ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ରାୟଗଡା ଗସ୍ତ

ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ସମୀକ୍ଷା ବୈଠକରେ ଦେଲେ ନିର୍ଦ୍ଦେଶ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡିଶା ସରକାରଙ୍କ ବିଜ୍ଞାନ ଓ କାରିଗରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ରାୟଗଡା ଜିଲ୍ଳାକୁ ଦିନିକିଆ ଗସ୍ତ କରି ନିଜ ବିଭାଗୀୟ କାର୍ଯ୍ୟଗୁଡିକର ଅଗ୍ରଗତି ଓ ପରିଚାଳନାକୁ ନେଇ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ସମୀକ୍ଷା କରିଛନ୍ତି । ରାୟଗଡା ଜିଲ୍ଳାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅନ୍ତର୍ଭୁକ୍ତ ଅନେକ ଯୋଜନାରେ ହିତାଧିକାରୀମାନେ ଉପକୃତ ହେଉଛନ୍ତି କି ନାହିଁ ଏବଂ ସମସ୍ତ ହିତାଧିକାରୀଙ୍କ ନିକଟରେ ସରକାରଙ୍କ ଯୋଜନା ପଂହଚାଇ ଦିଆଯାଉଛି କି ନାହିଁ ସେ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ସମେତ ଜିଲ୍ଳା ପ୍ରଶାସନିକ ଅଧିକାରୀମାନଙ୍କୁ ସମୀକ୍ଷା ବୈଠକରେ ପ୍ରଶ୍ନ କରିଥିଲେ ମନ୍ତ୍ରୀ ଶ୍ରୀ ପଣ୍ଡା ।

ବିଶେଷ କରି ବିଭାଗୀୟ ଅଧିନସ୍ଥ ସମସ୍ତ ସାମାଜିକ ସୁରକ୍ଷା ଭତା, ନିରାପତା ଭତା, ମଧୁବାବୁ ପେନସନ୍ ଯୋଜନା, ଦିବ୍ୟାଙ୍ଗକୁ କୃତ୍ରିମ ଅଙ୍ଗ ଉପକରଣ ପ୍ରଦାନ ବ୍ୟବସ୍ଥା, ବାଣିଶ୍ରୀ ବୃତି, ବିବାହ ପ୍ରୋତ୍ସାହନ ରାଶି, ଟ୍ରାନ୍ସଜେଣ୍ଡରଙ୍କ ଜୀବନ ଜିବିକାର ଉନ୍ନତି ପାଇଁ ସୀକୃତି ଯୋଜନା, ଜାତୀୟ ସାମାଜିକ ସୁରକ୍ଷା ଯୋଜନା ଆଦି ବିଭିନ୍ନ ଯୋଜନା ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ମନ୍ତ୍ରୀ ଶ୍ରୀ ପଣ୍ଡା ଆଲୋଚନା କରିଥିଲେ । ରାୟଗଡା ଜିଲ୍ଳାରେ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ୭୩,୮୬୪ଜଣ ହିତାଧିକାରୀ, ମଧୁବାବୁ ପେନସନ୍ ଯୋଜନାରେ ୭୨,୨୫୪ଜଣ ହିତାଧିକାରୀ ଉପକୃତ ହେଉଥିବା ବେଳେ ୟୁଡିଆଇଡି ସ୍କିମରେ ଭୀମଭୋଇ ଶିବିରଗୁଡିକ ବ୍ଳକସ୍ତରରେ ଚାଲିଥିବା ବେଳେ ବର୍ତମାନ ସୁଦ୍ଧା ୯୨୨୮ଟି ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ନେଇ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ସୁରେନ୍ଦ୍ର ଗମାଙ୍ଗ ବୈଠକରେ ଉପସ୍ଥାପନା କରିଥିଲେ । ବୈଠକରେ ଉପସ୍ଥିତ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ବୃଦ୍ଧବୃଦ୍ଧା ହିତାଧିକାରୀମାନେ ଭତା ପାଇବାରେ ଭୋଗୁଥିବା କିଛି ସମସ୍ୟାର ଆଲୋକପାତ କରିଥିଲେ । ଜିଲ୍ଳାର ଅନେକ ଦୁର୍ଗମ ଅଂଚଳରେ ନେଟୱାର୍କ ବ୍ୟବସ୍ଥା ନ ଥିବାରୁ ବରିଷ୍ଠ ନାଗରିକମାନେ ବାର୍ଦ୍ଧକ୍ୟ ଭତା ପାଇଁ ଆଖପାଖ ବ୍ୟାଙ୍କକୁ ଆସି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ବୈଠକରେ ଉପସ୍ଥିତ ଥିବା ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର ଦାସ ମନ୍ତ୍ରୀଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । ସେହିପରି ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ସାଇନ୍ସ ପାର୍କର ନିର୍ମାଣ ପାଇଁ ମନ୍ତ୍ରୀଙ୍କୁ ଅବଗତ କରାଇଥିବା ବେଳେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ପଡୋଶୀ ରାଜ୍ୟଗୁଡିକରେ ବାର୍ଦ୍ଧକ୍ୟ ଭତା ଅଧିକ ଥିବା ବେଳେ ଓଡିଶାରେ କମ ଥିବାରୁ ଏହାକୁ ୨ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ପ୍ରସ୍ତାବ ଦେଇଥିଲେ । ସମୀକ୍ଷା ବୈଠକରେ ସମସ୍ତ ବିଷୟରେ ଆଲୋଚନା କରି ମନ୍ତ୍ରୀ ବିଭାଗୀୟ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସମେତ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆୟୁକ୍ତ ତଥା ସଚିବ ଭାସ୍କରଜ୍ୟୋତି ଶର୍ମା, ଜିଲ୍ଳାପାଳ ସ୍ୱଧାଦେବ ସିଂ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା, ଉପଜିଲ୍ଳାପାଳ ଭୀମଶେନ ଶବର, ସିଡିଏମଓ ଡା.ଲାଲମୋହନ ରାଉତରାୟଙ୍କ ସମେତ ସମସ୍ତ ବ୍ଳକର ବିଡିଓ, ପୈାରାଚଂଳ ଓ ଏନଏସିର ନିର୍ବାହୀ ଅଧିକାରୀ, ରାୟଗଡା ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଗୁଣପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏଲ.ସନ୍ତୋଷ କୁମାର ଓ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ । ବୈଠକ ପରେ ମନ୍ତ୍ରୀ ଶ୍ରୀ ପଣ୍ଡା ଭାକୁରଗୁଡା ସ୍ଥିତ ନିର୍ମାଣଧୀନ ପ୍ଳାନେଟୋରିୟମ କେନ୍ଦ୍ରକୁ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତିକୁ ଅନୁଧ୍ୟାନ କରିଥିଲେ । ସେଠାରୁ ଫେରିବା ପରେ ମନ୍ତ୍ରୀ ହେଲିକେପ୍ଟର ଯୋଗେ ଭୁବନେଶ୍ୱର ଚାଲି ଯାଇଥିବା ବେଳେ ଆଜି ପୂର୍ବାହ୍ନରେ ଆଇନ ମନ୍ତ୍ରୀ ଶ୍ରୀ ସାରକାଙ୍କ ସହ ସାର୍କିଟ ହାଉସ ଠାରେ ଜିଲ୍ଳାର ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.