କଳସଯାତ୍ରା ସହିତ ଆରମ୍ଭ ହେଲା କେଗାଁ ଶ୍ୟାମାକାଳୀ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁଠାରେ ପ୍ରସିଦ୍ଧ ଶ୍ୟାମାକାଳୀ ପୂଜା ଆଜି ଠାରୁ ଆରମ୍ଭ ହୋଇଯାଇଛି । ଏହିପାଇଁ ଚଳଚଞ୍ଚଳ ହୋଇ ଉଠିଛି କେଗାଁ । ଆଜି ସକାଳ ସମୟରେ ବର୍ଣାଢ୍ୟ ପରିବେଶ ମଧ୍ୟରେ ସ୍ଥାନୀୟ ଉଦନ୍ତି ନଦୀରୁ ପୂଜାର୍ଚ୍ଚନା ପରେ କଳସଯାତ୍ରା ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପ ନିକଟକୁ ପହଞ୍ଚି ଥିଲା । ପାରମ୍ପରିକ ବାଜା ସହିତ ଘଂଟା ଦଳ ମୁଖ୍ୟ ଆକର୍ଷଣ ସାଜିଥିଲା । ଆଜିଠାରୁ ପୂଜା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ପୂଜା ଚାଲିବ ଓ ୨୮ ତାରିଖ ଦିନ ଭଷାଣି ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ସୂତ୍ରରୁ ପ୍ରକାଶ ।


ଚଳିତ ବର୍ଷ ଏହି ପୂଜା କମିଟିର ସଭାପତି ଭାବେ ସୁବାଷ ଚନ୍ଦ୍ର ଅଗ୍ରୱାଲ, ଉପସଭାପତି ନବ ପୁଟେଲ, ସମ୍ପାଦକ ରମେଶ ଅଗ୍ରୱାଲ,ସହ ସମ୍ପାଦକ ରଜତ ପୁଟେଲ ଓ କୋଷାଧ୍ୟକ୍ଷ ଭାବେ ସୁଶାନ୍ତ କୁମାର ଦଳେଇଙ୍କୁ ସର୍ବସମ୍ମତି କ୍ରମେ ବଛା ଯାଇଛି । କର୍ତ୍ତା ଭାବେ ବେଣୁଧର ପୁଟେଲ ଓ ତାଙ୍କ ଧର୍ମପତ୍ନୀ ହେମକାନ୍ତି ପୁଟେଲ ତଥା ପୂଜକ ଭାବେ ତପନ କୁମାର ପଣ୍ଡା ଦାୟିତ୍ୱ ନିର୍ବାହ କରୁଛନ୍ତି । କେଗାଁ ଶ୍ୟାମାକାଳୀ ପୂଜା ଜିଲ୍ଲାର ସର୍ବପୁରାତନ ହୋଇଥିବା ବେଳେ ଚଳିତ ବର୍ଷ ପୂଜା ୫୫ ବର୍ଷରେ ପଦାର୍ପଣ କରିଛି । ସର୍ବପୁରାତନ ପୂଜା ହୋଇଥିବାରୁ ପୂଜା ଦେଖିବାକୁ ଅନେକ ଲୋକଙ୍କ ସମାଗମ ହୋଇଥାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.