କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ଆଦିବାସୀ ଓ ଲୋକ ଉତ୍ସବ ପରବ ଏବେ ଜାତୀୟ ମାନ୍ୟତା ପାଇବାକୁ ଯାଉଅଛି। ୨୫ ବର୍ଷ ଫୁର୍ତ୍ତି ଉପଲକ୍ଷେ କୋରାପୁଟ ସହୀଦ ଲକ୍ଷ୍ମଣ ନୟକ ମେଡିକାଲ ଓ କଲେଜ ହସ୍ପିଟାଲର ସଭାଗୃହଠାରେ ସାଧାରଣ ପରିଷଦ, ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖଟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡ଼ାଲ, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପ୍ରଭୂ ଜାନି, ପଟାଙ୍ଗୀ ବିଧାୟକ ପୀତମ ପାଢ଼ୀ, ଜିଲ୍ଲାପରିଷଦ ସଭାପତି ତୁଳସୀ କିରସାନି, କଲେଜ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ବିଶ୍ୱାଳ, କୋରାପୁଟ ଏସ.ପି ବରୁଣ ଗୁଣ୍ଠପାଲି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଧେଶକ ହେମକାନ୍ତ ସାଏ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ, କୋଟପାଡ଼ ବିଧାୟକ ତଥା ରାଜ୍ୟ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀଙ୍କ ପ୍ରତିନିଧି ପଙ୍କଜ ପାତ୍ର, ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ବୈକୁଣ୍ଠ ମଣ୍ଡଳ, କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ରାମେଶ୍ୱର ପ୍ରଧାନ, କୋରାପୁଟ ଉପଜିଲ୍ଲାପାଳ ଲଳିତ କୁମାର କହଁର, ଜୟପୁର ଉପଜିଲ୍ଲାପାଳ ଗୋପୀନାଥ ସାରକା ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ସରକାରୀ କଲେଜ ପଡିଆରେ ଡିସେମ୍ବର ମାସ ୧୭, ୧୮, ୧୯ ତାରିଖ ତିନି ଦିନ ବ୍ୟାପି ପରବର ମୁଖ୍ୟ ଉତ୍ସବ ପାଳନ କରାଯିବ ବୋଲି ଜିଲ୍ଲପାଳ ସୂଚନା ଦେଇଛନ୍ତି। ଏହି ଉତ୍ସବରେ ଅବିଭକ୍ତ କୋରାପୁଟ ଜିଲ୍ଲା, ଓଡିଶା ଓ ଦେଶର ଆଦିବାସୀ ଓ ଲୋକନୃତ୍ୟ ପ୍ରଦର୍ଶନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କୋଟିଆ ଗ୍ରାମପୁଞ୍ଜର ନେରେଡିବାଲସା ଠାରେ ପରବ -୨୧ର ଶୁଭାରମ୍ଭ ନଭେମ୍ବର ମାସ ୨୦ ତାରିଖରେ କରାଯିବା ନିମନନ୍ତେ ସ୍ଥିର କରାଯାଇଥିବାସେ ସୂଚନା ଦେଇଛନ୍ତି। ପ୍ରତିବର୍ଷ ଭଳି ପଞ୍ଚାୟତ ତଥା ପଞ୍ଚାୟତ ସମିତି ସ୍ତରରେ ପରବ ପାଳନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ପରବ ଉତ୍ସବ ପାଳନ କରିବାକୁ ରାଜ୍ୟ ସରକାର ଆର୍ଥିକ ଅନୁଦାନ ପ୍ରଦାନ କରିବେ ବୋଲି ସେ ପ୍ରକାଶ କରିଛନ୍ତି। କୋରାପୁଟ ସହରର ଉମୁରୀ ଗ୍ରାମକୁ ଯିବା ରାସ୍ତା ପାହାଡ଼ ଜମିକୁ ପରବ ପଡିଆ କରାଯିବା ନିମନ୍ତେ ଭୂମି ପୂଜା କରାଯାଇଥିଲା। ଉକ୍ତ ଜମି ଜଙ୍ଗଲ ବିଭାଗର ହୋଇଥିବାରୁ ଏ ପର୍ଯ୍ୟନ୍ତ ପରବ ପଡିଆ ନିର୍ମାଣ କରାଯାଇ ନ ଥିବାରୁ ତୁରନ୍ତ ଏହି ଜମିକୁ ଜିଲ୍ଲା ପ୍ରଶାସନ ନିଜ ଅକ୍ତିଆରକୁ ଆଣିବାକୁ ଉପସ୍ଥିତ ଜୟପୁର ବିଧାୟକ ଶ୍ରୀ ବାହିନୀପତି ତଥା ଅନ୍ୟ ବିଧାୟକମାନେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ। ଏକ କମିଟି କରାଯିବ ଓ ଉକ୍ତ କମିଟି ଜମି ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଜିଲ୍ଲାସ୍ତରୀୟ ସାଂସ୍କୃତିକ, କ୍ରୀଡା ଓ ଫୁଟବଲ ପ୍ରତିଯୋଗିତା ମଧ୍ୟ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ପଟାଙ୍ଗୀ ବ୍ଲକର ବ୍ରିଟିଶ ରାସ୍ତାକୁ ବିକ୍ରମ ମାର୍ଗ ନାମରେ ନାମିତ କରିବାକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରସ୍ତାବ ଦେଇଥିଲେ। କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ମାଧବ ପାଙ୍ଗି ଯୋଗ ଦେଇ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ପରବ କମିଟିର ସଦସ୍ୟ/ସଦସ୍ୟା ଏବଂ ଜିଲ୍ଲାର ସମସ୍ତ ତହସିଲଦାର, ବିଡ଼ିଓ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।