ଦୁଇବର୍ଷ ହେଲା ଉଦ୍ୟାନ ଚାଷୀଙ୍କୁ ମିଳିନି ସବସିଡି ସହାୟତା

ଲାଞ୍ଜିଗଡ: ସରକାର କୃଷକଙ୍କୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବା ସହିତ ସେମାନଙ୍କୁ ଚାଷପ୍ରତି ଆଗ୍ରହ ପ୍ରକାଶ ପାଇଁ ପ୍ରଯତ୍ନ କରୁଛନ୍ତି। ତେବେ ଗତ ଦୁଇବର୍ଷ ହେଲା ସରକାରଙ୍କ ଉଦ୍ୟାନ ବିଭାଗର ସହାୟତାରେ ଚାଷ କରିଥିବା ଲାଞ୍ଜିଗଡ଼ ବ୍ଲକର ୧୫ରୁ ଉର୍ଦ୍ଧ୍ୱ ଚାଷୀ ଏଯାବତ ସବସିଡି ସହାୟତା ପାଇନଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଅନେକ ଚାଷୀ ଉଦ୍ୟାନ ବିଭାଗର ସହାୟତାରେ ନିଜ ନିଜ ଜମିରେ କଦଳୀ, ଆମ୍ବ, ଲେମ୍ବୁ ଓ ପନିପରିବା ଚାଷ କରିଥିଲେ। ଏଥିପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ଚାରା ଯୋଗାଇ ଦିଆ ଯାଇଥିବାବେଳେ ମନରେଗା ଯୋଜନାରେ କିଛି ଆର୍ଥିକ ସହାୟତା ମିଳିଥିଲା। ତେବେ ଚାଷୀମାନଙ୍କୁ ଏହି ଚାଷ ବାବଦକୁ ଏକର ପ୍ରତି ସବସିଡି ଦିଆଯିବାର ବ୍ୟବସ୍ଥା ରହିଥିଲେ ହେଁ ଲାଞ୍ଜିଗଡ ବ୍ଲକର ୧୫ ଜଣ ଚାଷୀ ଦୁଇବର୍ଷ ବିତିଯାଇଥିଲେ ହେଁ ସବସିଡି ସହାୟତା ରାଶି ପାଇନାହାନ୍ତି। ଲାଞ୍ଜିଗଡ ବ୍ଲକ ବଳଭଦ୍ରପୁର ଗାଁର ଶଙ୍କର ଚଣ୍ଡି, ଜଗନ୍ନାଥପୁରର ସାନ ମାଝୀ, ହରେକୃଷ୍ଣପୁରର ବସୁଧା ସାହୁ, କାର୍ତ୍ତିକ ସାହୁ, ନିଆଳି ଗାଁର ନରେନ୍ଦ୍ର ରାଉତ, କମର୍ଦ୍ଧାର ରିଚେରାଜ ସାହୁ, କଦମ୍ବଗୁଡାର ବଲ୍ଲଭ ପ୍ରଧାନ, ସରୋଜକାନ୍ତ ପ୍ରଧାନ, ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗୋପାଳପୁରର ପୁରୁଷୋତ୍ତମ ପୁଟେଲ, ମୋହନ ପୁଟେଲ, ଭିକାରୀ ପଧାନଙ୍କ ସମେତ ଅନ୍ୟ ଚାଷୀମାନେ ଆଜି ପର୍ଯ୍ୟନ୍ତ ସବସିଡି ଅର୍ଥ ଏପର୍ଯ୍ୟନ୍ତ ପାଇନାହାନ୍ତି। ଏନେଇ ସେମାନେ ଉଦ୍ୟାନ ବିଭାଗ ନିକଟରେ ଅଭିଯୋଗ କରିଥିଲେ ହେଁ ଏହି ସବସିଡି ଅର୍ଥ ରାଜ୍ୟ ସ୍ତରରେ ଅଟକି ରହିଥିବାରୁ ମିଳିପାରୁନି ବୋଲି ଉଦ୍ୟାନ ବିଭାଗର ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏ ସଂପର୍କରେ ଚାଷୀମାନେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଶ୍ରୀଯୁକ୍ତ ଦିଶାରୀ ଚାଷୀମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଉଦ୍ୟାନ ବିଭାଗକୁ ପରାମର୍ଶ ଦେଇଥିବା ଜଣାପଡିଛି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ ନିଲେଶ ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.