ଧ୍ୱଂସାଭୀମୁଖି ଶିବଡୁଙ୍ଗୁରୀ : ରେଳବାଇ ଠିକାଦାରଙ୍କ ବେଆଇନ ଖନନ, ପ୍ରଶାସନର ଅଙ୍କୁଶ ନାହିଁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ୧୫/୨୦ ବର୍ଷ ପୂର୍ବରୁ ଘନ ଜଙ୍ଗଲରେ ଭରପୁର ରହିଥିଲା । କାଠ ମାଫିଆ ଓ ଜଙ୍ଗଲ ବିଭାଗ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକା ଯୋଗୁଁ ହଜାର ହଜାର ସଂଖ୍ୟାରେ କାଠ କାଟି ଜଙ୍ଗଲ ପଦା କରିବାରେ ଲାଗିଲେ କାଠ ମାଫିଆ ମାନେ । ଫଳ ସ୍ୱରୁପ ସ୍ୱଳ୍ପ ବର୍ଷା ଯୋଗୁଁ ବାରମ୍ବାର ମରୁଡିର କଷାଘାତକୁ ସମ୍ମୁଖିନ କରୁଛନ୍ତି ନର୍ଲା ଚାଷୀକୂଳ । ଇଏ ତ ଗଲା କାଠ ମାଫିଆ କଥା । ଏବେ ନର୍ଲାର ପ୍ରାକୃତିକ ପରିବେଶ ପ୍ରତି ବିପଦ ସାଜିଛନ୍ତି ରେଳବାଇ ଓ ରୋଡ କଣ୍ଟ୍ରାକ୍ଟର ମାନେ । ରାସ୍ତା କଡରେ ରହିଥିବା ଜଙ୍ଗଲ ଜମି ଓ ଗୋଚର, ପତ୍ରା ଜମିରୁ ରେଳବାଇ ଟ୍ରାକ୍ ଓ ରାସ୍ତାରେ ମାଟି, ମୁରୁମ୍ ଫିଲିଙ୍ଗ୍ କରିବା ପାଇଁ ସଂରକ୍ଷିତ ଜଙ୍ଗଲକୁ ମଧ୍ୟ ଛାଡୁ ନାହାନ୍ତି କଣ୍ଟ୍ରାକ୍ଟର ମାନେ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ର ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବାଙ୍କେଲର ଶିବ ଡୁଙ୍ଗୁରିର ଚତୁଃପାର୍ଶ୍ଵ ଖୋଳି ରେଳବାଇ କଣ୍ଟ୍ରାକ୍ଟର ଏହି ପ୍ରାକୃତିକ କ୍ଷୁଦ୍ର ପାହାଡଟିକୁ ଧ୍ୱଂସ କରିଦେଇଛି କହିଲେ ଅତ୍ୟୁକ୍ତି ହେବନାହିଁ । ନର୍ଲାଦେଇ ବିଶାଖାପାଟନମ୍ ରୁ ରାୟପୁର ଓ ସମ୍ବଲପୁର ଯାଇଥିବା ଇଷ୍ଟକୋଷ୍ଟ ରେଳବାଇ ର ତୃତୀୟ ରେଳ ଲାଇନ କାମ ପ୍ରାୟ ସରିଯାଇଛି । ଆଉ ତୃତୀୟ ରେଳ ଲାଇନ ନିମନ୍ତେ ଲାଞ୍ଜିଗଡରୋଡ ଷ୍ଟେସ ରୁ ନର୍ଲାରୋଡ ରେଳ ଷ୍ଟେସନ ମଧ୍ୟରେ ରେଳ ଲାଇନ ଟ୍ରାକ୍ ନିର୍ମାଣ ପାଇଁ ଦରକାର ପଡୁଥିବା ହଜାର ହଜାର ଟ୍ରକ୍ ଟ୍ରିପ୍ ସଂଖ୍ୟକ ମାଟି ଓ ମୁରୁମ୍ ଏହି ଶିବ ଡୁଙ୍ଗୁରିର ଚତୁଃପାଶ୍ୱର୍ରୁ ଖୋଳି ପାହାଡଟିକୁ ନଷ୍ଟ କରିଦେଲେ ସଂପୃକ୍ତ ଠିକାଦାର । ଆନ୍ଧ୍ରରୁ ଆସି କାମ କରୁଥିବା ରେଳବାଇ କଣ୍ଟ୍ରାକ୍ଟର ଜଙ୍ଗଲ ବିଭାଗ ଅଧିକାରୀ ମାନଙ୍କୁ ହାତଗୁଞ୍ଜା ଦେଇ କରାୟତ କରି ଅନାୟସରେ ନିଜ ସ୍ୱାର୍ଥ ସାଧନ କରିବାରେ ସଫଳ ହେଲେ । ଏହି ଦୁଇଟି ଷ୍ଟେସନ ମଧ୍ୟରେ ନୂତନ ଟ୍ରାକ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ହଜାର ହଜାର ଟ୍ରିପ ମାଟି ଖୋଳି ନେଇ ୧୪ କି.ମି. ଦୀର୍ଘ ଟ୍ରାକ କାମରେ ଲଗେଇଲେ କଣ୍ଟ୍ରାକ୍ଟର । ତୃତୀୟ ରେଳ ଲାଇନ ଟ୍ରାକ୍ କାମ ପାଇଁ ଶିବ ଡୁଙ୍ଗୁରୀ ଦୁଇ ପାଶ୍ୱର୍ରୁ ୩୦ ପ୍ରତିଶତ ମାଟି ଓ ମୋରମ ଖୋଳି ପ୍ରାକୃତିକ ସମ୍ପଦକୁ ଧ୍ୱଂସ ଆଡକୁ ଠେଲି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଆଉ ଗୋଟିଏ ଦୁଇ ବର୍ଷ ମଧ୍ୟରେ ଚତୁର୍ଥ ରେଳ ଲାଇନ କାମ ହେବ । ପୁଣି ଠିକାଦାର ମାନେ ପ୍ରାକୃତିକ ପରିବେଶ ଉପରେ ଦାଉ ସାଧିବେ । ନା ଅନୁମତି ନା ରୋୟାଲଟି ? ଆଖିବୁଜା ପ୍ରାକୃତିକ ସମ୍ପଦ ନଷ୍ଟ କରିଚାଲିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ, ତହସିଲଦାର କିମ୍ବା ଜଙ୍ଗଲ ବିଭାଗର ଦୃଷ୍ଟି ପଡୁନି ଆନ୍ଧ୍ରରୁ ଆସିଥିବା ରେଳବାଇ ଠିକାଦାରଙ୍କ ଏହି ବେଆଇନ ମାଟି ଓ ମୁରୁମ ଖନନ ପ୍ରତି । ଏହାକୁ ନେଇ ନର୍ଲା ଅଞ୍ଚଳରେ ଧିରେ ଧିରେ ଅସନ୍ତୋଷ ବଢିବାରେ ଲାଗିଛି । ୩୯ ବର୍ଗ ହେକ୍ଟର ଜମି ବିଶିଷ୍ଟ ପ୍ରାକୃତିକ ପଦାର୍ଥରେ ଭରପୁର ଏହି ଶିବ ଡୁଙ୍ଗୁରୀରୁ ଯଦି ଏହି ପରିମାଣରେ ରିତିମତ ମାଟି, ମୋରମ ଖୋଳିବା ପ୍ରକ୍ରୀୟା ଜାରି ରହେ ତାହେଲେ ପ୍ରାକୃତିକ ପରିବେଷ୍ଟନୀ ଯୁକ୍ତ ୩ ଲକ୍ଷ ବର୍ଷ ପୁରୁଣା ଶିବ ଡୁଙ୍ଗୁରୀ ଯେ ନିଶ୍ଚିହ୍ନ ହୋଇ ଯିବ ଏଥିରେ ତିଳେହେଲେ ସନ୍ଦେହ ନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ, ତହସିଲଦାର, ନର୍ଲା ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.