ପାଣି ପାଇଁ ଯମ ଦଣ୍ଡ

ଜବା ଗାଁରେ ବଞ୍ଚିବାର ରାହା ଦେଖାଇଛି ଝରଣା ପାଣି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାର ଶୁଦ୍ଧ ପାନୀୟ ଜଳକୁ ମୌଳିକ ଅଧିକାରର ପରିସରଭୁକ୍ତ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ପାନୀୟ ଜଳ ଏଯାଏଁ ସ୍ଵପ୍ନ ହୋଇ ରହିଯାଇଛି । ଗ୍ରୀଷ୍ମତାପ ଯେତେ ବଢିଚାଲିଛି ସେହି ଅନୁପାତରେ ଲାଞ୍ଜିଗଡ ବ୍ଲକର ଉପାନ୍ତ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ସେତେ ଉତ୍କଟ ହେବାରେ ଲାଗିଛି । ଏହି ବ୍ଲକରେ ଏମିତିବି ଗାଁ ରହିଛି ଯେଉଁଠି ଏବେ ବି କିଛି ଆଦିବାସୀ ପରିବାର ଝରଣା ପାଣିକୁ ହିଁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି । ଏମିତି ଏକ ଗାଁ ହେଉଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକର ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜବା ଗାଁ । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଜବା ଗାଁ ଲୋକେ ଝରଣା ଜଳରେ ହିଁ ଶୋଷ ମେଣ୍ଟାଉଛନ୍ତି । ଏହି ଗାଁରେ ୪୫ଗୋଟି ପରିବାର ବସବାସ କରୁଥିବା ବେଳେ ୧୯୯୨ ମସିହାରେ ଏକ ନଳକୂପ ସରକାର ଯୋଗାଇ ଦେଇଥିଲେ । ଯାହା ଖୋଳାଯିବାର ମାସେ ପରେ ଖରାପ ହେଲା ଯେ ଏଯାଏ ତାର ମରାମତି କଥା କେହି ଚିନ୍ତା କରିନାହାନ୍ତି । ଫଳରେ ଲୋକେ ତାଙ୍କ ଚିରାଚରିତ ଜଙ୍ଗଲ ମଧ୍ୟରେ ଥିବା ଝରଣା ଉପରେ ବର୍ଷ ସାରା ନିର୍ଭର କରୁଛନ୍ତି । ଝରଣା ପାଣିରେ ହିଁ ଲୋକେ ସ୍ନାନ, ଶୌଚ କରୁଥିବା ବେଳେ ସେହି ପାଣିକୁ ହିଁ ପିଉଛନ୍ତି । ଝରଣାର ଦୂଷିତ ପାଣି ସେମାନଙ୍କୁ ମରଣ ମୁହଁକୁ ନେଇଯାଉଥିଲେ ହେଁ ସେମାନେ ବାଧ୍ୟ ହୋଇ ଏହାକୁ ବ୍ୟବହାର କରୁଛନ୍ତି । ପ୍ରତିଦିନ ଗାଁରେ ୩୦ରୁ ଅଧିକ ଆଦିବାସୀ ମହିଳା ମାଠିଆ, ଗରିଆ ଧରି ନିକଟସ୍ଥ ଜଙ୍ଗଲ ଯାଇ ଝରଣାରୁ ପାଣି ସଂଗ୍ରହ କରିଥାନ୍ତି । ଏହା ହେଉଛି ଏମାନଙ୍କ ପାଇଁ ନିତିଦିନିଆ ଜୀବନଯାତ୍ରା । ଏପଟେ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗଇଦେବା ପାଇଁ ସରକାର ବିଭିନ୍ନ ପାଣି ପ୍ରକଳ୍ପ ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରୁଛନ୍ତି । ହେଲେ ବିଭାଗୀୟ ଉଦାସୀନତା ଯୋଗୁଁ ତାହା ପୂରଣ ହୋଇ ପାରୁନାହିଁ । ପୁଣି ବଢିବ ଚାତି, ଶୁଖିବାକୁ ବସିଲାଣି ଜଳସ୍ରୋତ, ପାନୀୟ ଜଳ କଷ୍ଟ ଭୋଗୁଛନ୍ତି ଉପାନ୍ତ ଅଞ୍ଚଳବାସୀ । ତେବେ ଏ ସମ୍ପର୍କରେ ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରୁ ଜବା ଗାଁ ସରପଞ୍ଚ ଯମୁନା ମାଝୀଙ୍କ ନିଜ ଗାଁ ତାଙ୍କ ପାୱାର ଅଛି ସେ ନିଜ ଗାଁରେ ନଳକୂପ ଖୋଲିପାରିବେ ବୋଲି କହିଥିବା ବେଳେ ଲାଞ୍ଜି ସରପଞ୍ଚ ଯମୁନା ମାଝୀ ପଚାରିବାରୁ ତାଙ୍କୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସହଯୋଗ କରୁନଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ତୁ ତୁ ମେ ମେ ନ ହୋଇ ଗାଁରେ ବିଶୁଦ୍ଧ ପାନୀୟ ଜଳ ଲୋକେ କେମିତି ପାଇବେ ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ ରହିଛି ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ଆଗକୁ ଆସୁଥିବା ଉତ୍କଟ ଜଳସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ବ୍ଲକ ପ୍ରଶାସନ ଆବଶ୍ୟକ ପଦକ୍ଷେପନେବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.