✍🏾 ରଞ୍ଜିତ କୁମାର ସାହୁ
ଜରାଜୀର୍ଣ୍ଣ ଏକ ଅଟ୍ଟାଳିକା ମଧ୍ୟେ,
ଅଚଳ ଏକ ଶରୀରକୁ ନେଇ,
ଜୀବନ ଥାଇକି ମୃତ୍ୟୁର ପଥକୁ,
ଚାହିଁ ରହେ ସେ ରାତି ରାତି ଚେଇଁ ।
କର୍ମରେ କରିଛି ସିଏ ଅବହେଳା-
ଅଥବା ଧର୍ମର ଅବମାନନା ?
କି ଲାଗି ଦେଇଛି ବିଧାତା ସେ ଦଣ୍ଡ,
‘ନର ଶରୀରରେ ମର ଯାତନା’?
ପ୍ରତି ମୁହୁର୍ତ୍ତରେ ଅନ୍ତର୍ମୁଖୀ ହୋଇ,
ନିଜର ଅତୀତ ବିଦାରୁ ଥାଏ,
ମିଛ ମାୟା ଭରା ସଂସାର ବନ୍ଧନ,
ନିଜ ହୃଦୟରୁ ଫୋଫାଡ଼ି ଯାଏ I
ସେହି ପରେ ଢ଼ଳେ ପ୍ରତିଦିନ ସଞ୍ଜ-
ଅପରିବର୍ତ୍ତିତ ତା’ ପରିସ୍ଥିତି;
ଫରକ କରେନା ସ୍ୱର୍ଗ କି ନର୍କର,
‘ଅବସ୍ଥିତି ଅବା ଅନୁପସ୍ଥିତି ‘!
ବ୍ୟାଧି ବାର୍ଦ୍ଧକ୍ୟରେ ସରେ କି ଜୀବନ?
ଯୌବନର ଗଲେ ଫଗୁଣ ସରି?
ବୁଦ୍ଧତ୍ୱର ପଥ କେଉଁଠି ଆରମ୍ଭ?
ଜନ୍ମ ଚକ୍ରରୁ ପାରିବ କି ତରି?