ଫାଇଲ ତଳେ ଚାପି ହୋଇଯାଇଛି ନର୍ଲା କଲ୍ୟାଣ ମଣ୍ଡପ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ଗୁଡିକ ପ୍ରଣୟନ ହେଉଛି । ଏଥି ମଧ୍ୟରୁ ପଥିକ ମାନଙ୍କ ବିଶ୍ରାମ ନିମନ୍ତେ ପଥପ୍ରାନ୍ତ ବିଶ୍ରାମ ଗୃହ, ସେହିଭଳି ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଓ ଜନସାଧାରଣଙ୍କ କଲ୍ୟାଣ ନିମନ୍ତେ କଲ୍ୟାଣ ମଣ୍ଡପ ନିର୍ମାଣ । ବାସ୍ତବରେ କେବଳ ସହରାଞ୍ଚଳ ବୋଲି ନୁହଁ ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ କଲ୍ୟାଣ ମଣ୍ଡପର ଅତ୍ୟାବଶ୍ୟକ ହୋଇ ପଡିଲାଣି । ଏବେ ରାଜ୍ୟର ବିଭିନ୍ନ ସହର ଗୁଡିକରେ ବିଜୁ କଲ୍ୟାଣ ମଣ୍ଡପ ଗୁଡିକ ନିର୍ମିତ ହେବା ଫଳରେ ବିବାହ, ବ୍ରତ, ଭୋଜି ତଥା ବିଭିନ୍ନ ସଂଗଠନ ଗୁଡିକର ମିଟିଂ ସବୁ ମଧ୍ୟ ଏଇଠି ଖୁବ୍ ସୁନ୍ଦର ଭାବରେ ଅନୁଷ୍ଠିତ ହୋଇ ପାରୁଛି । ରାଜ୍ୟ ସରକାରଙ୍କ ତରଫରୁ ପ୍ରତି ବ୍ଲକ୍ ହେଡକ୍ୱାଟର୍ସ ଅଞ୍ଚଳରେ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ୩୫,୦୦,୦୦୦ ଟଙ୍କା ଓ ଗ୍ରାମ ପଞ୍ଚାୟତ ଅଞ୍ଚଳ ଗୁଡିକରେ ୧୦,୦୦,୦୦୦ ଟଙ୍କା ରହିଛି । ଏହି କ୍ରମରେ ରାଜ୍ୟର ଅନେକ ବ୍ଲକରେ ନିର୍ମିତ ହୋଇଛି ବିଜୁ କଲ୍ୟାଣ ମଣ୍ଡପ । ରାଜ୍ୟ କାହିଁକି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ପଡୋଶୀ ବ୍ଲକ ମ.ରାମପୁର, କର୍ଲାମୁଣ୍ଡା, କେସିଙ୍ଗା ସବୁରେ ରାଜ୍ୟ ସରକାରଙ୍କ ତରଫରୁ ୩୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅତି ସୁନ୍ଦର ଭାବରେ ନିର୍ମିତ ହୋଇଛି କଲ୍ୟାଣ ମଣ୍ଡପ ଗୁଡିକ । ହେଲେ ଏହାର ଘୋର ବ୍ୟତିକ୍ରମ ଦେଖା ଦେଇଛି ନର୍ଲା ବ୍ଲକରେ । ୨୦୧୭/୧୮ ରେ ଆସି ନର୍ଲା ବ୍ଲକରେ ପଡି ରହିଥିବା ୩୫ ଲକ୍ଷ ଟଙ୍କାର ଏହି ଅନୁଦାନ ପ୍ରତି କେହି ଗୁରୁତ୍ୱ ଦେଲେନି । ନର୍ଲାରେ ଜାଗା ମିଳୁନି ବୋଲି ଦାଇତ୍ୱରେ ରହିଥିବା ଯନ୍ତ୍ରି ମହୋଦୟ ଜଣକ କହି ଚାଲିଲେ । ୨୦୧୯ ରେ ନର୍ଲା ବିଧାୟକ ଭାବରେ ଭୁପିନ୍ଦର ସିଂ ନିର୍ବାଚିତ ହୋଇ ଆସିଲେ । ସେ ମଧ୍ୟ ନର୍ଲା ସରପଞ୍ଚଙ୍କ ସହ କଲ୍ୟାଣ ମଣ୍ଡପ ନେଇ ଆଲୋଚନା କଲେ । ହେଲେ ପରବର୍ତ୍ତି ପର୍ଯ୍ୟାୟରେ ଭୁଲିଗଲେ କଲ୍ୟାଣ ମଣ୍ଡପ ନିର୍ମାଣ ପ୍ରସଙ୍ଗ । ଦୀର୍ଘ ୫ ବର୍ଷ ହୋଇଗଲା ଫାଇଲ ତଳେ ଚାପି ହୋଇ ରହିଯାଇଛି ନର୍ଲା କଲ୍ୟାଣ ମଣ୍ଡପ ପ୍ରସଙ୍ଗ । କଲ୍ୟାଣ ମଣ୍ଡପ ନିମନ୍ତେ ମାତ୍ର ୧୦ ଡିସିମିଲ ଜାଗା ଦରକାର ହେଉଥିବା ବେଳେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ କଲ୍ୟାଣ ମଣ୍ଡପ ନିର୍ମାଣ ପ୍ରତି ଦରଦ ଦେଖାଇ ଗତ ମାସରେ ନର୍ଲା ଆରଆଇଙ୍କ ସହ ଆଲୋଚନା କରି ନର୍ଲା ତହସିଲ ଅଫିସ ପଛପଟେ ଆରଡି ଅଫିସ ପାଶ୍ୱର୍ରେ ୩୨ ଡିସିମିଲ ଜାଗା ଚିହ୍ନଟ କରି ବ୍ଲକ୍ ପ୍ରଶାସନଙ୍କୁ ସ୍କେଚ୍ ମ୍ୟାପ ପ୍ରଦାନ କରିଛନ୍ତି । ଏବଂ ଶୀଘ୍ର ପଦକ୍ଷେପ ନେବାପାଇଁ ଅନୁରୋଧ କରିବା ପରେ ମଧ୍ୟ ଏଥିପ୍ରତି ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ଆଗ୍ରହ ପ୍ରକାଶ କରୁନଥିବାରୁ ଶ୍ରୀ ନାଏକ କ୍ଷୋଭ ବ୍ୟକ୍ତ କରିଛନ୍ତି । ଏ ନେଇ ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠୀଙ୍କ ମତାମତ ନେବାରୁ ସେ କହିଲେ ଯାହା ତ ବିଲମ୍ବ ହୋଇ ସାରିଛି । ଆଉ ବିଳମ୍ବ ହେବାର ପ୍ରଶ୍ନ ଉଠୁନି । ମାର୍ଚ୍ଚରୁ ଲେ ଆଉଟ ଦେଇ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ଶ୍ରୀ ତ୍ରିପାଠୀ କହିଛନ୍ତି । ଏନେଇ ଦାୟିତ୍ୱରେ ରହିଥିବା ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣାଙ୍କ ମତାମତ ନେବାରୁ ସେ କହିଲେ ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବାର କିଛିଦିନ ପୂର୍ବରୁ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରୀୟା ସରିଲା । ଏହାବାଦ ତହସିଲ ଅଫିସ ପଛପଟେ କଲ୍ୟାଣ ମଣ୍ଡପ ନିର୍ମାଣ ନେଇ ୩୦ ଡ଼ିସିମିଲ ଜାଗା ଚିହ୍ନଟ ହୋଇଛି । ସେଇଠିକି ଯିବାପାଇଁ ରାସ୍ତା ସଂକୀର୍ଣ୍ଣ ରହିଛି । କଲ୍ୟାଣ ମଣ୍ଡପ ନିର୍ମାଣ ହେଲେ ପାର୍କିଂ ପାଇଁ ଜାଗା ନଥିଲା । ଉକ୍ତ ଜାଗା ପାଖରେ ଆଉ ୧୨ ଡ଼ିସିମିଲ ସରକାରୀ ଜାଗା ଖଣ୍ଡେ ନର୍ଲା ତହସିଲଦାରଙ୍କ ସହାୟତାରେ ମିଳିଛି । ଏହି ଜାଗା ମିଶାଇଲେ ଆଉ ପାର୍କିଂଗ କିମ୍ବା ରାସ୍ତା ସମସ୍ୟା ରହିବ ନାହିଁ । ଏସବୁ ସମସ୍ୟା ପାଇଁ କଲ୍ୟାଣ ମଣ୍ଡପ ନିର୍ମାଣରେ ବିଳମ୍ବ ହୋଇଛି । ମାର୍ଚ୍ଚ ପ୍ରଥମ ସପ୍ତାହରେ କାମ ଆରମ୍ଭ ହୋଇଯିବ ବୋଲି ସହକାରୀ ଯନ୍ତ୍ରୀ ଶ୍ରୀ ମହାରଣା ମତବ୍ୟକ୍ତ କରିଛନ୍ତି । ହେଲେ ଏଇଠି ପ୍ରଶ୍ନ ଉଠୁଛି କାହିଁକି ପାଞ୍ଚବର୍ଷ ଧରି ପଡିରହିଲା କଲ୍ୟାଣ ମଣ୍ଡପ ନିର୍ମାଣ ଉଦ୍ଦେଶ୍ୟରେ ଆସିଥିବା ଫଣ୍ଡ? ଏଥିପାଇଁ ଦାୟୀ କିଏ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.