ଖୁବ ଶୀଘ୍ର ସାଇନ୍ସ ପାର୍କ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ -ମନ୍ତ୍ରୀ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦକ୍ଷିଣ ଓଡିଶାର ଅବିଭକ୍ତ କୋରାପୁଟ ଜିଲ୍ଳା ମଧ୍ୟରେ ଆଦିବାସୀ ବହୁଳ ରାୟଗଡା ଜିଲ୍ଳା ଏକ ବିକଶିତ ଜିଲ୍ଳା । ତେବେ ସ୍ୱତନ୍ତ୍ର ଜିଲ୍ଳା ଗଠନର ୩୦ବର୍ଷ ପୂର୍ତି ହେବାକୁ ଥିଲେ ମଧ୍ୟ ଆଜି ଯାଏଁ ଏହି ଜିଲ୍ଳାରେ ସରକାରଙ୍କ ତରଫରୁ ଏକ ସାଇନ୍ସ ପାର୍କ ନିର୍ମାଣ କରାଯାଇ ପାରିନାହିଁ । ଫଳରେ ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳାର ଅନେକ ଛାତ୍ରଛାତ୍ରୀ, ଆଗାମୀ ଯୁବପିଢୀଙ୍କ ସମେତ ଜନସାଧାରଣ ଆଜିର ଆଧୁନିକ ଯୁଗରେ ବିଜ୍ଞାନର କେତେ ଯେ ଆବଶ୍ୟକତା ତଥା ଉପାଦେୟତା ବିଷୟରେ ଅଭିଞ ରହୁଛନ୍ତି । ତେଣୁ ସାଇନ୍ସ ପାର୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ମକରନ୍ଦ ମୁଦୁଲି ଆଜି ଦିନିକିଆ ରାୟଗଡା ଗସ୍ତରେ ଆସିଥିବା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ସଚିବ ତଥା ରାୟଗଡା ଜିଲ୍ଳାର ପୂର୍ବତନ ଜିଲ୍ଳାପାଳ ଭାସ୍କର ଜ୍ୟୋତି ଶର୍ମାଙ୍କୁ ଭେଟି ଚିଠି ପ୍ରଦାନ କରି ରାୟଗଡା ଠାରେ ଏକ ସାଇନ୍ସ ପାର୍କ ନିର୍ମାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ଚିଠିରେ ଉଲ୍ଳେଖ କରିଛନ୍ତି । ବର୍ତମାନ ବିଜ୍ଞାନର ଯୁଗ । ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳାର ଅନେକ ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ହେବା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରାଥମିକତା ଦୃଷ୍ଟିରୁ ଜିଲ୍ଳାରେ କୈାଣସି ସାଇନ୍ସ ପାର୍କ ନ ଥିବାରୁ ସେମାନେ ଭବିଷ୍ୟତରେ ବୈଜ୍ଞାନିକର ଆଶାକୁ ମଉଳି ଦେଉଛନ୍ତି । ରାୟଗଡା ଠାରେ ସାଇନ୍ସ ପାର୍କ ନିମନ୍ତେ ଆବଶ୍ୟକୟୀୟ ଉପକରଣ ସହ ସମସ୍ତ ବ୍ୟବସ୍ଥା ଉପଲବ୍ଧ ହେଲେ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି ବିଧାୟକ ଶ୍ରୀ ମୁଦୁଲି ଚିଠିରେ ଉଲ୍ଳେଖ କରିଛନ୍ତି । ବିଧାୟକଙ୍କ ପ୍ରସ୍ତାବକୁ ଗ୍ରହଣ କରି ରାୟଗଡାର ଭାକୁରଗୁଡା ଠାରେ ନିର୍ମାଣ ହୋଇ ସାରିଥିବା ପ୍ଳାଟେନୋରିୟମ୍ ନିକଟରେ ଥିବା ସରକାରୀ ଜାଗାରେ ସାଇନ୍ସ ପାର୍କ ନିର୍ମାଣ ପାଇଁ ପ୍ରଶାସନ ସହ କଥାବାର୍ତ୍ତା ହୋଇଥିବା ବେଳେ ଉକ୍ତ ସ୍ଥାନକୁ ଚୟନ ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ନେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ।