‘ଅଭଦ୍ର ଡୁଲେ ରକରକୁ କଳାହାଣ୍ଡିବାସୀ କେବେ ବି କ୍ଷମା କରିବେ ନାହିଁ’

କଳାହାଣ୍ଡି: ଅଶ୍ଳୀଳତାର ସବୁ ବାଡବନ୍ଧ ଡେଇଁ ନାରୀ ଜାତିକୁ ଭୋଗ୍ୟ ସାମଗ୍ରୀରେ ପରିଣତ କରି ମର୍ଯ୍ୟାଦା ହାନୀ କରିଥିବା ଅଭଦ୍ର ଡୁଲେ ରକର୍ ଓରଫ୍ ଡୁଲେଶ୍ବର ତାଣ୍ଡିକୁ କଳାହାଣ୍ଡିବାସୀ କେବେ ବି କ୍ଷମା କରିବେ ନାହିଁ ବୋଲି ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମତ ପ୍ରକାଶ ପାଇଛି।


● ଘୋର ନିନ୍ଦା କଲା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ


ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଭର୍ଚୁଆଲ ଆଲୋଚନାଚକ୍ରରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇ ଡୁଲେ ରକର୍ ଗାନ କରିଥିବା ଅଶ୍ଳୀଳ ରାପ୍ ସଂଗୀତକୁ ତୀବ୍ର ନିନ୍ଦା କରିଛନ୍ତି। ଅନୁଷ୍ଠାନର ଉପଦେଷ୍ଟା ବିଜୟ ଧଙ୍ଗଡାମାଝୀ କହିଛନ୍ତି ଯେ, ଡୁଲେ ରକର୍ ତା’ର ସଂଗୀତ ମାଧ୍ୟମରେ ନାରୀ ଜାତି ଓ କଳାହାଣ୍ଡି ମାଟିକୁ ଘୋର ଅପମାନ ଦେଇଛି। ସେ ଜଣେ କଳାକାର ହେବାକୁ ଅଯୋଗ୍ୟ ବୋଲି ଶ୍ରୀ ଧଙ୍ଗଡାମାଝୀ ପ୍ରକାଶ କରିଛନ୍ତି। ଓ୍ବେବିନାରରେ ଅନୁଷ୍ଠାନର ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଯୁଗ୍ମ ସଂପାଦକ ସୁଧୀର କୁମାର ଧଙ୍ଗଡାମାଝୀ, ସାଂସ୍କୃତିକ ସମ୍ପାଦକ ସଲୀଳ କୁମାର ଧଙ୍ଗଡାମାଝୀ, କ୍ରୀଡ଼ା ସଂପାଦକ ଅନୀଲ କୁମାର ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ ଓ ଅନ୍ୟ ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଆମର ପ୍ରାଚୀନ କଳା ସଂସ୍କୃତି, ଲୋକ ଗୀତ, ଲୋକନୃତ୍ୟକୁ ଉଜ୍ଜୀବିତ କରିବା ସହ ପାଶ୍ଚାତ୍ୟ ସଂସ୍କୃତି ମୁହାଁ ନହେବାକୁ ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ ସମସ୍ତ ସଦସ୍ୟଙ୍କୁ ନିବେଦନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଶ୍ରମଜୀବୀ ଓ ଗରୀବମାନଙ୍କ ସମସ୍ୟାକୁ ନେଇ ରାପ୍ ସଂଗୀତ ପରିବେଷଣ କରି ଭବାନୀପାଟଣା ବ୍ଲକ ବୋର୍ଡା ଗାଁର ଡୁଲେଶ୍ବର ତାଣ୍ଡି ରାତାରାତି ବିଖ୍ୟାତ ହୋଇ ଯାଇଥିଲେ। ଓଲିଉଡ଼, ବଲିଉଡ଼ ସମେତ ଦେଶର ଅନେକ ଖ୍ୟାତନାମା କଳାକାର ତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ତେବେ ଗତ ବୁଧବାର ଦିନ ସେ ତାଙ୍କ ୟୁଟ୍ୟୁବ ଚାନେଲରେ ୧ମିନିଟ ୧୧ସେକେଣ୍ଡର ଏକ ଟ୍ରିପଲ୍ ଏକ୍ସ ରାପ୍ ସଂଗୀତର ଭିଡିଓ ଅପଲୋଡ଼ କରିଥିଲେ। କଳାହାଣ୍ଡିଆ ଭାଷା ବ୍ୟବହୃତ ହୋଇ ରାପ୍ ଶୈଳୀରେ ପ୍ରସ୍ତୁତ ଏହି ସଂଗୀତରେ ସେ ନାରୀଙ୍କ ଗୁପ୍ତ ଅଙ୍ଗକୁ ଅତି ନିର୍ଲଜ ଭାବେ ବର୍ଣ୍ଣନା କରିବା ସହ ରମଣ କରିବାର କଥାକୁ ଗୀତର ରୂପଦେଇ ଗାନ କରିଥିଲେ। ଏହା ଏତେ କଦର୍ଯ୍ୟ ଭାବରେ ପ୍ରସ୍ତୁତ ହୋଇଛି ଯେ, ବିନା ହେଡ୍ ଫୋନରେ ଶୁଣି ହେଉନାହିଁ। ଏହା କଳାହାଣ୍ଡି ମାଟି ଓ ନାରୀଜାତି ପ୍ରତି ଘୋର ଅପମାନ ବୋଲି ଗୁରୁବାର ଦିନ ସାମାଜିକ ଗଣମାଧ୍ୟମରେ ଘୋର ବିରୋଧ ହୋଇଥିଲା। ଏହାପରେ ଡୁଲେ ରକର୍ ଏହାକୁ ନିଜ ୟୁଟ୍ୟୁବରୁ ହଟାଇ କଳାହାଣ୍ଡିବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ତେବେ ଡୁଲେଙ୍କ ସଂଗୀତ ଏପରି ଅଭଦ୍ରାମୀର ସୀମା ଟପିଛି ଯେ ତାଙ୍କୁ କ୍ଷମା କରିହେବ ନାହିଁ ବୋଲି ଅନେକେ ବିଶିଷ୍ଟ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଶୁକ୍ରବାର କୋଶଳ ସେନା କଳାହାଣ୍ଡି ପକ୍ଷରୁ ଡୁଲେ ରକର୍ ବିରୁଦ୍ଧରେ କୋକସରା ଥାନାରେ ଏତଲା ଦିଆଯାଇଥିବା ବେଳେ ସାମ୍ବାଦିକ ସୁନୀଲ ମୁଣ୍ଡ ଏବଂ କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ସଭାପତି ଅବିନାଶ ଠାକୁର ପୃଥକ ପୃଥକ ଭାବରେ ଭବାନୀପାଟଣା ଟାଉନ ଥାନାରେ ଏତଲା ଦେଇଛନ୍ତି। ସେହିପରି ଭାବେ ମ.ରାମପୁର ଥାନାରେ ଅଚ୍ଛା ସଂଗଠନ ଓ ଜଗନ୍ନାଥ ସାଂସ୍କୃତିକ ସଂକୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ଏତଲା ଦିଆଯାଇଛି। ଏହା ବ୍ୟତିରେକ କୋଶଳ ସେନା ପକ୍ଷରୁ ସମ୍ବଲପୁର ଧନୁପାଲି ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି। ଡୁଲେ ରକରଙ୍କ ଏହି ଘୃଣ୍ୟ କାର୍ଯ୍ୟକୁ ରାଜ୍ୟର ଏକ ଅଗ୍ରଣୀ ସଂଗଠନ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମଧ୍ୟ କଡା ସମାଲୋଚନା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.