ନର୍ଲା: ପୋତି ହୋଇ ପଡିଛି ବାଗପୁର ଏମ୍ଆଇପି କେନାଲ

● ମରାମତି ପରେ ବି କେଉଁ କାମକୁ ନୁହଁ, ତେବେ କ’ଣ ପାଣିରେ ପଡ଼ିଲା ରେନୋଭେସନର ୭୪ ଲକ୍ଷ!

● ଚାଷ କାମ ଠପ, ମୁଣ୍ଡରେ ହାତ ଦେଇ ବସିଛି ଚାଷୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର) : ନର୍ଲାରୁ କମର୍ଦ୍ଧା ଯିବା ରାସ୍ତା ପାଶ୍ୱର୍ରେ ରହିଛି ଗାଡିଆଯୋର ନାଳ । ନାଳ ଉପରେ ନିର୍ମିତ ହୋଇଛି ବାଗପୁର ଯୁଦ୍ର ଜଳସେଚନ ପ୍ରକଳ୍ପ । ଯାହା ନର୍ଲା ଏମଆଇପି ବିଭାଗ ଅଧିନରେ ରହିଛି । ଗତ ୩୦ ବର୍ଷ ତଳେ ନିର୍ମିତ ଉକ୍ତ ଜଳ ସେଚନ ଯୋଜନାଟି ଛୋଟିଆ ହେଲେ ମଧ୍ୟ ନର୍ଲା, ଡଙ୍ଗରମାଳ, ରେଗିଡିମାଲ, ରେଖପୁର, ଦେହେଲି, ଗଡରାପଡା ଭଳି ଛଅ ଖଣ୍ଡ ଗାଁର ଚାଷ ଜମି ପାଇଁ ଲାଇଫ ଲାଇନ ସାଜିଛି । ହେଲେ ବିଭାଗୀୟ ସ୍ଥାଣୁତା ଓ ଉଦାସୀନତା ପାଇଁ ଡଙ୍ଗରମାଳ, ରେଗଡିମାଳ ଉପର ମୁଣ୍ଡରୁ ନର୍ଲା ଦେଇ, ରେଖପୁର ଯାଏଁ ଯାଇଥିବା ଏହି କେନାଲଟି ସମ୍ପୂର୍ଣ୍ଣ ପୋତି ହୋଇ ପଡିଥିବା ଯୋଗୁଁ କେନାଲରେ ପାଣି ବିଲକୁଲ ବି ଯାଇ ପାରୁନି । କେନାଲଟି ଅମରି ଗଛ, ଘାସ, ବୁଦା ମାଟିରେ ସମ୍ପୂର୍ଣ୍ଣ ପୋତି ହୋଇ ପଡିଛି । ୬ ଖଣ୍ଡ ଗାଁର ୬୦୦ ଏକରରୁ ଉର୍ଦ୍ଧ୍ବ ଚାଷ ଜମିକୁ ଜଳ ଯୋଗାଉଥିବା କେନାଲଟି ବର୍ତ୍ତମାନ ପୋତି ହୋଇ ପଡ଼ିଥିବା ଯୋଗୁଁ ଚାଷ କାର୍ଯ୍ୟ ରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ । ୨୦୧୮-୧୯ ରେ ଜନୈକ ଠିକାଦାର ବିମଲ କୁମାର ଅଗ୍ରୱାଲା କେନାଲଟିର ପଙ୍କ ଉଦ୍ଧାର କାର୍ଯ୍ୟ କରିଥିବା ସୂଚନାରୁ ଜଣାପଡେ । ବିଭାଗ ତରଫରୁ ୭୪.୮୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କରାଯାଇଥିଲା କେନାଲର ରେନୋଭେସନ କାର୍ଯ୍ୟ । ଯଦି ଦୁଇ ବର୍ଷ ତଳେ ଏତେ ଟଙ୍କା ବ୍ୟୟ ଅଟକଳରେ କରାଯାଇଥିବା କାର୍ଯ୍ୟ ଏହି ଦୁଇ ବର୍ଷ ମଧ୍ୟରେ ୨୦୨୧ ରେ ସମ୍ପୂର୍ଣ୍ଣ ପୋତି ହୋଇଗଲା କେମିତି ବୋଲି ଚାଷୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ବିଭାଗୀୟ ଅଧିକାରୀ ମାନଙ୍କ ଠିକାଦାର ପୋଷା ନୀତି ନୁହେଁ ତ?

