କଳାହାଣ୍ଡି, (ହେମନ୍ତ ସାହୁ): ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ତଥା ଭାରତର ସାଂସ୍କୃତିକ ବିବିଧତା, ପ୍ରତିବଦ୍ଧତା ତଥା ସାଂସ୍କୃତିକ ବୈଭବକୁ ଲୋକଲୋଚନକୁ ଆଣିବାର ଉଦ୍ଧେଶ୍ୟରେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କ୍ଷେତ୍ର ଜନସଂପର୍କ କାର୍ଯ୍ୟାଳୟ ଭବାନୀପାଟଣା ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଞ୍ଚଳ ମୋହନଗିରୀ ଧବଳେଶ୍ଵର ଜୁନିୟର କଲେଜ ପ୍ରାଙ୍ଗଣ ରେ ସ୍ୱାଧୀନତା ର ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ କଲେଜର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ସମ୍ପର୍କରେ ସ୍ଲୋଗାନ ଦେଇ ଏକ ପଦଯାତ୍ରା ମୋହନଗୀରି ପରିଭ୍ରମଣ କରିଥିଲା। ଏହି କାର୍ଯ୍ୟକ୍ରମକୁ ନର୍ଲା ବିଧାୟକ ମାନ୍ୟବର ଭୂପିନ୍ଦର ସିଂହ ଶୁଭ ଉଦ୍ଘାଟନ କରିଥିବା ବେଳେ ଟିଟଲାଗଡ ଡିଏଭି ସ୍ଵୟଂ ଶାସିତ କଲେଜ ର ପୂର୍ବତନ ଅଧ୍ୟକ୍ଷ ଶିବ ପ୍ରସାଦ ବେହେରା, କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ କୁମାର ପାଢ଼ୀ, ଧବଳେଶ୍ଵର ମହାବିଦ୍ୟାଳୟର ଅଧ୍ୟକ୍ଷ ଧ୍ରୁବ ଚରଣ ଗାନ୍ଧୀ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଭୁ ପୟର ପଟ୍ଟନାୟକ , ପରିଚାଳନା କମିଟିର ସମ୍ପାଦକ ଶୁକଦେବ ସାହୁ ପ୍ରମୁଖ ଯୋଗଦେଇ ଭାରତୀୟ ସ୍ଵାଧୀନତା ସଂଗ୍ରାମ ଇତିହାସର ଘଟଣା ଯାହା ଆମକୁ ପ୍ରେରଣା ଓ ଶକ୍ତି ପ୍ରଦାନ କରିଥାଏ, ସେ ସମ୍ପର୍କରେ ଆଲୋକପାତ କରିବା ସହିତ କଳାହାଣ୍ଡି ଜିଲ୍ଲାର ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସହିଦ ରେଣ୍ଡୋ ମାଝୀଙ୍କ ଅଣନାତି ଶ୍ରୀ ଯୋଗେଶ୍ୱର ମାଝୀ ଙ୍କୁ କାର୍ଯ୍ୟାଳୟ ତରଫରୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅମୃତ ମହୋତ୍ସବ ସମ୍ପର୍କରେ ବିଭିନ୍ନ ବକୃତା ତଥା ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯାଇଥିଲା। ଏହା ସହିତ ସୂଚନା ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ସୁରସଂଗମ କଳାକାର ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ କ୍ଷେତ୍ର ଜନସଂପର୍କ ବ୍ୟୁରୋ ର ଅଧିକାରୀ ଶ୍ରୀ ବିଷ୍ଣୁ ଚରଣ ସାହୁ ପରିଚାଳନା କରିଥିଲେ।