ବୋଲେରୋ ଗାଡିରୁ ଜବତ ହେଲା ୩୦ପେଟି ବିୟର, ଜଣେ ଗିରଫ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବୋଲେରୋ ଗାଡିରେ ବେଆଇନ ଭାବେ ବିୟର ଚାଲାଣ କରୁଥିବା ବେଳେ ଟିକିରି ଥାନା ପୋଲିସ ଦ୍ୱାରା ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଉକ୍ତ ବୋଲେରୋ ଗାଡିରୁ ୩୦ପେଟି ବିୟର ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ୱାଇ.ମୋହନ ବାବୁ(୪୦) । ସେ ରାୟଗଡା ଟାଉନ ଥାନା ଅର୍ନ୍ତଗତ ଲକ୍ଷ୍ମୀନାରାୟଣ ସାହି ବାସିନ୍ଦା ବୋଲି ପୋଲିସ ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ଉଲ୍ଳେଖ ରହିଛି । ଏ ନେଇ ଟିକିରି ଥାନା ଅଧିକାରୀ ଦେବଦତ ମଲ୍ଳିକଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ତାଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତ୍ର ସମୟରେ ଟିକିରି ଥାନାର ଏ.ଏସ.ଆଇ.ଝାସକେତନ ସାହୁଙ୍କ ସମେତ କନେଷ୍ଟବଳ ଧୀରେନ୍ଦ୍ର ମହାପାତ୍ର, ମାଧବ ସାବତ ଏବଂ ବାଇଲୋଚନ ମିର୍ଦ୍ଧା ଟିକିରି ସହରାଂଚଳରେ ରାତ୍ର ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ରାୟଗଡା ପଟୁ ଏକ ବୋଲେରୋ (ଓଡି ୦୮ ବି-୮୮୮୮)ଗାଡି ଦ୍ରୁତ ଗତିରେ ସନ୍ଦେହଜନକ ଭାବେ ଟିକିରି ଅଭିମୁଖେ ଆସୁଥିଲା । ଦ୍ରୁତଗତିରେ ଆସୁଥିବା ଗାଡିକୁ ଅଟକାଇବାକୁ ପୋଲିସ ଚେଷ୍ଠା କରିଥିବା ବେଳେ ଗାଡିଟି ନ ଅଟକାଇ ଆଗକୁ ଚାଲି ଯାଉଥିଲା । ପରେ ପୋଲିସ ପେଟ୍ରୋଲିଂ ଗାଡି ଦ୍ରୁତଗତିରେ ଯାଉଥିବା ବୋଲେରୋକୁ ପଛରେ ଗୋଡାଇ ତୋଟାଗୁଡା ଛକ ନିକଟରେ ଅଟକାଇବାରେ ସଫଳ ହୋଇଥିଲା । ଗାଡି ଅଟକାଇ ଯାଂଚ କରିବା ସମୟରେ ଗାଡି ଭିତରେ ମଦ ପେଟି ଭରି ହୋଇ ରହିଥିବା ପୋଲିସ ଜାଣିବାକୁ ପାଇ ଥାନାକୁ ଆଣି ଅଟକ ରଖିଥିଲା । ବୋଲେରୋ ଗାଡି ମଧ୍ୟରୁ କିଙ୍ଗଫିସର ଏକ୍ସଟ୍ରା ଷ୍ଟ୍ରଙ୍ଗ ପ୍ରିମିୟମ ବିୟର ୩୦ପେଟି ଜବତ କରାଯାଇଥିଲା । ପ୍ରତ୍ୟେକ ପେଟିରେ ୨୪ଟି ଲେଖାଁଏ ହିସାବରେ ୭୨୦ଟି ବିୟର ବାେତଲ ରହିଥିବା ବେଳେ ସମୁଦାୟ ୩୬୦ଲିଟର ମଦ ଜବତ କରାଯାଇଥିଲା । ଏ ନେଇ ଟିକିିରି ଥାନାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବୋଲେରୋ ଗାଡି ସହ ବିୟର ପେଟିକୁ ଜବତ କରାଯାଇଥିବା ନେଇ ଟିକିରି ଥାନା ଅଧିକାରୀ ଶ୍ରୀ ମଲ୍ଳିକ ସୂଚନା ପ୍ରଦାନ କରିଛନ୍ତି । ତେବେ ଏତେ ପରିମାଣର ବିୟର କାହା ପାଇଁ ଅଣାଯାଉଥିଲା ସେ ନେଇ ତଦନ୍ତ ଜାରି ରହିଥିବା ଶ୍ରୀ ମଲ୍ଲିକ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.