Omkar Vasthu
Omkar Vasthu


ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଚାଷ କାର୍ଯ୍ୟ ପାଇଁ ବର୍ଷାପାଣି ଉପରେ ସମ୍ପୁର୍ଣ୍ଣ ଭାବରେ ନିର୍ଭର କରିଥାନ୍ତି । ଆଉ ଭଲ ବର୍ଷା ହେଲେ ତ ଠିକ୍ । ନହେଲେ ମରୁଡିର କଷାଘାତରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ପଡିଥାଏ । ନର୍ଲାରେ ୨୦୧୬ ରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ପୂର୍ବବର୍ଷ ୨୦୧୭ ଓ ଗତବର୍ଷ ୨୦୧୮ ମସିହାରେ ବର୍ଷା ଠିକ୍ ଅନୁପାତରେ ହୋଇଥିଲା । ହେଲେ ବାରମ୍ବାର ଲଘୁଚାପ ଜନିତ ବନ୍ୟା ଓ ଚକଡା ରୋଗ ଯୋଗୁଁ ଅନେକ ଚାଷୀ ନୟାନ୍ତ ହୋଇପଡିଥିଲେ । ୨୦୧୯/୨୦ ରେ ମଧ୍ୟମ ଭାବରେ ବର୍ଷା ହୋଇଥିଲେ ମଧ୍ୟ ନର୍ଲା ଅଞ୍ଚଳର ଧାନ ଚାଷ ମଧ୍ୟ ଭଲ ହୋଇଥିବାରୁ ଧାନ ବିକ୍ରୟ କରି ଅଞ୍ଚଳର ଚାଷୀକୁଳ ଭଲ ଦୁଇ ପଇସା ପାଇଥିଲେ ସେମାନଙ୍କର କଷ୍ଟ ଅର୍ଜିତ ଚାଷରୁ । ଏବର୍ଷ ମଧ୍ୟ ବର୍ଷା ଭଲ ହେବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନରେ ଅଞ୍ଚଳର ଚାଷୀ ଖୁସି ଥିଲେ । ଗତ ତିନି ମାସ ଧରି ପ୍ରଚଣ୍ଡ ରୌଦ୍ର ତାପରେ ମାଟି ଶୁଖିଲା ପଡି ସଂପୁର୍ଣ୍ଣ ଆଁ କରି ରହିଥିଲା । ଅନ୍ୟ ବର୍ଷ ଗୁଡିକରେ ଖରାଦିନରେ ମଧ୍ୟ ଯେପରି ଲଘୁଚାପ ବର୍ଷା ହୋଇଥାଏ, ଏବର୍ଷ ତା’ ମଧ୍ୟ ନର୍ଲା ଅଞ୍ଚଳରେ ହୋଇ ନାହିଁ । ଗତ ସପ୍ତାହରେ ତିନିଦିନ ଧରି ଲଘୁଚାପ ବର୍ଷା ହୋଇଥିଲେ ମଧ୍ୟ ଝିପି ଝିପି ବର୍ଷା ଯୋଗୁଁ କପା ଚାଷ ଠିକ ରହିଥିବା ବେଳେ ଅଞ୍ଚଳର ମୁଖ୍ୟ ଫସଲ ଧାନ ଚାଷ ପାଇଁ ଆବଶ୍ୟକ ପରିମାଣର ପାଣି ହୋଇ ପାରିନାହିଁ । ଏହି ସମୟରେ ନର୍ଲା ଚାଷୀଙ୍କ ପାଇଁ ଲାଇଫଲାଇନ ସାଜିଥିବା ଗାଡିଆଯୋର ନଦୀରୁ ବାହାରିଥିବା ବାଗପୁର ଏମଆଇପି କେନାଲ ପୋତି ହୋଇପଡି ଥିବା ଯୋଗୁଁ ଚାଷୀଙ୍କ ପରିସ୍ଥିତି ଦୟନୀୟ ହୋଇପଡିଛି ।

