ଖୋଲାଯାଇଛି ନଳକୂଅ ଅଥଚ ହ୍ୟାଣ୍ଡ ସେଟ ଲାଗିନାହିଁ

ପାଣି ପାଇଁ ଡହକବିକଳ ଗଅଁକା ପଡାବାସୀ

କଳାହାଣ୍ଡି: ନଳକୂଅ ଖୋଲାଯିବାର ୪ ମାସ ବିତିଗଲାଣି ଅଥଚ ତା’ର ସେଟ ଲଗାଯାଇନଥିବାରୁ ନଳକୂଅ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ପାନୀୟ ଜଳ ଅଭାବ ଯଥା ପୂର୍ବଂ ତଥା ପରଂ ରହିଛି। ଏପରି ଚିତ୍ର ଦେଖିବାକୁ ମିଳିଛି କର୍ଲାମୁଣ୍ଡା ବ୍ଳକ ଯୋରାଡୋବରା ପଂଚାୟତର ଟେର୍ଚ୍ଚାପଲା ଗାଁର ଗଅଁକା ପଡାରେ। ଏଇ ପଡାରେ ରହନ୍ତି ୧୨ରୁ ଅଧିକ ପରିବାର ଏବଂ ପ୍ରାୟ ଆଦିବାସୀ ବର୍ଗର। ଏଇ ପଡା ଲୋକେ ଅନ୍ୟ ସମୟରେ ସ୍କୁଲରେ ଥିବା ନଳକୂଅରୁ ପାଣି ନେଉଥିଲେ, କିନ୍ତୁ ସ୍କୁଲର ଗେଟରେ ତାଲା ଲାଗିଥିବାରୁ ସେଠାରୁ ପାଣି ଆଣିବା ସମ୍ଭବ ହେଉନାହିଁ। ଯଦ୍ୱାରା ପଡାବାସୀ ପ୍ରାୟ ୮ ଶହ ମିଟର ଦୂରରେ ଥିବା ଗାଁ ବସ୍ତିରୁ ପାଣି ବୋହୁଛନ୍ତି। ଖରାଦିନେ ପାଣି ଦୂରରୁ ଆଣିବା କେତେଯେ କଷ୍ଟପ୍ରଦ, ତାହା ଅନୁଭବି ହିଁ ଜାଣିପାରିବ। ଅନ୍ୟପକ୍ଷରେ ନଳକୂଅ ଖୋଲି ହ୍ୟାଣ୍ଡସେଟ୍ କାହିଁକି ଲଗାଯାଉ ନାହଁ ତାହା ବି ଆଶ୍ଚର୍ଯ୍ୟ ଲାଗୁଛି। ପୂର୍ବରୁ କର୍ଲମୁଣ୍ଡା ବ୍ଳକରେ ଗ୍ରାମ ଜଳଯୋଗାଣ ଓ ପରିମଳ ବିଭାଗରେ ୨ ଜଣ କନିଷ୍ଠଯନ୍ତ୍ରୀ ଥିବାବେଳେ ଏବେ ଜଣେ କନିଷ୍ଠଯନ୍ତ୍ରୀ ଅଛନ୍ତି। ସେ ଏଠାରେ ନିୟମିତ ରହୁନଥିବାରୁ ସମସ୍ୟା ସମାଧାନ ହୋଇନାରୁନାହିଁ। ତାଙ୍କ ସହ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.