ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଦ୍ବାଦଶ ତମ ତୀର୍ଥଯାତ୍ରୀ ସ୍ୱତନ୍ତ୍ର ଟ୍ରେନର ଯାତ୍ରାରମ୍ଭ

● ୬ଟି ଜିଲ୍ଳାରୁ ୮୯୯ଜଣ ତୀର୍ଥଯାତ୍ରୀ ବୁଲିବେ ତିରୁପତି,ଭେଲୁର ଓ ଶ୍ରୀକଳାହସ୍ତି

● ତୀର୍ଥଯାତ୍ରୀଙ୍କ ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି ରାଜ୍ୟ ସରକାର – ପର୍ଯ୍ୟଟନ ମନ୍ତ୍ରୀ

ରାୟଗଡ,୩/୩ : ରାୟଗଡା ରେଳ ଷ୍ଟେସନରୁ ବେଲୁନ, ଫୁଲରେ ସୁସଜ୍ଜିତ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଦକ୍ଷିଣ ଭାରତର ୩ଟି ପ୍ରମୁଖ ତୀର୍ଥସ୍ଥାନକୁ ବହାରିଛନ୍ତି ୮୯୯ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଏବଂ ସେମାନଙ୍କ ସୁରକ୍ଷା ତଥା ସୁବିଧା ସହଯୋଗ ପାଇଁ ସାଥିରେ ଅଛନ୍ତି ୩୮ଜଣ ଅଧିକାରୀ । ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ୧୨ତମ ପର୍ଯ୍ୟାୟରେ ଦକ୍ଷିଣ ଓ ପଶ୍ଚିମ ଓଡିଶାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡା, କଳାହାଣ୍ଡି ଏବଂ ନୂଆପଡା ଭଳି ୬ଟି ଜିଲ୍ଳାର ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରା ପାଇଁ ଦକ୍ଷିଣ ଭାରତର ତିରୁପତି, ଭେଲୁର ଓ ଶ୍ରୀକଳାହସ୍ତି ପ୍ରମୁଖ ୩ଟି ପ୍ରସିଦ୍ଧ ତିର୍ଥ ସ୍ଥାନକୁ ଭ୍ରମଣ ପାଇଁ ନିଆଯାଇଛି ।

ଏହି ଅବସରରେ ରାୟଗଡା ରେଳ ଷ୍ଟେସନକୁ ଫୁଲ ଓ ବେଲୁନରେ ସୁସଜ୍ଜିତ କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଳାରୁ ଆସିଥିବା ତୀର୍ଥଯାତ୍ରୀମାନଙ୍କୁ ବସରେ ଅଣାଯାଇଥିଲା । ସେଠାରେ ସେମାନଙ୍କୁ ପ୍ରଥମେ ଟିକା ଚନ୍ଦନ ,ଫୁଲମାଳ ସହ ଶଙ୍ଖବାଦ୍ୟ, ସମ୍ବଲପୁରୀ ବାଜାରେ ମହାଆଡମ୍ବରରେ ସ୍ୱାଗତ କରାଯାଇଥିଲା । ଏଥିସହ ସମସ୍ତ ତୀର୍ଥଯାତ୍ରୀଙ୍କୁ ପାଣି ବୋତଲ ପ୍ରଦାନ କରାଯାଇଥିଲା ।

ଏହି ତୀର୍ଥଯାତ୍ରାକୁ ଓଡିଆ ଭାଷା,ସାହିତ୍ୟ,ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରିବନ କାଟି ଓ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ୨୦୧୬ ମସିହାରୁ ପ୍ରଣୟନ ହୋଇଥିବା ଏହି ଯୋଜନାରେ ଗରୀବ ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରା ଭ୍ରମଣ କରାଯିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୧୧ଟି ପର୍ଯ୍ୟାୟରେ ୧୧ହଜାରରୁ ଉର୍ଦ୍ଧ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ସୁଯୋଗ ଲାଭ କରିଥିବା ବେଳେ ସେମାନଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ମାନ୍ୟବର ମନ୍ତ୍ରୀ ଅଶୋକ ପଣ୍ଡା ।