Pearl dental clinic
Near Ashish Medical Store, Bhawanipatna


କେନାଲ ସମ୍ପୂର୍ଣ୍ଣ ପୋତି ହୋଇଥିବା ଯୋଗୁଁ ଚାଷୀ ପାଣି ପାଇ ପାରୁ ନଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚାଷୀ ଭଜରାମ ମାଝୀ, ସଞ୍ଜୀବ କୁମାର ଚାନ୍ଦ, ବିରେନ୍ଦ୍ର ଚାନ୍ଦ, ଯୁଗଳ କିଶୋର ବିଶ୍ୱାଳ, ଅନିରୁଦ୍ଧ ବିଶ୍ୱାଳ, ସଂଗ୍ରାମ ପୁଝାରୀ ପ୍ରମୁଖ ନର୍ଲା ଓ ରେଗଡିମାଳର ଚାଷୀ ଉକ୍ତ କେନାଲ ଉପରେ ନିର୍ଭର କରି ରହି ଚାଷ କରୁଥିବା ବେଳେ ବର୍ତ୍ତମାନ ନର୍ଲାରେ ହୀନ ବୃଷ୍ଟି ରହିଥିବାରୁ ଏବଂ କେନାଲ ପୋତି ହୋଇ ପଡିଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନି ବୋଲି କ୍ଷୋଭ ବ୍ୟକ୍ତ କରିଛନ୍ତି । ଏବଂ ତୁରନ୍ତ ଯଦି ଉକ୍ତ କେନାଲକୁ କାର୍ଯ୍ୟକ୍ଷମ କରାନଯାଏ ତା ହେଲେଆନ୍ଦୋଳନ ର ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନି ଦେଇଛନ୍ତି ।

Udyog Nursery
Udyogi Nursery

ଅନ୍ୟପକ୍ଷରେ ଗତମାସରେ ବିଭାଗୀୟ ଏସଡିଓ ଆସି କନିଷ୍ଠଯନ୍ତ୍ରୀଙ୍କୁ ସାଙ୍ଗରେ ଧରି କେନାଲର ସ୍ଥିତି ଅନୁଧ୍ୟାନ କରିଥିଲେ । କିନ୍ତୁ ସେ ଫେରିଯାଇ ହାତ ବାନ୍ଧି ବସିଯାଇଥିବାରୁ ଚାଷୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବାସହ ବିଭାଗୀୟ ଉଦାସୀନତା ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତିି । ଏହି ପୋତି ହୋଇ ପଡିଥିବା କେନାଲ ଟିର ପୁନଃଉଦ୍ଧାର କାର୍ଯ୍ୟ କାହିଁକି କରାଯାଉନି ବୋଲି ନର୍ଲା ଦାଇତ୍ୱରେ ରହିଥିବା କ୍ଷୁଦ୍ର ଜଳସେଚନ ଯୋଜନା ପ୍ରକଳ୍ପ ର କନିଷ୍ଠ ଯନ୍ତ୍ରୀ ସୌମ୍ୟ ରଞ୍ଜନ ମାଝୀଙ୍କୁ ପଚାରିବାରୁ ଆମେ ବିଭାଗ ତରଫରୁ ସରକାରଙ୍କୁ ଲେଖିକି ଜଣାଇଛୁ । ହେଲେ ଏଥିପାଇଁ ଏଯାଏଁ କୌଣସୀ ଗ୍ରାଣ୍ଟ ଆସି ନାହିଁ । କିମ୍ବା ସରକାରଙ୍କ ତରଫରୁ ଟଙ୍କା ମଞ୍ଜୁର ହୋଇନାହିଁ । ଏଣୁ କାମ କରାଯାଇପାରୁ ନାହିଁ ବୋଲି କହିଥିଲେ ।

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.