ରାୟଗଡ, ୨୬|୮ (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଅଧିନସ୍ଥ କଂସାରୀଗୁଡା ଠାରେ ହିଣ୍ଡାଲୋକ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଦ୍ୱାରା ୩.୦ ଏମଟିପିଏ ଆଦିତ୍ୟ ଆଲୁମିନା ବିଶୋଧନ ପ୍ରକଳ୍ପ ଏବଂ ୧୫୦ ମେଗାୱାଟ୍ କୋ-ଜେନେରେସନ୍ ପାୱାର ପ୍ଳାଂଟ ନିର୍ମାଣ କାର୍ଯ୍ୟକୁ ନେଇ ଦୀର୍ଘ ୧୪ବର୍ଷ ଧରି ଲାଗି ରହିଥିବା ବିବାଦର ସମାଧାନ କ୍ଷେତ୍ରରେ ପୁଣି ଥରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟାରମ୍ଭ ନିମନ୍ତେ ପୁର୍ନବାର ପ୍ରଭାବିତ, ବିସ୍ଥାପିତ ଓ କ୍ଷତିିଗ୍ରସ୍ତ ଅଂଚଳବାସୀଙ୍କୁ ନେଇ ଏକ ଜନଶୁଣାଣୀ କରିବା ପାଇଁ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ (ଏସପିସିବି) ଓଡିଶା ରାୟଗଡ ଜିଲ୍ଳାପାଳଙ୍କୁ ଚଳିତ ମାସର ଗତ ୬ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଆସନ୍ତା ଅକ୍ଟୋବର ୫ତାରିଖ ପୂର୍ବାହ୍ନ ୧୧ଟା ସମୟରେ ପହୁଣ୍ଡି ଗ୍ରାମର ପୋଡାପାଡି ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଜନଶୁଣାଣୀ କରାଯିବାକୁ ନିର୍ଦ୍ଧାରିତ ତାରିଖ ଧାର୍ଯ୍ୟ ହୋଇଥିବା ନେଇ ରାୟଗଡ ଜିଲ୍ଳାପାଳ ଏସପିସିବି, ମେମ୍ବର ସେକ୍ରେଟାରୀ, ଓଡିଶାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜସ୍ୱ ସେକ୍ସନ ଚିଠିସଂଖ୍ୟା ୨୩୩୫/୨୩/୮/୨୧ରେ ଅବଗତ କରାଇଛନ୍ତି । ଏଥିରେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହେବାକୁ ଥିବା ଜନଶୁଣାଣୀଟି ସଂପୂର୍ଣ୍ଣ ଭାବେ କୋଭିଡ-୧୯ ଗାଇଡଲାଇନ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଜିଲ୍ଳାପାଳ ଚିଠିରେ ଉଲ୍ଳେଖ କରିଛନ୍ତି । ଏହି ଜନଶୁଣାଣୀରେ କୋଭିଡ ନିୟମ ପାଳନ ମୁତାବକ ମାସ୍କ ପରିଧାନ, ସାମାଜିକ ଦୂରତା ସହ ଥର୍ମାଲ ସ୍କାନିଂ, ହାତ ଧୋଇବା ଏବଂ ସାନିଟାଇଜର ବ୍ୟବସ୍ଥା ମଧ୍ୟରେ ସୀମତି ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ ବୋଲି ଜିଲ୍ଳାପାଳ ଚିଠିରେ ଉଲ୍ଲେଖ କରିଛନ୍ତି । ଅପରପକ୍ଷେ କଂସାରୀଗୁଡା ଠାରେ ଆଦିତ୍ୟ ଆଲୁମିନା ପ୍ରକଳ୍ପ ନିର୍ମାଣକୁ ନେଇ ପ୍ରଭାବିତ, ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକଙ୍କୁ ନେଇ କମ୍ପାନୀ କର୍ତୁପକ୍ଷ ଏବଂ ଜିଲ୍ଳା ପ୍ରଶାସନ ପକ୍ଷରୁ ଗତ ଜୁଲାଇ ୧୭ତାରିଖରେ ଏକ ତ୍ରିପାକ୍ଷିକ ଭର୍ଚୁଆଲ ମିଟିଂ ଅନୁଷ୍ଠିତ ହୋଇଥିଲା । ଏହି ଭର୍ଚୁଆଲ ମିଟିଂରେ ମଧ୍ୟ ପ୍ରଭାବିତ ଲୋକେ ଯଥାଶୀଘ୍ର କମ୍ପାନୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବି ଜଣେଇଥିଲେ । ତେବେ ସରକାରଙ୍କ ନିର୍ଦ୍ଦେଶକୁ ନେଇ କମ୍ପାନୀ ତାହାର କାର୍ଯ୍ୟ ଆରମ୍ଭ କରିବ ବୋଲି କମ୍ପାନୀ କର୍ତୁପକ୍ଷ ଜଣାଇଥିବା ବେଳେ ଜିଲ୍ଳା ପ୍ରଶାସନ ତରଫରୁ ମଧ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲ୍ଳାପାଳ କହିଥିବା ନେଇ ଭର୍ଚୁଆଲ ମିଟିଂରେ ଉପସ୍ଥିତ ଥିବା ପ୍ରଭାବିତ, ବିସ୍ଥାପିତ ଓ କ୍ଷତିଗ୍ରସ୍ତ ଲୋକେ ସୂଚନା ଦେଇଛନ୍ତି ।