ରେଳ ରହଣି ପାଇଁ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ ପଣ୍ଡାଙ୍କ ପାଖରେ ଅଭିଯୋଗ କଲେ ରୁପ୍ରାରୋଡବାସୀ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାର ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ରୁପ୍ରାରୋଡରେ ଟ୍ରେନ ରହଣୀ ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି । ପୂର୍ବରୁ ଏହି ଷ୍ଟେସନରେ ଟ୍ରେନ ରହୁଥିବା ବେଳେ କୋଭିଡ ସମୟରୁ ଏଠାରେ ଟ୍ରେନ ରହଣୀ ବନ୍ଦ ରହିଛି । ତେବେ କୋଭିଡ କଟକଣା କୋହଳ ହେବାପରେ ମଧ୍ୟ ଏଠାରେ ଟ୍ରେନ ରହୁନଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରୁପ୍ରାରୋଡରେ ଟ୍ରେନ ରହଣୀ ନେଇ ଅଞ୍ଚଳବାସୀ ଅନେକଥର ସ୍ଥାନୀୟ ସାଂସଦ, କେନ୍ଦ୍ର ରେଳମନ୍ତ୍ରୀ ଓ ଉପରିସ୍ଥ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନାହିଁ । ରୁପ୍ରାରୋଡରେ ଟ୍ରେନ ରହୁନଥିବାରୁ ଲୋକେ କେସିଙ୍ଗା ଷ୍ଟେସନ ଉପରେ ନିର୍ଭର କରୁଛନ୍ତି, ତେବେ ଚାରିଚକିଆ ଗାଡ଼ି ଭଡା ବାବଦକୁ ୧୨ଶହରୁ ଆରମ୍ଭ କରି ୧୫ଶହ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡୁଛି । ବିଶେଷ କରି ମେଡିକାଲ ଓ ଅନ୍ୟାନ୍ୟ କାର୍ଯ୍ୟରେ ରୁପ୍ରାରୋଡରୁ ରାୟପୁର ଓ ବିଶାଖାପାଟଣା ଯିବାକୁ ଯାତ୍ରୀମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାର ପ୍ରତିକାର ପାଇଁ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ପାଖରେ ଅଭିଯୋଗ କରିଛନ୍ତି ରୁପ୍ରାରୋଡ ବାସିନ୍ଦା । ଆଜି କଳାହାଣ୍ଡି ଲୋକସଭା ସଂସଦ ବସନ୍ତ କୁମାର ପଣ୍ଡା ନର୍ଲା ବ୍ଲକ ଗସ୍ତରେ ଆସି ରୁପ୍ରାରୋଡଠାରେ ପହଞ୍ଚିଥିଲେ । ଏହି ଅବସରରେ ରୁପ୍ରାରୋଡର ସଚେତନ ନାଗରିକ ଶ୍ୟାମସୁନ୍ଦର ଶର୍ମା, ବିଜୟ ମହାନ୍ତି, ସୁରେନ୍ଦ୍ର ଅଗ୍ରୱାଲ, ମନୋଜ ମହାନ୍ତି, ଆଇନଜୀବି ସୁବାସ ଅଗ୍ରୱାଲ ପ୍ରମୁଖ ସାଂସଦ ଶ୍ରୀ ପଣ୍ଡାଙ୍କୁ ରୁପ୍ରାରୋଡରେ ଟ୍ରେନ ରହଣୀ କରାଇବା ପାଇଁ ନିବେଦନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.