ୟୁଏଆଇଏଲ ଜିଲା ପ୍ରଶାସନକୁ ଅମ୍ଳଜାନ ସିଲିଣ୍ଡର ଓ ଜୀବନ ରକ୍ଷାକାରୀ ଉପକରଣ ଦାନକଲା

ରାୟଗଡ/କାଶିପୁର: କୋଭିଡ-୧୯ ବିରୋଧୀ ଲଢେଇରେ ନିଜର ନିରଳସ ପ୍ରୟାସରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଏକ ୟୁନିଟ୍‍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ), ମହାମାରୀ କବଳରୁ ରାୟଗଡ ଜିଲାବାସୀଙ୍କୁ ସୁରକ୍ଷିତ ରଖିବାକୁ ରାୟଗଡା ଜିଲା ସଦର ମହକୁମା ହସପିଟାଲକୁ ୩୦ଟି ଅମ୍ଳଜାନ ସାନ୍ଦ୍ରକ, ୩୦ଟି ଅମ୍ଳଜାନ ଜୁମ୍ବୋ ସିଲିଣ୍ଡର, ୧୦୦ଟି ପଲ୍ସ ଅକ୍ସିମିଟର, ୧୦୦ ଥର୍ମୋମିଟର ଏବଂ ୧୨ଟି ଶରୀର ତାପମାତ୍ରା ପରିମାପକ ଯନ୍ତ୍ର (ଥର୍ମାଲ ଗନ୍‍) ଦାନ କରିଛି । ଏହି ସମସ୍ତ ଜୀବନ ରକ୍ଷାକାରୀ ଉପକରଣ ୟୁଏଆଇଏଲର ୟୁନିଟ୍‍ ମୁଖ୍ୟ ମଜହର ବେଗ୍‍ ରାୟଗଡା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ସରୋଜ କୁମାର ମିଶ୍ର, ରାୟଗଡା ପୁଲିସ ଅଧିକ୍ଷକ ବିବେକାନନ୍ଦ ଶର୍ମା ଏବଂ ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାଏକଙ୍କ ଉପସ୍ଥିତିରେ ଜିଲା ସଦର ମହକୁମା ହାସପାତାଳକୁ ହସ୍ତାନ୍ତର କରିଥିଲେ । କାର୍ଯ୍ୟକ୍ରମରେ ୟୁଏଆଇଏଲ୍‍ର ୟୁନିଟ ମାନବ ସମ୍ବଳ ବିଭାଗ ମୁଖ୍ୟ ରାକେଶ ପ୍ରତାପ ସିଂ, ସିଏସଆର, ସିଆର ଏବଂ ସଷ୍ଟେନେବିଲିଟି ବିଭାଗ ମୁଖ୍ୟ ଡ. ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଜିଲା ପ୍ରଶାସନର ଅଧିକାରୀଗଣ ଏବଂ ୟୁଏଆଇଏଲର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ମହତ ପ୍ରୟାସ ପାଇଁ ଉତ୍କଳ ଆଲୁମିନାକୁ ପ୍ରଶଂସା କରିବା ଅବସରରେ ରାୟଗଡା ଜିଲାପାଳ ତଥା ଜିଲା ମାଜିଷ୍ଟ୍ରେଟ ସରୋଜ କୁମାର ମିଶ୍ର କୋଭିଡ୧୯ର ସଂପ୍ରତି ଦେଖାଦେଇଥିବା ଦ୍ୱିତୀୟ ଲହରକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ, ଯେଉଁ ସମୟରେ ଅମ୍ଳଜାନ ଯୋଗାଣ ଚାହିଦା ଯଥେଷ୍ଟ ବୃଦ୍ଧିପାଇଛି । ସେ ଉଲ୍ଲେଖ କରିଥିଲେ ଯେ, ୟୁଏଆଇଏଲର ଏହି ସହଯୋଗ ଅମ୍ଳଜାନ ଚାହିଦା ପୂରଣ ଦିଗରେ ନିଶ୍ଚିତ ଭାବରେ ଆମକୁ ସହାୟକ ହେବ ଏବଂ ଏହା ଏହି ମହାମାରୀ ପ୍ରକୋପରୁ ରାୟଗଡ ଜନସାଧାରଣଙ୍କୁ ସୁରକ୍ଷିତ ରଖିପାରିବ ।

ଏହି ଅବସରରେ ଉତ୍କଳ ଆଲୁମିନାର ୟୁନିଟ ମୁଖ୍ୟ ଶ୍ରୀ ମଜହର ବେଗ୍‍ ପୂର୍ବ ନିଷ୍ପତ୍ତିକୁ ଦୋହରାଇ କହିଥିଲେ ଯେ, ୟୁଏଆଇଏଲ୍‍ ସର୍ବଦା ରାୟଗଡା ଜିଲା ଏବଂ ମୋଟ ଉପରେ ଜିଲାର ଜନସାଧାରଣଙ୍କ ସାମଗ୍ରିକ ବିକାଶ ଦିଗରେ ପ୍ରତିବଦ୍ଧ ରହିଛି । ଏଥିସହିତ ସେ ପ୍ରତିଶ୍ରୁତି ଦେଇ କହିଥିଲେ, ଅନୁରୂପ ସାମଗ୍ରୀ ନିକଟ ଭବିଷ୍ୟତରେ କଳାହାଣ୍ଡି ଜିଲା ପ୍ରଶାସନକୁ ଯୋଗାଇଦେବା ସକାଶେ ଯୋଜନା କରାଯାଉଛି । ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ୟୁଏଆଇଏଲ ଏହାର ପାରିପାର୍ଶ୍ୱିକ ଗ୍ରାମ ଗୁଡିକରେର ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା ଉପାର୍ଜନ ପନ୍ଥା ସୃଷ୍ଟି ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି ଆଦି କ୍ଷେତ୍ରରେ ଏହାର ସିଏସଆର କାର୍ଯ୍ୟକଳାପ କାର୍ଯ୍ୟକାରୀ କରିବାରେ ଗଭୀର ଭାବରେ ନିୟୋଜିତ ଅଛି ଏବଂ ସାମାଜିକ ପ୍ରସଙ୍ଗଗୁଡିକର ସମାଧାନ ଦିଗରେ ମଧ୍ୟ କାର୍ଯ୍ୟ କରୁଛି । ମୋଟ ଉପରେ ୟୁଏଆଇଏଲ୍‍ ଓଡ଼ିଶାର୫୭ଟି ଗ୍ରାମରେ୩୦ ହଜାରରୁ ଅଧିକ ଜନସଂଖ୍ୟାକୁ ସେବା ଯୋଗାଉଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.