ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ବାମୀ ଆରପାରିକୁ ଯିବାର ୧୦ ବର୍ଷରୁ ଉର୍ଦ୍ଧ୍ବ ହୋଇଗଲାଣି କିନ୍ତୁ ବିଧବା ମହିଳା ସାବିତ୍ରୀ ବିଶୋଇ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ଅଛନ୍ତି। ଆଖିର ଲୁହ, ପେଟର ଭୋକ, ହୃଦୟର ଅସହ୍ୟ ବେଦନା ଓ ଦାରିଦ୍ର୍ୟର କଷାଘାତରେ ୩ ଶିଶୁଙ୍କୁ ନେଇ ଚାଲିଛି ଜୀବନ ଯାତ୍ରା । ଆମେ କହୁଛୁ ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ପଞ୍ଚାୟତର ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ପ୍ରଧାନୀ ପଡାର ସ୍ବର୍ଗତ ଅଭିମନ୍ୟୁ ବିଶୋଇଙ୍କ ବିଧବା ସ୍ତ୍ରୀ ସାବିତ୍ରୀ (୫୦)ଙ୍କକଥା । ୧୦ ବର୍ଷ ତଳେ ସ୍ବାମୀଙ୍କୁ ହରାଇ ପୁରା ଭାଙ୍ଗି ପଡିଛନ୍ତି ସବିତ୍ରୀ । ଏପଟେ ୫ଟି ଶିଶୁ ପୁତ୍ରଙ୍କ କରୁଣ ମୁହଁ। ସେମାନଙ୍କ ମୁହଁରେ ଆହାର ଦେବାକୁ ସବିତ୍ରୀ ଅନ୍ୟ ଘରେ ବାସନ କୁସନ ମାଜୁଛନ୍ତି। ସ୍ବାମୀଙ୍କ ସଞ୍ଚିତ କିମ୍ବା ସ୍ଥାବର ଆସ୍ଥାବର ସମ୍ପତ୍ତି କିଛି ନଥିଲା। ଆହା ସାହା ହେବାକୁ ମଧ୍ୟ କେହି ନାହିଁ। ମାଟି, ଝାଟି ଘରେ ତିନି ଶିଶୁଙ୍କୁ ନେଇ ପଡି ରହିଥିବା ଅସହାୟ ସବିତ୍ରୀଙ୍କ ପରିବାର ଉପରେ କେଉଁ ସମୟରେ ଭଙ୍ଗା ଘରଟି ଗଳି ପଡିବ ତାହା କହିହେବ ନାହିଁ । ପର ଘରେ ଯାଇ କାମଦାମ କରି ଯାହା ପାଆନ୍ତି ସେଥିରେ କଷ୍ଟେ ମଷ୍ଟେ ଚଳିଯାଆନ୍ତି। ସମୟ ସମୟରେ ଭୋକରେ ବି ରହିବାକୁ ହୁଏ। ସାବିତ୍ରୀଙ୍କ ୩ ସନ୍ତାନ ମଧ୍ୟରେ ବଡ଼ ପୁଅ ମୃତ୍ୟୁଞ୍ଜୟ ବିଶୋୟୀ, ମିଥୁନ ବିଶୋୟୀ ଓ ଅଜିତ ବିଶୋୟୀ ଏମାନେ ସମସ୍ତେ ନାବାଳକ। ଏମାନଙ୍କୁ ନେଇ ଚାଲିଛି ସବିତ୍ରୀଙ୍କ ସଂସାର । ତେବେ ସବୁଠାରୁ ପରିତାପର ବିଷୟ ହେଉଛି ତାଙ୍କୁ ପ୍ରଶାସନ ତରଫରୁ ଘର ଖଣ୍ଡେ ମିଳୁନାହିଁ। ଲାଞ୍ଜିଗଡ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ପଚାରିଲେ ତମର ଘର ପାଇଁ ଲିଷ୍ଟ ବ୍ଲକ ଅଫିସକୁ ପଠା ଯାଇଛି କହୁଛନ୍ତି। କିନ୍ତୁ ଆଜିକୁ ୧୦ ବର୍ଷ ହେଲା ପଞ୍ଚାୟତ କର୍ତ୍ତୃପକ୍ଷ ତାଙ୍କୁ ଠକି ଚାଲିଥିବା ସେ ପ୍ରକାଶ କରିଛନ୍ତି। ବାହାରୁ ଆସିଥିବା ଲୋକଙ୍କୁ କେମିତି ଏକ ବର୍ଷ ମଧ୍ୟରେ ଘର ମିଳି ଯାଉଛି କିନ୍ତୁ ମୋତେ କାହିଁକି ଘର ଖଣ୍ଡେ ଦିଆ ଯାଉନାହିଁ ବୋଲି ସେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଲାଞ୍ଜିଗଡ ସହର ପ୍ରଧାନୀ ପଡାରେ ଭାଗ୍ୟକୁ ଆଦରି ଭଙ୍ଗା କୁଡିଆରେ ତିନି ଶିଶୁଙ୍କୁ ନେଇ ବିତୁଛି ଏହି ଅସହାୟ ମହିଳାଙ୍କ ଦିନ। ଏଣୁ ସବିତ୍ରୀଙ୍କୁ ତୁରନ୍ତ ସରକାର ଆବାସ ଯୋଜନାରେ ଘର ଯୋଗାଇ ଦେବାପାଇଁ ଲାଞ୍ଜିଗଡ ଅଞ୍ଚଳବାସୀ ଦାବି କରିଛନ୍ତି।