ଜୀବନରେ ଯେଉଁମାନେ ଟ୍ରେନରେ କେବେ ଯାତ୍ରା କରି ନ ଥିଲେ ତାହା ତୀର୍ଥଭ୍ରମଣ ଯୋଗୁଁ ସାକାର ହୋଇପାରିଥିବା ନେଇ ତୀର୍ଥଯାତ୍ରୀମାନ କହିଥିବା ମଧ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ପ୍ରକାଶ କରିଥିଲେ । ଏହି ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ରାୟଗଡା ବିଧାୟକ ଲାଲବିହାରୀ ହିମିରିକା, ବିଷମକଟକ ବିଧାୟକ ଜଗନ୍ନାଥ ସାରାକା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଉତ୍କଳ ପତି, ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା,ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ, ଓଡିଶା ରାଜ୍ୟ ଖଦୀ ବୋର୍ଡ ସଦସ୍ୟ ପୃଥ୍ୱୀରାଜ ସାହୁଙ୍କ ସମେତ ଜିଲ୍ଳା ପର୍ଯ୍ୟଟନ ବିଭାଗର ଭାରପ୍ରାପ୍ତ ଅଧିକାରୀ ସୁରେନ୍ଦ୍ର ଲିମା, ଜଳଛାୟା ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ମଲ୍ଳିକ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଷ୍ଟେସନ ଅଧୀକ୍ଷକ ପି.ସି.ସେଠୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ଏଥରର ତିର୍ଥଯାତ୍ରୀ ଟ୍ରେନ ରାୟଗଡ ଜିଲ୍ଲାରୁ ୩୪୨ ଜଣ, କଳାହାଣ୍ଡିରୁ ୧୨୨ଜଣ, କୋରାପୁଟରୁ ୧୬୯ଜଣ, ନବରଙ୍ଗପୁ୍ର ରୁ ୧୪୦ଜଣ, ମାଲକାନଗିରିରୁ ୫୬ଜଣ ଓ ନୂଆପଡା ଜିଲ୍ଲାରୁ ୭୦ଜଣ ବରିଷ୍ଠ ନାଗରିକମାନଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିବା ବେଳେ ରାୟଗଡ ଜିଲ୍ଲାରୁ ସର୍ବାଧିକ ୩୪୨ ଜଣ ତୀର୍ଥ ଯାତ୍ରୀ ଯାତ୍ରା କରିଛନ୍ତି ।

ପ୍ରକାଶ ଥାଉ କି ରାଜ୍ୟର ଆର୍ଥିକ ଅନଗ୍ରସର ଦାରିଦ୍ର ସୀମାରେଖା ତଳେ ରହିଥିବା ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁବିଧା ନିମେନ୍ତେ ରାଜ୍ୟ ସରକାର ପର୍ଯ୍ୟଟନ ବିଭାଗର ସଂକଳ୍ପ ସଂଖ୍ୟା-୨୫୮୩ ତା.୧/୨/୨୦୧୬ରିଖ ଅନୁଯାୟୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ରାଜ୍ୟ ପର୍ଯ୍ୟଟନ ବିଭାଗ,ରେଲୱେ କ୍ୟାଟରିଙ୍ଗ ଏବଂ ଟୁରୁଜିମ୍ କର୍ପୋରେସନର ସହଯୋଗରେ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନାରେ ସବୁ ଧର୍ମର ବରିଷ୍ଠ ନାଗରିକମାନଙ୍କ ପାଇଁ ପ୍ରଯୁଜ୍ୟ ରହିଛି । ଏହି ଯୋଜନାରେ ୬୦ବର୍ଷରୁ ଉର୍ଦ୍ଧ ଏବଂ ୭୫ବର୍ଷରୁ କମ ତଥା ସେ ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ଏହି ଯୋଜନାରେ ସେ କେବଳ ଥରେ ମାତ୍ର ନିଜ ଜୀବନ କାଳ ମଧ୍ୟରେ ତୀର୍ଥଯାତ୍ରା କରିପାରିବେ । ସେହିପରି ପର୍ଯ୍ୟଟନ ବିଭାଗ ତରଫରୁ ବିଗତ ଆର୍ଥିକ ବର୍ଷ ୨୦୧୬-୧୭ରେ ୫ କୋଟି ,୨୦୧୭-୧୮ରେ ସାଢେ ୬କୋଟି ଏବଂ ଚଳିତ ଆର୍ଥିକ ବର୍ଷ ପାଇଁ ଏହି ନିମନ୍ତେ ୧୧କୋଟି ବ୍ୟୟ ବରାବରାଦ କରାଯାଇଛି ।

ସେହିପରି ଉକ୍ତ ୩ବର୍ଷରେ ତୀର୍ଥଯାତ୍ରା ଟ୍ରପ୍ ସଫଳତାର ସହିତ ଆୟୋଜନ ହୋଇଆସୁଥିବା ବେଳେ ବର୍ତମାନ ସୁଦ୍ଧା ଏହି ତୀର୍ଥଯାତ୍ରା ମାଧ୍ୟମରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଳାରୁ ପାଖାପାଖି ୧୧ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ସୁଫଳ ପାଇଛନ୍ତି । ରାମେଶ୍ୱରମ, ମଦୁରାଇ, ଆଲ୍ଳାବାଦ, ବାରଣାସି, ଋଶିକେଶ, ହରିଦ୍ୱାର, ଆଜମେର, ପୁଷ୍କର, ତିରୁପତି, ଭେଲୋର, ଶ୍ରୀକଳାହସ୍ତି, ଶିରିଡି, ନାସିକ, ଆଗ୍ରା, ତ୍ରୟୋମ୍ବକେଶ୍ୱର, ଫତେପୁରସିକ୍ରି, ମଥୁରା, ଭେଲେନକାନୀ, ତାଜୋଂର, କଲିକତା ଓ କାମକ୍ଷା ଭଳି ତୀର୍ଥସ୍ଥାନଗୁଡିକର ଭ୍ରମଣ କରାଯାଉଛି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.