ଜାୱାଦ ଦିଗ ବଦଳାଇ ତୀବ୍ର ଅବପାତ ଭାବେ ଓଡ଼ିଶା ଆଡ଼କୁ ମୁହାଁଇ ପାରେ -ମୃତ୍ୟୁଞ୍ଜୟ ମହାପାତ୍ର

ନୂଆଦିଲ୍ଲୀ, (କାଦମ୍ବିନୀ ପତ୍ରୀ): ସାମୁଦ୍ରିକ ବାତ୍ୟା ‘ଜୱାଦ୍‌’ ଆଉ ବାତ୍ୟା ହୋଇ ନାହିଁ। ଏହା ଦୁର୍ବଳତର ହେବା ସହ ଦିଗ ପରିବର୍ତ୍ତନ କରିବା ଆରମ୍ଭ କରିଥିବା କଥା ଭାରତୀୟ ପାଣିପାଗ ସଂସ୍ଥାନର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ବିଶାଖାପାଟଣା ଠାରୁ ୨୩୦ କିଲୋମିଟର ଦୂର ଦକ୍ଷିଣ ଦିଗରେ ରହିଛି। ସକାଳେ ଦିଗ ପରିବର୍ତ୍ତନ କରି ଏହା ଉତ୍ତର ଦିଗକୁ ଗତି କରୁଛି। ୧୨ ଘଣ୍ଟା ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳରେ ଆଗାମୀକାଲି ମଧ୍ୟାହ୍ନ ବେଳକୁ ପୁରୀ ପାଖାପାଖି ସମୁଦ୍ରରେ ପହଞ୍ଚିବ। ଏହାର ପ୍ରଭାବ ଯୋଗୁଁ ଆଜି ସବୁଠୁ ଅଧିକ ବର୍ଷା ଲାଗି ରହିବ।ଆଗାମୀକାଲି ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୫୦ ରୁ ୬୦ ଓ କେବେ କେମିତି ଘଣ୍ଟାପ୍ରତି ୭୦ କିଲୋମିଟର୍‌ ବେଗରେ ଆଗାମୀକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ପବନ ପ୍ରବାହିତ ହେବ। ଦିଗ ପରିବର୍ତ୍ତନ କରୁଥିବାରୁ ‘ଜୱାଦ୍‌’ର ବେଗ ହ୍ରାସ ପାଇଛି। ଏହାଛଡ଼ା, ବାୟୁମଣ୍ଡଳର ପ୍ରକ୍ରିୟା ଯୋଗୁଁ ମଧ୍ୟ ଏହାର ଗତିବେଗ ହ୍ରାସ ପାଇଥିବା ଅନୁମାନ କରାଯାଉଛି। ସେ ଯାହାହେଉ, ଏହା ଆଉ ବାତ୍ୟା ଭାବେ ଆସିବାର ସମ୍ଭାବନା ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.