ହାଇଲାଣ୍ଡ ଗ୍ରୁପ ଅଧ୍ୟକ୍ଷ ପ୍ରତୀକ ଜେନା ପାଇଲେ ସର୍ବୋତ୍ତମ ଯୁବ ଉଦ୍ୟୋଗୀ ସମ୍ମାନ-୨୦୨୨

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ହାଇଲାଣ୍ଡ ଗ୍ରୁପର ଅଧ୍ୟକ୍ଷ ପ୍ରତୀକ ଜେନା ଚଳିତ ବର୍ଷର ‘ସର୍ବୋତ୍ତମ ଯୁବ ଉଦ୍ୟୋଗୀ ସମ୍ମାନ’ରେ ସମ୍ମାନିତ ହୋଇଛନ୍ତି । ବୈଦ୍ୟୁତିକ ଗଣମାଧ୍ୟମ ନିୟୁଜ – ୧୮ ଓଡ଼ିଶା ପକ୍ଷରୁ ଭୁବନେଶ୍ୱରର ହୋଟେଲ ମେ ଫେୟାର ଠାରେ ଆୟୋଜିତ ଆତ୍ମନିର୍ଭର ଓଡି଼ଶା ‘ବିଜିନେସ୍ ଲିଡରସିପ୍ ଆୱାର୍ଡ – ୨୦୨୨’ କାର୍ଯ୍ୟକ୍ରମରେ ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସରକାରଙ୍କ ଶିଳ୍ପ ଓ ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦାନ କରି ଶ୍ରୀ ଜେନାଙ୍କୁ ଆୱାର୍ଡ ପ୍ରଦାନ କରିଥିଲେ । ଏଭଳି ସଫଳ ଉଦ୍ୟୋଗୀ ମାନେ ହିଁ ଆତ୍ମନିର୍ଭର ଓଡ଼ିଶା ନିର୍ମାଣ ବା ବିକାଶ କ୍ଷେତ୍ରରେ ପ୍ରମୁଖ ଭାଗୀଦାର ସାଜିବା ଫଳରେ ରାଜ୍ୟରେ କର୍ମ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରୁଛି ବୋଲି ମନ୍ତ୍ରୀ କହିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ହାଇଲାଣ୍ଡ ଆଗ୍ରୋ ଲିମିଟେଡ଼ର ମେନେଜିଂ ଡାଇରେକ୍ଟର ଶ୍ରୀ ଜେନା ୧୬ବର୍ଷ ବୟସରୁ ନିଜର ବ୍ୟବସାୟିକ କ୍ୟାରିଅର ଆରମ୍ଭ କରି ଏବେ ଦେଶର ଜଣେ ଜଣାଶୁଣା ଉଦ୍ୟୋଗୀ ପାଲଟିଛନ୍ତି । ଏତେ କମ ବୟସରେ ତାଙ୍କର ଏଭଳି ସଫଳତା ନିଶ୍ଚିତ ଭାବରେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବା ସହିତ ଓଡ଼ିଶା ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ହୋଇପାରିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀ ଜେନା ନିୟୁଜ – ୧୮ କୁ ଧନ୍ୟବାଦ ଦେଇଥିଲେ । ଏଥିସହ ସି-ଫୁଡ଼ ପ୍ରୋସେସିଂ ପ୍ଲାଣ୍ଟ ଓ ରପ୍ତାନି ଉଦ୍ୟୋଗ ମାଧ୍ୟମରେ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ପ୍ରାୟ ୩୦୦୦ରୁ ଅଧିକ ମହିଳାଙ୍କୁ କର୍ମସଂସ୍ଥାନ ଯୋଗାଇଦେବା ସହ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିପାରିଛନ୍ତି ଏବଂ ଦେଶର ମୁଦ୍ରା ଭଣ୍ଡାରରେ ବୈଦେଶିକ ମୁଦ୍ରାର ଅଭିବୃଦ୍ଧିରେ ସହାୟକ ହୋଇପାରିଛନ୍ତି ବୋଲି ସେ କହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.