● ନର୍ଲାରେ କୋଭିଡ ଟିକାକରଣ ପ୍ରସଙ୍ଗ
କଳାହାଣ୍ଡି,୭|୯ (ଲିଙ୍ଗରାଜ ମିଶ୍ର): ଗତ ମାସରେ କୋଭିଡ ଭେକ୍ସିନର ଘୋର ଅଭାବ ରହିଥିଲା । ହେଲେ ଚଳିତ ମାସରୁ ନର୍ଲା ଡାକ୍ତରଖାନାରେ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ରହୁଥିବା ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ. ସନତ କୁମାର ଶତପଥି ସୂଚନା ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ଡାକ୍ତରଖାନାରେ ଗତ ୨୦୨୧ ଜାନୁୟାରୀ ୨୧ ରୁ ଆରମ୍ଭ ହୋଇଛି କୋଭିଡ ଟିକା କରଣ । ଲଗାତାର ଦୁଇମାସ ଦିନେ ଛାଡି ଦିନେ ଟିକାକରଣ ଠିକ ଭାବରେ ଚାଲିବା ପରେ ଜୁଲାଇ ମାସରୁ ନର୍ଲା କାହିଁକି ସାରା କଳାହାଣ୍ଡିରେ କୋଭିଡ ଟିକାର ଅଭାବ ସମସ୍ୟା ଦେଖାଦେଲା । ପ୍ରଥମେ ଯେଉଁ ମାନେ କରୋନା ଯୋଦ୍ଧା ସେହି ମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା । ପ୍ରଥମେ ନର୍ଲା ମେଡିକାଲ କର୍ମଚାରୀ, ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ସମସ୍ତଙ୍କୁ ପ୍ରଥମ ପର୍ଯ୍ୟାୟରେ କରୋନା ପ୍ରତିଷେଧକ କୋଭାସିଲ୍ଡ ଟିକା ପ୍ରଦାନ କରାଗଲା । ଯେଉଁମାନେ ପ୍ରଥମ ଡୋଜ ଟିକା ନେଇଥିଲେ । ସେମାନେ ପୁଣି ୨୮ ଦିନ ପରେ ଦ୍ୱିତୀୟ ଡୋଜ ଟିକା ସେତେବେଳେ ନେଇଥିଲେ ।
ଏହାପରେ ସରକାର ଟିକା ଅଭାବ କାରଣରୁ ଦ୍ୱିତୀୟ ଡୋଜ ପାଇଁ ଏହି ନିୟମକୁ ପରିବର୍ତ୍ତନ କରି ୮୪ ଦିନ ପର୍ଯ୍ୟନ୍ତ ସମୟ ଅବଧିକୁ ବୃଦ୍ଧି କଲେ । କରୋନାର ଦ୍ୱତୀୟ ଲହର ଆସିବା ପରେ ନର୍ଲା ବ୍ଲକ୍ ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ଲୋକେ କରୋନା ଆକ୍ରାନ୍ତ ହେଲେ । ଦ୍ୱିତୀୟ ଲହରରେ ନର୍ଲା ବ୍ଲକ୍ ଅଞ୍ଚଳରେ ୭୦ରୁ ଉର୍ଦ୍ଧ୍ବ ଲୋକଙ୍କ କରୋନା ଜନିତ ମୃତ୍ୟୁ ହୋଇଥିଲା । ଏହାପରେ ଡାକ୍ତରଖାନା ଗୁଡିକ ସହିତ ପ୍ରତିଗ୍ରାମକୁ ଯାଇ ମେଡିକାଲ ଟିମ୍ କୋଭିଡ ଟିକାକରଣ କରିଥିଲେ । ହେଲେ ସେତେବେଳେ ସମସ୍ୟା ରହିଥିଲା “ଗୁଜବ” । ଆଉ ଟିକା ନେଲେ ଜ୍ୱର ହେବା ସହିତ ବ୍ୟକ୍ତି ଅସୁସ୍ଥ ହୋଇପଡୁଥିବା “ଗୁଜବ” ଯୋଗୁଁ ଯେତେ ବୁଝାସୁଝା କଲେ ମଧ୍ୟ ଲୋକେ ଟିକା ନେବାପାଇଁ ଅମଙ୍ଗ ହେଉଥିଲେ । ଫଳରେ ନର୍ଲା ଅଞ୍ଚଳରେ ଟିକାକରଣ ବହୁତ କମ ହୋଇଥିବା ଜଣାପଡିଛି । ଆଉ ନର୍ଲା ବ୍ଲକ୍ ର ୧ ଲକ୍ଷ ୩୨ ହଜାର ଜନସଂଖ୍ୟା ରହିଥିବା ବେଳେ ସେଥିରେ ଯଦି ଅତିରିକ୍ତ ୧୦ ପ୍ରତିଶତ ଉପଭୋକ୍ତାଙ୍କୁ ସାମିଲ କରାଯାଏ ତାହେଲେ ସମୁଦାୟ ୧ ଲକ୍ଷ ୪୫ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୩୦ ପ୍ରତିଶତ ଅର୍ଥାତ ୪୩ ହଜାର ୫୦୦ ଲୋକଙ୍କୁ ଟିକାକରଣ କରାଯାଇଛି ଏବଂ ଆଜୁରି ୧ ଲକ୍ଷ ଲୋକ ଟିକା ନେଇନଥିବା ବିଭାଗ ତରଫରୁ ସୂଚନା ମିଳିଛି ।
