-
୩୨୬ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା
-
ଦୁର୍ଘଟଣା ପୂର୍ବରୁ କାରକୁ ଧକ୍କା ଦେଇଥିଲା ଟ୍ରକ
ରାୟଗଡା,୭/୨: ରାଜ୍ୟରେ ପାଳନ କରାଯାଉଛି ୩୦ତମ ଜାତୀୟ ସୁଡକ ସୁରକ୍ଷା ସପ୍ତାହ । ସଡକ ଦୁର୍ଘଟଣାକୁ ଏଡାଇବା ପାଇଁ ଗାଡି ଚାଳକଙ୍କ ସଚେତନତା କରାଇବା ଏହି ସପ୍ତାହ ପାଳନର ମୂଳ ଲକ୍ଷ୍ୟ । ତେବେ କେତେ ସଚେତନତା ହେଲେ ସଡକ ଦୁର୍ଘଟଣାରୁ ବର୍ତିବ ଜୀବନ । ୩୦ତମ ସଡକ ସୁରକ୍ଷା ସପ୍ତାହର ଚତୁର୍ଥ ଦିନରେ ଘଟିଯାଇଛି ଏକ ମର୍ମଦନ୍ତୁ ସଡକ ଦୁର୍ଘଟଣା । ଫଳରେ ଚାଲି ଯାଇଛି ଏକ ଜୀବନ । ରାୟଗଡା ସହର ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡା-ଜେକେପୁର ମଧ୍ୟରେ ଥିବା ଖଲିଗୁଡା ଗ୍ରାମ ନିକଟରେ ଗୁୁରୁବାର ଅପରାହ୍ନରେ ରାୟଗଡାରୁ ଜେକେ କାଗଜ କଳକୁ ଯାଉଥିବା ଏକ କାଠ ବୋଝେଇ ଟ୍ରକ (ଓଆର ୧୮-ସି-୧୬୭୭)ଟି ଦ୍ରୁତ ଗତିରେ ଯାଉଥିବା ବେଳେ ଟ୍ରକ୍ ସମ୍ମୁଖରେ ପାରଲାଖେମୁଣ୍ଡି ଅଭିମୁଖେ ଯାଉଥିବା ଏକ କାର (ଏପି ୨୪ ଏଭି ୬୪୪୪)କୁ ପଛପଟୁ ଧକ୍କା ଦେବା ଫଳରେ କାରଟି ରାସ୍ତା କଡରେ ଏକ ଗଛକୁ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡି ଘୋସାରି ହୋଇ ଟ୍ରକଟି କୋତାପେଟାରୁ ରାୟଗଡା ଅଭିମୁଖେ ଆସୁଥିବା ଏକ ମହିନ୍ଦ୍ରା ମେକ୍ସିମୋ ମିନି ଭ୍ୟାନ (ଓଡି୧୮ବି୧୬୫୨)କୁ ଧକ୍କା ଦେଇ ତାହା ଉପରେ ଓଲଟି ପଡିଥିଲା । ଫଳରେ ମିନି ଭ୍ୟାନରେ ଏକାକି ଥିବା ଡ୍ରାଇଭର ଚାପି ହୋଇ ଯିବାରୁ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଯାଇଥିଲା ।
ମୃତକ ଡ୍ରାଇଭର ହେଲେ ଚାନ୍ଦିଲି ଥାନା ଅର୍ନ୍ତଗତ ମାଟିକୋଣା ପଂଚାୟତର ସେରାବତୀ ଗ୍ରାମର ବୃନ୍ଦା ମଣିଆକା । ଅନ୍ୟ ପକ୍ଷରେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ଥିବା ଜଣାପଡିଛି । ୩୨୬ ନମ୍ବର ଜାତୀୟ ରାଜପଥ ହୋଇଥିବାରୁ ଦୁର୍ଘଟଣା ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଯାତ୍ରୀବାହୀ ବସ,ମାଲବାହୀ ଟ୍ରକ,ମୋଟର ବାଇକ ଗୁଡିକ ଅଟକି ଯାଇଥିଲା ।
ଘଟଣାସ୍ଥଳରେ ରାୟଗଡା ଅଗ୍ନିଶମ ବାହିନୀ ପଂହଚି ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ଖବର ପାଇ ରାୟଗଡା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ଭତ୍ରା, ଏସ.ଆଇ.ସାୱରିଆ, ଚାନ୍ଦିଲି ଥାନା ଅଧିକାରୀ ଡିଏସପି ସତ୍ୟ ବିକାଶ ଭୂୟାଁ, ମନୋଜ କୁମାର ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହି ଟ୍ରାଫିକ୍ ସମସ୍ୟାକୁ ନିୟନ୍ତ୍ରଣ କରିଥିଲେ । ସେହିପରି କାଠ ବୋଝେଇ ଟ୍ରକଟି ଓଲଟି ପଡିଥିବାରୁ ସମସ୍ତ କାଠଗୁଡିକ ରାସ୍ତା ଉପରେ ପଡିଯାଇଥିଲା । ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କାଠଗୁଡିକକୁ ରାସ୍ତା କଡରେ କଢାଯିବା ଫଳରେ ରାସ୍ତାରେ ଯାତାୟାତ ସମ୍ଭବ ହୋଇଥିବା ବେଳେ ଟ୍ରକଟିକୁ କ୍ରେନ ଦ୍ୱାରା ରାସ୍ତା କଡରୁ ହଟାଯାଇଥିବା ବେଳେ ମିନି ଭ୍ୟାନ ଭିତରେ ଫଶି ରହିଥିବା ଡ୍ରାଇଭରର ମୃତ ଦେହକୁ ଅଗ୍ନିଶମ ବାହିନୀଙ୍କ କର୍ମଚାରୀମାନେ ଆଣିଥିବା ସଂରଜାମ ଦ୍ୱାରା ଚାପି ରହିଥିବା ଭ୍ୟାନକୁ କାଟି ଉଦ୍ଧାର କରିଥିଲେ । ସେହିପରି ଦୁର୍ଘଟଣାଗ୍ରସ୍ତ ହୋଇଥିବା କାରଟି ରାୟଗଡାରୁ ପାରଲାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ସେଥିରେ ଥିବା ୩ଜଣ ସୁରକ୍ଷିତ ଥିବା ଜଣାପଡିଛି । ତେବେ ମଦ୍ୟପାନ କରି ଡ୍ରାଇଭର ଟ୍ରକ ଚଳାଉଥିବାରୁ ଏଭଳି ଦୁର୍ଘଟଣା ହୋଇଥାଇ ପାରେ ବୋଲି ଘଟଣାସ୍ଥଳରେ ଲୋକମାନେ ଚର୍ଚ୍ଚା ଶୁଣିବାକୁ ମିଳିଥିଲା ।