ପରଲୋକରେ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପୂର୍ବତନ ସଂସ୍କୃତ ଶିକ୍ଷକ ବିନାୟକ ମହାପାତ୍ର

ଲାଞ୍ଜିଗଡ/ଅମ୍ବାଦଳା, (ଦୁଃଖିଶ୍ୟାମ ନାଗ): ବିଶ୍ୱନାଥପୁର ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ ବିନାୟକ ମହାପାତ୍ର(୭୦) ଅମ୍ବାଦଳାଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ବର୍ଗତ ମହାପାତ୍ର ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ତାଙ୍କ ଶିକ୍ଷକତା ଜୀବନ ବିଶ୍ୱନାଥପୁର ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଆରମ୍ଭ ହୋଇ ସେଠାରେ ହିଁ ଶେଷ ହୋଇଥିଲା।ନିଜ ପୁଅ ରମାଶଙ୍କର ମହାପାତ୍ର ଓ ଝିଅ ଚନ୍ଦ୍ରଭାନୁ ମହାପାତ୍ର ହାଇଦ୍ରାବାଦରେ ଚାକିରୀ କରୁଥିବା ବେଳେ ଏକ ବର୍ଷ ହେଲା ତାଙ୍କ ପତ୍ନୀଙ୍କ ଦେହାନ୍ତ ପରେ ଶ୍ରୀ ମହାପାତ୍ର ନିଜ ବିଶ୍ୱନାଥପୁର ବାସଭବନରେ ନରହି ଅମ୍ବାଦଳାଠାରେ ଏକ ଭଡା ଘରେ ରହୁଥିଲେ। ଚାକିରୀରୁ ଅବସର ନେଲା ପରେ ସେ ପୁରୋହିତ ହୋଇ ପୂଜାର୍ଚ୍ଚନା କରୁଥିବା ବେଳେ ନିଜ ଭଡା ଘର ଅମ୍ବାଦଳାଠାରେ କବାଟ ଦେଇ ଏକୁଟିଆ ଶୋଇଥିଲେ। ସକାଳେ ତାଙ୍କ ଉଠିବା ବିଳମ୍ବ ହୋଇଥିବା ଦେଖି ପାଖ ପଡିଶା ଲୋକେ କବାଟ ପିଟି ଡାକିଥିଲେ।କିନ୍ତୁ କୌଣସି ଉତ୍ତର ନମିଳିବା ଯୋଗୁଁ ଘଟଣା ବିଷୟରେ ସ୍ଥାନୀୟ ଅମ୍ବାଦଳା ପୋଲିସଙ୍କୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି କବାଟ ଭାଙ୍ଗି ଦେଖିବା ବେଳେ ଶୋଇଥିବା ସ୍ଥାନରେ ହିଁ ତାଙ୍କର ବିୟୋଗ ଘଟିଥିବା ଦେଖିବାକୁ ମିଳିଥିଲା। ତାଙ୍କ ପୁଅ ଝିଅଙ୍କୁ ହାଇଦ୍ରାବାଦ ଖବର ଦେଇ ସେମାନେ ଆସିବା ପରେ ବୁଧବାର ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ପୁଅ ରମାଶଙ୍କର ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକରଛାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.