ମେଡିକାଲ ଟିମ୍ ଟିକା ନେଇ ଲୋକଙ୍କୁ ଟିକା ଦେବାପାଇଁ ଯାଇଥିବା ବିଭିନ୍ନ ଗ୍ରାମର କେନ୍ଦ୍ର ଗୁଡିକରୁ ଟିକା ସବୁ ଫେରାଇ ଆଣୁଥିଲେ । ଏବେ ଲୋକେ ସଚେତନ ହେଲେଣି । ଟିକା ନେଇନଥିବା ବ୍ୟକ୍ତିଙ୍କ ପ୍ରତି ୮୦ ପ୍ରତିଶତ କରୋନା ସଂକ୍ରମଣ ବିପଦ ରହିଥିବା ଜାଣି ଡାକ୍ତରଖାନା ଓ ଗ୍ରାମ ଗୁଡିକରେ ଅନୁଷ୍ଠିତ ହେଉଥିବା ଟିକାକରଣ କେନ୍ଦ୍ର ଗୁଡିକରେ ଏବେ ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଗତ ମାସେ ତଳେ ମୁଖ୍ୟ ଡାକ୍ତରଖାନା ଗୁଡିକରେ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ରହୁ ନଥିବାରୁ ଲେକେ ଡାକ୍ତରଖାନାରୁ ଟିକା ନେଇ ନପାରି ଫେରି ଯାଉଥିଲେ । ଏହାର ଜ୍ୱଳନ୍ତ ଉଦାହରଣ ନର୍ଲା ଡାକ୍ତରଖାନାରେ ଗତ ସାସ ଓ ତା ଆଗରୁ ମଧ୍ୟ ଅନେକ ଥର ଦେଖିବାକୁ ମିଳିଛି । ଆଗରୁ ଜିଲ୍ଲା ରେ ପର୍ଯ୍ୟାପ୍ତ ଟିକା ରହୁନଥିବାରୁ ଥରକେ ୫୦୦ ଡୋଜ ହିସାବରେ ଦେଉଥିଲେ । ଆମେ ମଧ୍ୟ ଦିନକୁ ୨୫୦ ଜଣ ହିସାବରେ ଦୁଇ ଦିନ ଧରି ଟିକା ପ୍ରଦାନ କରୁଥିଲୁ । ଟିକା ଅଭାବ ଫଳରେ ଦୂର ଦୁରାନ୍ତରୁ ଆସୁଥିବା ଅନେକ ଲୋକ ଫେରି ଯାଉଥିଲେ । ହେଲେ ଏବେ ଆଉ ନର୍ଲା ଡାକ୍ତରଖାନାରେ ସେଭଳି ଟିକା ଅଭାବ ସମସ୍ୟା ନାହିଁ । ନର୍ଲା ଅଞ୍ଚଳ ପାଇଁ ଆବଶ୍ୟକ ଅନୁଯାୟୀ କୋଭିଡ ଟିକା ଡୋଜ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟାୟ କ୍ରମେ ପ୍ରଦାନ କରୁଥିବା ଓ ନର୍ଲାରେ ଠିକ୍ ଭାବରେ ଟିକା କରଣ ହେଉଥିବା କଥା ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶ୍ରୀ ଶତପଥି ସୂଚନା ଦେଇଛନ୍ତି । ହେଲେ ବଡ ଦୁଃଖର ବିଷୟ ଯେ, ଟିକା କରଣ ପାଇଁ ପଞ୍ଜିକରଣ କେନ୍ଦ୍ରରେ କୋଭିଡ ନିୟମକୁ ଫୁ କରିଦେଉଥିବା ଭଳି ଦୃଶ୍ୟ ଟିକାକରଣ ପାଇଁ ପଞ୍ଜିକରଣ କେନ୍ଦ୍ରରେ ଦେଖିବାକୁ ମିଳୁଛି । ନା ସାମଜିକ ଦୂରତା । ନା ମାସ୍କ ବ୍ୟବହାର । ପ୍ରଥମେ ଆଗତୁରା ଟିକା ନେଇଯିବା ପ୍ରତିଯୋଗୀତାରେ ଲୋକେ ଠେଲାପେଲା ହେଉଥିବା ଦୃଶ୍ୟମାନ ହେଉଛି । ଯାହାକୁ କି ନର୍ଲା ବୁଦ୍ଧିଜୀବୀ ମହଲରେ ଏହା ପୁଣି କୋଭିଡ ସଂକ୍ରମଣର ପ୍ରମୁଖ କାରଣ ହୋଇପାରେ ବୋଲି କୁହାଯାଉଛି । ଏଥିପ୍ରତି ବିଭାଗୀୟ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।