଳକାଲିମା ଗାଁର ବାରି ମାଝୀଙ୍କ ପୁଅ ରାଜୁ ମାଝୀ(୩୯) ବୋଲି ପୁଲିସ ଜାଣିବାକୁ ପାଇଛି। ମୃତ ରାଜୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍କାଗୁଡାର ମୂଳ ବାସିନ୍ଦା ହୋଇଥିବାବେଳେ ଦଶବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ତଳକାଲିମାରେ ରହି ଆସୁଥିଲେ। ସେ ଆଦିବାସୀ ସଂପ୍ରଦାୟର ହୋଇଥିବାବେଳେ ଅନ୍ୟ ଜାତିରେ ବିବାହ କରିଥିଲେ। ତାଙ୍କର ତିନୋଟି ପୁଅ ଝିଅ ଓ ବିଧବା ପତ୍ନୀ ଅଛନ୍ତି। ଗତ ରବିବାର ଦିନ ରାଜୁ ଘରୁ ବାହାରି ନିଖୋଜ ଥିବାବେଳେ ବୁଧବାର କ୍ଷତବିକ୍ଷତ ଅବସ୍ଥାରେ ତାଙ୍କ ଶବ ଉଦ୍ଧାର କରିଥିଲା ବିଜେପୁର ପୁଲିସ। ବିଜେପୁର ଥାନାଧିକାରୀ ଅଜଣା ଶବ ଜବତ କରିବା ପରେ ସ୍ଥାନୀୟ ଅଞ୍ଚଳରେ ପଚରାଉଚୁରା ଆରମ୍ଭ କରିଥିବାବେଳେ ଗୁରୁବାର ଅପରାହ୍ନରେ ରାଜୁଙ୍କ ପରିବାର ଲାଞ୍ଜିଗଡ ଆସି ଶବ ଚିହ୍ନଟ କରିଥିଲେ। ଏହାପରେ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ତେବେ ରାଜୁଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ଜଣା ପଡୁଥିବାବେଳେ ଏଥିରେ ସଂପୃକ୍ତ ଥିବା ଅପରାଧୀଙ୍କୁ ଧରିବାକୁ ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲ୍‌ହାରସଙ୍କ ନେତୃତ୍ୱରେ ପୁଲିସ ଦଳ ତନାଘନା ଚଳାଇଥିବା ଜଣାପଡିଛି। ହତ୍ୟାକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ବିଜେପୁର ଥାନାଧିକାରୀ ଶ୍ରୀ କୋଲ୍‌ହାରସ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.