ଓଡ଼ିଆ ବାର୍ତ୍ତା/ ଜୁନାଗଡ (ଖିରସିନ୍ଧୁ ବାଣୁଆ): ଜୁନାଗଡ ବ୍ଲକ ଭଇଁରିଗୁଡ଼ା ଗ୍ରାମ ପଞ୍ଚାୟତର ଖଜୁରୀ ବନ୍ଧ ଆଦର୍ଶ ପୋଖରୀ ନିର୍ମାଣ କାର୍ଯ୍ୟରେ ନିମ୍ନମାନର କାର୍ଯ୍ୟ ସହ ଅର୍ଥର ଦୁରୁପଯୋଗ ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ସମାଜସେବୀ ଦେବରାଜ ବାଣୁଆଙ୍କ ନେତୃତ୍ୱରେ ୨୦ ମାର୍ଚ୍ଚ ୨୦୨୨ ଦିନ କଳାହାଣ୍ଡି ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଅନୁରୋଧ କରାଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳ ୨୮ ମାର୍ଚ୍ଚ ୨୦୨୨ରେ ତଦନ୍ତ ଭାର ପିଡିଡିଆରଡିଏଙ୍କୁ ଦେଇଥିଲେ। ପିଡିଡିଆରଡିଏ ଜୁନାଗଡ ବିଡ଼ିଓଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ନିରପେକ୍ଷ ତଦନ୍ତ ହୋଇ ନଥିବା ଅଭିଯୋଗରେ ଆଜି ଭଇଁରିଗୁଡା ଗ୍ରାମବାସୀ ଜୁନାଗଡ଼ ବିଡ଼ିଓଙ୍କୁ ଘେରିବା ସହ ପୁନର୍ବାର ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି। ଏହି ସମୟରେ ବାବୁଲି ବାଣୁଆ, ରୁପେଶ ବାଣୁଆ, ନିର୍ଭୟ ବଣୁଆ, ସାଧୁରାମ ମାଝୀ, ଖିରସିନ୍ଧୁ ବାଣୁଆ, ଅନୁପ ନାଏକ ଓ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।