୩୨୬ନମ୍ବର ଜାତୀୟ ରାଜପଥ କଡରୁ ରକ୍ତ ଜୁଡୁବୁଡୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରାୟଗଡ, ୨୨/୮ (ଶିବ ନାରାୟଣ ଗୈାଡ): ୩୨୬ ନମ୍ବର ଜାତୀୟ ରାଜପଥ କଡରୁ ରକ୍ତାକ୍ତ ଅବସ୍ଥାରେ ପଡି ରହିଥିିବା ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହକୁ ଆଜି ସକାଳୁ ଉଦ୍ଧାର କରିଛି ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ପୋଲିସ । ତେବେ ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ମୃତ ବ୍ୟକ୍ତିଙ୍କ ବେକକୁ ଏକ ଧାରୁଆ ଛୁରୀରେ କଟାଯାଇଥିିବା ଏବଂ ମୁଣ୍ଡ କପାଳରେ ଗଭୀର କ୍ଷତ ଥିବା ହେତୁ ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟା ଘଟଣା ବୋଲି ପୋଲିସ ଅନୁମାନ କରିଛି । ଘଟଣାସ୍ଥଳରେ ରାୟଗଡ ଉପଖଣ୍ଡ ପୋଲିସ ଅଧିକାରୀ (ଏସଡିପିଓ) ଦିବ୍ୟଜ୍ୟୋତି ଦାସ, ଚାନ୍ଦିଲି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା, ରାୟଗଡ ଥାନା ଅଧକାରୀ ରଶ୍ମିରଂଜନ ପ୍ରଧାନ ଏବଂ ଶେଷଖାଲ ଥାନା ଅଧିକାରୀ ଦେବଦତ ମଲ୍ଲିକଙ୍କ ସମେତ ଅନ୍ୟ ଷ୍ଟାଫ ଏବଂ ଡଗସ୍କାର୍ଡ ଓ ସାଇଂଟିଫିକ୍ ଟିମ୍ ପଂହଚି ତଦନ୍ତ ଆରମ୍ଭ କରିଛନ୍ତି । ଉଦ୍ଧାର ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଶବ ବ୍ୟବଚ୍ଛେଦ ପରେ ଏବଂ ପାରିପାର୍ଶ୍ୱିକ ପ୍ରମାଣ ସହ ଫୋନ ଟ୍ରାକିଂ ଆଦି ଦିଗକୁ ନେଇ ଅଧିକ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଏସଡିପିଓ ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି । ଅଜଣା ବ୍ୟକ୍ତିଙ୍କ ପିନ୍ଧା ପୋଷାକରୁ କିଛି ଟଙ୍କା,ରସିଦ ସହ ଘଟଣାସ୍ଥଳରୁ ଏକ ଧାରୁଆ ରକ୍ତ ଜୁଡୁବୁଡୁ ଛୁରୀ ମଧ୍ୟ ଉଦ୍ଧାର କରି ଜବତ କରାଯାଇଛି । ଡଗସ୍କାର୍ଡର ଅନୁସନ୍ଧାନୀ କୁକୁର ଘଟଣାସ୍ଥଳରୁ କିଛି ଦୂରତାରେ ରହୁଥିବା ପରିବା ବିକାଳୀମାନଙ୍କ ବସ୍ତି ଭିତରକୁ ଯାଇଥିବା ବେଳେ ସେଠାରୁ ସଠିକ୍ କିଛି ସୁରାକ୍ ପୋଲିସ ହାତରେ ମିଳି ନ ଥିବା ଜଣାପଡିଛି । ତେବେ ବସ୍ତିର ୭ଟି ଘରେ ପୋଲିସ ଛାନଭିନ୍ କରିବା ସହ ୨/୩ଜଣଙ୍କ ମୋବାଇଲ ଫୋନ୍ ଯାଂଚ ପାଇଁ ଆଣିଛନ୍ତି ଏବଂ ଅଧିକ ପଚରାଉଚୁରା ପାଇଁ କିଛି ବ୍ୟକ୍ତିଙ୍କୁ ଥାନାକୁ ଆସିବା ପାଇଁ ଆଦେଶ ଦେଇଥିବା ଜଣାପଡିଛି । ରାୟଗଡ-ଜେକେପୁର ୩୨୬ନମ୍ବର ଜାତୀୟ ରାଜପଥ ମଧ୍ୟରେ ଘଟିଯାଇଥିବା ଏଭଳି ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଂଚଳବାସୀଙ୍କ ସମେତ ନିୟମିତ ଭାବେ ଯାତାୟାତ କରୁଥିବା ଲୋକମାନେ ଭୟଭୀତ ହୋଇଥିବା ଜଣାପଡିଛି । ଚାନ୍ଦିଲି ଓ ରାୟଗଡ ଥାନା ପୋଲିସ ପକ୍ଷରୁ ରାତ୍ରକାଳୀନ ସମୟରେ ରାୟଗଡ ଓ ଜେକେପୁର ଜାତୀୟ ରାଜପଥରେ ନିୟମିତ ଭାବେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ଦାବି ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.