ଅମାନିଆଙ୍କୁ ତାଗିଦ୍ କଲେ ଉପଜିଲ୍ଳାପାଳ

ମାସ୍କ ନ ପିନ୍ଧିବା ଓ ବାହାରେ ବୁଲିବାକୁ ନେଇ ଜୋରିମାନା ଆଦାୟ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ମୁକାବିଲାକୁ ନେଇ ଲାଗୁ କରାଯାଇଥିବା ଲକଡାଉନ, ସଟଡାଉନ କଟକଣା ଓ କୋଭିଡ୍ ପ୍ରେଟୋକଲକୁ ରାୟଗଡ ସହରବାସୀ କିପରି ଭାବେ ପାଳନ କରୁଛନ୍ତି ସେ ନେଇ ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରୁ ଅନୁଧ୍ୟାନ କରାଯାଉଛି । ସଟଡାଉନର ଦ୍ୱିତୀୟ ଦିନରେ ରାୟଗଡ ସହରର ବୁଦୁରାୱାଲସା, ନେହୁରୁ ନଗର, କସ୍ତୁରୀ ନଗର, କତୁରୁ, ଇନ୍ଦିରା ନଗର, ରିଙ୍ଗ ରୋଡ, ଜ୍ୟୋତିମହଲ ଛକ, ମୁଖ୍ୟ ବଜାର, ରେଳବାଇ ଷ୍ଟେସନ ସହ ଅନ୍ୟାନ୍ୟ ଅଂଚଳରେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ତହସିଲଦାର ଉମାଶଙ୍କର ବେହେରାଙ୍କ ସମେତ ରାୟଗଡ ଟାଉନ ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ, ପୈାର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ ଅହମ୍ମଦଙ୍କ ସମେତ ଅନ୍ୟ ପୋଲିସ ଓ ପୈାର କର୍ମଚାରୀମାନେ ଚଢାଉ କରିଥିଲେ ।

ଉକ୍ତ ଅଂଚଳଗୁଡିକରେ ମାସ୍କ ନ ପିନ୍ଧି କୋଭିଡ ନିୟମ ଉଲଂଘନ କରୁଥିବା ୧୫ଜଣ ଅମାନିଆଙ୍କ ଠାରୁ ୪୫୦୦ଟଙ୍କା ଏବଂ ସଟଡାଉନ କଟକଣା ବେଳେ ବିନା କାରଣରେ ବାହାରେ ବୁଲୁଥିବା ୪୦ଜଣ ଅମାନିଆଙ୍କ ଠାରୁ ୩୨୦୦୦ହଜାରକୁ ମିଶାଇ ଜୋରିମାନା ବାବଦକୁ ମୋଟ ୩୬,୫୦୦ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି । ରାୟଗଡ ସହରରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା କଟକଣାକୁ ଅବମାନନା କରି ବାହାରେ ବୁଲୁଥିବା ଅମାନିଆଙ୍କ ଯୋଗୁଁ ସଂକ୍ରମଣ ହାର ହ୍ରାସ ହେଉନାହିଁ ବୋଲି ଅନୁଧ୍ୟାନରୁ ଜଣାପଡୁଛି ।

କୋଭିଡ -୧୯ ନିୟମ ଓ ଲକଡାଉନ, ସଟଡାଉନ ଆଦି କଟକଣାକୁ ସଚେତନ ନାଗରିକ ଭାବେ ପାଳନ କଲେ ରାୟଗଡ ସହରରେ କୋଭିଡ ମୁକାବିଲା କ୍ଷେତ୍ରରେ ସହରବାସୀଙ୍କ ପକ୍ଷରୁ ଏକ ବଡ ସହଯୋଗ ମିଳିପାରିବ ବୋଲି ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ ସହରବାସୀଙ୍କୁ ନିବେଦନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.