୬ ଦଫା ପୁରଣ ଦାବୀରେ ଗୋଲାମୁଣ୍ଡା ତହସିଲ ଅଫିସ ଘେରାଉ କଲା ଯୁବ କଂଗ୍ରେସ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକର ସମସ୍ୟା ଉପରେ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ତରଫରୁ ତହସିଲ ଅଫିସ ଘେରାଉ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି ।କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ୱରେ ଆଜି ଗୋଲାମୁଣ୍ଡା ମହାଭାରତ ପଡିଆରୁ ଏକ ବିଶାଳ ର‌୍ୟାଲି ବାହାରି ତହସିଲ ଅଫିସ ଘେରାଉ କରି ୬ ଦଫା ଦାବୀ ତୁରନ୍ତ ପୁରଣ କରିବା ନେଇ ଗର୍ଜନ କରିଛି ଯୁବ କଂଗ୍ରେସ । ୬ ଦଫା ଦାବୀ ମଧ୍ୟରେ ଗୋଲାମୁଣ୍ଡା ବ୍ଲକର ଚାଷୀମାନଙ୍କୁ ତୁରନ୍ତ ଶସ୍ୟ ବୀମା ରାଶି ଟଙ୍କା ପ୍ରଦାନ ସହ ମରୁଡି ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ । ଜଙ୍ଗଲ ଜମି ପଟାରେ ବନ୍ଧା ଯାଇଥିବା ଫସଲ ବୀମା ଗ୍ରହଣ କରି ତୁରନ୍ତ ଫସଲ ବୀମା ପ୍ରଦାନ ସହିତ ମରୁଡି ସହାୟତା ପ୍ରଦାନ କରାଯାଉ । ଗୋଲାମୁଣ୍ଡା ସ୍ଥିତ ବୈଜଲପୁର, ସୁକୁନୀମୁଣ୍ଡା ଠାରେ ବେନିୟମ ଭାବରେ ଗଢି ଉଠିଥିବା କ୍ରସରକୁ ତୁରନ୍ତ ବନ୍ଦ କରାଯାଉ । ଗୋଲାମୁଣ୍ଡା ବ୍ଲକର ସମସ୍ତ ଗ୍ରାମର ଭୂମିହୀନମାନଙ୍କୁ ତୁରନ୍ତ ୪ ଡିସମିଲ ପଟ୍ଟା ପ୍ରଦାନ ପ୍ରଦାନ କରାଯାଉ । ଗୋଲାମୁଣ୍ଡା, ମାନଝରୀ, ବୃନ୍ଦାବାହାଲ, ଧାମନପୁର ଓ ଚିଲଗାଁ ଡୋକରିପଡାକୁ ତୁରନ୍ତ ସେଟେଲାଇଟ ମାଧ୍ୟମରେ ଭୂ ବନ୍ଦୋବସ୍ତ କରି ପଟ୍ଟା ପ୍ରଦାନ କରାଯାଉ । ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏହି ୬ ଦଫା ଦାବୀପତ୍ର ଗୋଲାମୁଣ୍ଡା ତହସିଲଦାର ସର୍ବେଶ୍ୱର ଜାଲଙ୍କୁ ପ୍ରଦାନ କରାଯାଇଥିଲା । ଅପରପକ୍ଷରେ ଉକ୍ତ ୬ ଦାବୀ ଉପରେ ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ବହୁ କମ ଦିନ ମଧ୍ୟରେ ଏହି ଦାବୀ ସବୁ ପୁରଣ କରିବା ସହିତ ଆସନ୍ତା ତିନି ମାସ ମଧ୍ୟରେ ଭୂ ବନ୍ଦୋବସ୍ତ କରାଯାଇ ପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲଦାର ଶ୍ରୀ ଜାଲ ପ୍ରତିଶ୍ରୁତି ଦେଇଥିଲେ । ଯୁବ କଂଗ୍ରେସ ସଭାପତି ଶ୍ରୀ ମଙ୍ଗରାଜଙ୍କ ଆହ୍ୱାନରେ ଆଜିର କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ଯୁବ କଂଗ୍ରେସ ସଭାପତି ଲମ୍ବୁଧର ଜାଲ, ଧର୍ମଗଡ଼ ବ୍ଲକ ଯୁବ କଂଗ୍ରେସ ସଭାପତି ଡାକେଶ୍ୱର ଲହଜଲ, ଜୁନାଗଡ଼ ଏନଏସି କଂଗ୍ରେସ ସଭାପତି କୁମୁଦ ଗହୀର, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଅନିଲ କୁମାର ମଲ୍ଲିକ, ଧର୍ମଗଡ଼ ଛାତ୍ର କଂଗ୍ରେସ ସଭାପତି ଓମ ଦୀପ,ଯୁବ ନେତା ଆକାଶ ସୁନାନୀ, ହରିଶଙ୍କର ନିଆଲଙ୍କ ସମେତ ଶତାଧିକ ସଂଖ୍ୟାରେ ଯୁବ କଂଗ୍ରେସ କର୍ମୀ ଓ ଚାଷୀମାନେ ତହସିଲଠାରେ ଏକଜୁଟ ହୋଇ ଏହି ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.