● ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଅକ୍ସିଜେନ୍ ପ୍ଳାଂଟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ
ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଶ୍ରମ ବିଭାଗ ଦ୍ୱାରା ୧୨ଜଣ ନାବାଳିକା ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମସ୍ତ ନାବାଳିକା ରାୟଗଡ ବ୍ଳକ ଅନ୍ତର୍ଗତ ଖମ୍ବେସୁ, ନିଶିଖାଲ ଓ ଲାଡ୍ଡା ଗ୍ରାମର ବୋଲି ଜଣାପଡିଛି । ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅକ୍ସିଜେନ ପ୍ଳାଂଟ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।
ଏ ନେଇ ଅତିରିକ୍ତ ଶ୍ରମ ଅଧିକାରୀ ଛୋଟରାୟ ଟୁଡୁଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଆଜି ରାୟଗଡ ଶ୍ରମ ବିଭାଗ ଓ ଚାଇଲ୍ଡଲାଇନ ପକ୍ଷରୁ ରାୟଗଡ ସହରର ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ନେଇ ଯାଂଚ କରାଯାଉଥିବା ବେଳେ ଏକ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅକ୍ସିଜେନ ପ୍ଳାଂଟ ନିର୍ମାଣ କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ଚଢାଉ କରିଥିଲେ । କାର୍ଯ୍ୟସ୍ଥଳରେ ୧୭ଜଣ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୨ଜଣ ନାବାଳିକା ଶିଶୁ ଶ୍ରମିକ ରହିଥିବା ଜଣାପଡିଥିଲା । ପରେ ଘଟଣାସ୍ଥଳରେ ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯିବା ପରେ ରାୟଗଡ ଥାନା ପୋଲିସ ପଂହଚିଥିଲେ ।
ଉଦ୍ଧାର ୧୨ଜଣ ନାବାଳିକା ଶିଶୁ ଶ୍ରମିକଙ୍କ କୋଭିଡ୍ ପରୀକ୍ଷା ପରେ ଆଜି ରାତ୍ରରେ ସେମାନଙ୍କୁ ଚାଇଲ୍ଡ ଲାଇନ ଦ୍ୱାରା ସ୍ନେହା ଷ୍ଟେ ହୋମରେ ରଖାଯିବାର ବ୍ୟବସ୍ଥା କରାଯିବ ଏବଂ ଆସନ୍ତାକାଲି ଚାଇଲ୍ଡଲାଇନ ପକ୍ଷରୁ କାଉନସେଲିଂ କରାଯିବା ପରେ ସିଡବ୍ଳ୍ୟୁସିରେ ଉପସ୍ଥିତ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇ ସେମାନଙ୍କ ପାଇଁ ଅନ୍ୟ ଥଇଥାନ ବ୍ୟବସ୍ଥା ଉପରେ ଅନୁଧ୍ୟାନ କରାଯିବ ବୋଲି ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀ ଟୁଡୁ ପ୍ରକାଶ କରିଛନ୍ତି । ସେହିପରି ଉକ୍ତ ୧୨ ନାବାଳିଳା ଶିଶୁ ଶ୍ରମିକମାନେ ଗତ ଦଶ ଦିନ ଧରି ଉକ୍ତ ନିର୍ମାଣ କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ଠିକାଦାରଙ୍କ ଠାରୁ ସେମାନେ ଦୈନିକ ଶ୍ରମ ମଜୁରୀ ବାବଦକୁ ମାତ୍ର ୨ଶହ ଟଙ୍କା ଲେଖାଁଏ ପାଉଥିବା ନେଇ ସୂଚନା ପ୍ରଦାନ କରିଛନ୍ତି । ବର୍ତମାନ ରାଜ୍ୟ ସରକାର ଅଣକୁଶଳୀ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ୩୧୧ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଥିବା ବେଳେ ମାତ୍ର ୨ଶହ ଟଙ୍କାରେ ନିଜର ଶ୍ରମ ଦାନ କରୁଛନ୍ତି ନାବାଳିକା ଶିଶୁ ଶ୍ରମିକମାନେ । ଏପରିକି ଉଦ୍ଧାର ହୋଇଥିବା ଅଧିକାଂଶ ନାବାଳିକା ଅଧାରୁ ପାଠପଢା ବନ୍ଦ କରିଦେଇଥିବା ଜଣାପଡିଛି ।