ସିନାପାଲି ଗ୍ରାମ ପଞ୍ଚାୟତକୁ ସମ୍ପୁର୍ଣ୍ଣ ମରୁଡି ଘୋଷଣା ଦାବୀରେ ପଦଯାତ୍ରା: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସିନାପାଲି ଗ୍ରାମପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ ଆଜି ଚାଷୀମାନଙ୍କ ଦ୍ୱାରା ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ଚଳିତ ବର୍ଷ ଗୋଲାମୁଣ୍ଡା ବ୍ଲକ ସିନାପାଲି ଗ୍ରାମପଞ୍ଚାୟତରେ ଭୟାବହ ମରୁଡି ପରିସ୍ଥିତି ଦେଖାଦେଇଛି । ଗ୍ରାମପଞ୍ଚାୟତର ସିନାପାଲି, ଲାଞ୍ଜି, ମହେନ୍ଦ୍ରପୁର ଗ୍ରାମର ଚାଷୀ ତଳି ପକାଇଥିଲେ ମଧ୍ୟ ତଳି ରୋଇ ନପାରି ଏକର ଏକର ଚାଷ ଜମି ପଡିଆ ପଡିଛି । ଆଗାମୀ ଦିନରେ ରୁଆ କଲେ ମଧ୍ୟ ଧାନ ଅମଲ ହେବ ନାହିଁ । ଅନେକ ଚାଷ ଜମିରେ ଧାନ ଚାଷ ହୋଇଥିଲେ ନଷ୍ଟ ହେବାକୁ ବସିଲାଣି । ଏଣୁ ଉକ୍ତ ଗ୍ରାମପଞ୍ଚାୟତର ଚାଷୀମାନେ ସଂପୁର୍ଣ୍ଣ ହତାଶ ହୋଇପଡିଛନ୍ତି । ଏଣୁ ସରକାର ଉକ୍ତ ଘଟଣାକୁ ଗୁରୁତ୍ୱ ଦେଇ ଗ୍ରାମପଞ୍ଚାୟତକୁ ସଂଫୂର୍ଣ୍ଣ ମରୁଡି ଘୋଷଣା କରିବା ସହିତ ମରୁଡି ସହାୟତା ସାଙ୍ଗକୁ,ଆଗାମୀ ଦିନରେ ଇନ୍ସୁରାନ୍ସ ପ୍ରଦାନ କରିବାକୁ ଦାବୀ କରାଯାଇଛି । ପ୍ରତିବର୍ଷ ମରୁଡିକୁ ଦୃଷ୍ଟି ଆଗରେ ରଖି ସ୍ଥାନୀୟ ଉଦନ୍ତି ନଦୀ ଠାରେ ମେଗା ଉଠା ଜଳ ସେଚନ ପ୍ରକଳ୍ପ ସ୍ଥାପନା କରି ଚାଷ ଜମିକୁ ପାଣି ଯୋଗାଇ ଦେବାକୁ ଦାବୀପତ୍ର ଜରିଆରେ ଦର୍ଶାଯାଇଛି ।


ଚାଷୀନେତା ନଉକେଶ୍ୱର ପୁଟେଲଙ୍କ ନେତୃତ୍ୱରେ ଆଜି ସିନାପାଲି ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ଏକଜୁଟ ହୋଇ ମହେନ୍ଦ୍ରପୁର ଠାରୁ କେଗାଁ ପର୍ଯ୍ୟନ୍ତ ଦିର୍ଘ ୫ କିଲୋମିଟର ପଦଯତ୍ରା ରେ ଆସି କେଗାଁ ରାଜସ୍ୱ ବିଭାଗ ଅଫିସଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଦାବୀପତ୍ର ପ୍ରଦାନ କରିଥିଲେ । ଉକ୍ତ ପଦଯାତ୍ରାକୁ ସମର୍ଥନ କରି କିଷାନ ସଂଘ ସଭାପତି ସାଉଲ ମଙ୍ଗରାଜ ଓ ସାଧାରଣ ସଂପାଦକ ପ୍ରସନ୍ନ ରାଉତ, ନରହରି ବାଗ ମଧ୍ୟ ସାମିଲ ହୋଇଥିଲେ । ଗ୍ରାମପଞ୍ଚାୟତର ଚାଷୀ ଅଜାମ୍ବିଳ ପୁଟେଲ, ଠଣ ସାହୁ, ଅଶୋକ ସାହୁ, ମଦନ ଛତ୍ରିଆ, ନୃପରାଜ ପୁଟେଲ, ଯଶୋବନ୍ତ ସାହୁ, ଗରୁମଣି ସୁନା, ଭୋଦେବ ସୁନା, ଗଣନାଥ ଭୋଇ, ସୁଶାନ୍ତ ଶତପଥିଙ୍କ ସମେତ ଶତାଧିକ ଚାଷୀ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.