ଅପ୍ରେଲ ୨୪ରୁ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ

ଭୁବନେଶ୍ୱର: ଓଡିଶା ସରକାରଙ୍କ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଅପ୍ରେଲ ୨୪ରୁ ପଞ୍ଜିକରଣ ଆରମ୍ଭ ହେବ। ଟିକା ନେବାକୁ ଇଚ୍ଛୁକ ବ୍ୟକ୍ତିମାନେ କୋ ୱିନ୍ ପୋର୍ଟାଲରେ ପଂଜୀକରଣ କରିପାରିବେ। ଏଠାରେ ପ୍ରକାଶ ଯୋଗ୍ୟ ମେ’ ପହିଲାରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକରଣରେ ୧୮ରୁ ୪୫ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଟିକା ଦିଆଯିବ। ରାଜ୍ୟରେ ୪୨ ପ୍ରତିଶତ ଏହି ବୟସ୍କ ଲୋକମାନେ ଅଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଅଣାଯିବ। ରାଜ୍ୟରେ ଏବେ ଟିକାକରଣ ଚାଲିଥିଲେ ମଧ୍ୟ ୨ ଦିନ ମଧ୍ୟରେ ଟିକା ସରିଯିବ ବୋଲି ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ଏବେ ୨ ଲକ୍ଷ ୬୦ ହଜାର କୋଭିସିଲଡ୍ ଓ ୧ ଲକ୍ଷ ୯୦ ହଜାର କୋଭାକ୍ସିନ୍ ରହିଛି। କରୋନର ମୁକାବିଲା ପାଇଁ ଉଭୟ କୋଭାକ୍ସିନ୍ ଓ କୋଭିସିଲଡ୍ ପ୍ରଭାବଶାଳୀ ବୋଲି ସେ ମତ ଦେଇଛନ୍ତି।

ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ସ୍ଥିତି ଭଲ ଅଛି। କୁମ୍ଭମେଳାରୁ ୪ ଶହ ଯିବା ତାଲିକା ଥିଲା ସେଥିରୁ ୨ ଶହ ଫେରିଛନ୍ତି। କଟକଣାକୁ କଡାକଡି କରିବା କାମ ପ୍ରଶାସନ କରୁଛି। ଏଥି ସହିତ ମେଡିକାଲ ପ୍ରସ୍ତୁତି ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟମେଣ୍ଟ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ଟିକାକରଣ ବଢାଯାଉଛି। ତେବେ ସୀମାନ୍ତ ଜିଲ୍ଲାରେ କଟକଣା ଫଳପ୍ରଦ ହେଉଛି ବୋଲି ସେ ସୂଚନା ଦେଇଛନ୍ତି। ସେଥିଲାଗି ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ସଂଖ୍ୟା ନିୟନ୍ତ୍ରଣରେ ଅଛି। ମୃତ୍ୟୁ ହାର ମଧ୍ୟ କମ ଅଛି। ଏହାଛଡ଼ା ପ୍ରବାସୀ ମାନେ ଆମ ରାଜ୍ୟର ଲୋକ, ସେମାନେ ଯଦି ସେଠୁ ଫେରିବେ ସେମାନଙ୍କ ଲାଗି ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ସେ ଆଶ୍ୱାସନା ଦେଇଛନ୍ତି। ଯେଉଁମାନେ ଘରେ ଆଇସୋଲେସନରେ ରହିବା ସୁବିଧା ନାହିଁ, ସେମାନଙ୍କ ଲାଗି ପଞ୍ଚାୟତ ସ୍ତରରେ କ୍ଲଷ୍ଟର ଭିତ୍ତିରେ ସଂଗରୋଧ କେନ୍ଦ୍ର କରାଯାଉଛି। ଜିଲ୍ଲାପାଳମାନକୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି। ଯେଉଁ ଡାକ୍ତରମାନେ କାର୍ଯ୍ୟରେ ଯୋଗ ଦେଉନାହାନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.