ଶ୍ରୀରାମଙ୍କ ରାଜ୍ୟାଭିଷେକ ସହ ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଶ୍ରୀରାମ ଚରିତ ମାନସ କଥାମୃତ ଉଦଜାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭଗବାନ ଶ୍ରୀରାମ ଦୁଷ୍ଟ ଦଳନ ସନ୍ଥ ପାଳନ ସହ ସଂସାରକୁ ନିତି ଶିକ୍ଷା ପ୍ରଦାନ କରିବାପାଇଁ ଅବତାର ଗ୍ରହଣ କରିଛନ୍ତି । ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ତାଙ୍କ ମାନବୀୟ ଲିଳାର ଛତ୍ରେ ଛତ୍ରେ ଆଦର୍ଶ ସ୍ଥାପନ କରି ଯାଇଛନ୍ତି । ପିତୃ ସତ୍ୟ ପାଳନ କରିବା ପାଇଁ ସେ ଧର୍ମପତ୍ନୀ ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହ ଚଉଦ ବର୍ଷ ବନବାସ ଆଦରି ନେଇଥିଲେ । ଏହି ସମୟରେ ସେ ଅନେକ ଅସୁରଙ୍କୁ ନିପାତ କରିଛନ୍ତି । ଛପନ ଗଣ୍ଡା ଯୁଗ ଭୋଗ ପାଇଁଁ ବରପ୍ରାପ୍ତ ହୋଇଥିବା ଦଶାନନ ରାବଣର ଅତ୍ୟାଚାରରେ ତ୍ରିଭୁବନବାସୀ ତ୍ରାହି ତ୍ରାହି ଡାକୁଥିବା ବେଳେ ଭଗବାନ ଶ୍ରୀରାମ ତାକୁ ବିନାଶ କରି ଜାନକୀଙ୍କୁ ଉଦ୍ଧାର କରିଛନ୍ତି । ଏହାରି ଭିତରେ ଅନେକ ପ୍ରସଙ୍ଗ ଆସିଛି । ଶେଷରେ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ଏକ ଭବ୍ୟ ସମାରୋହ ମଧ୍ୟରେ ଶ୍ରୀରାମଙ୍କ ରାଜ୍ୟାଭିଷେକ ହୋଇଛି । ତ୍ରେତୟା ଯୁଗର ସେହି ପାବନ ଚରିତକୁ ବିଭିନ୍ନ ପ୍ରସଙ୍ଗ, ଭଜନ ଜଣାଣ, ଶ୍ଲୋକ ଓ ଉପଲକ୍ଷ ଦେଇ ପରିବେଷଣ କରିଛନ୍ତି ଓଡ଼ିଶାର ବିଶିଷ୍ଟ କଥାବାଚକ ଆଶିର୍ବାଦଜୀ ମହାରାଜ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସପ୍ତାହ ବ୍ୟାପୀ ଚାଲିଥିବା ଶ୍ରୀରାମ ଚରିତ ମାନସ କଥାମୃତ ସମାପନ ହୋଇଯାଇଛି । ଏହି ଅବସରରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

ଆଜି ସପ୍ତମ ତଥା ଅନ୍ତିମ ଦିବସରେ ‘ଶ୍ରୀରାମଙ୍କ ରାଜ୍ୟାଭିଷେକ’ ପ୍ରସଙ୍ଗ ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି  ଆଶିର୍ବାଦଜୀ ମହାରାଜ । ଏହି କାର୍ଯ୍ୟକ୍ରମର କର୍ତ୍ତା ଭାବେ ଶ୍ୟାମସୁନ୍ଦର ଶର୍ମା ଓ ତାଙ୍କ ଧର୍ମପତ୍ନୀ ସାବିତ୍ରୀ ଶର୍ମା ଦାଇତ୍ୱ ନିର୍ବାହ କରୁଥିବା ବେଳେ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସହଯୋଗ କରିଥିଲେ ।

ନଭେମ୍ବର ୩ ପ୍ରଥମ ଦିନରେ ଶିବ ପାର୍ବତୀ ସମ୍ବାଦ, ୪ ତାରିଖ ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମୋତ୍ସବ, ୫ ତାରିଖ ତୃତୀୟ ଦିବସରେ ଶ୍ରୀରାମ ଜାନକୀ ବିବାହ, ନଭେମ୍ବର ୬ ଚତୁର୍ଥ ଦିବସରେ ଶ୍ରୀରାମଙ୍କ ବନବାସ, ୭ ତାରିଖ ପଞ୍ଚମ ଦିବସରେ କୈବର୍ତ୍ତ ପ୍ରସଙ୍ଗ, ୮ ତାରିଖ ଷଷ୍ଠ ଦିବସରେ ସୁନ୍ଦର କାଣ୍ଡ, ଏବଂ ଆଜି ନଭେମ୍ବର ୯ ଶେଷ ଦିବସରେ ଶ୍ରୀରାମ ଚନ୍ଦ୍ରଙ୍କ ରାଜ୍ୟାଭିଷେକ ଭକ୍ତଙ୍କୁ ପ୍ରବଚନ ମାଧ୍ୟମରେ ଶୁଣାଇଥିଲେ କଥାବାଚକ ଆଶିର୍ବାଦଜୀ ମହାରାଜ ।


ଏଠାରେ ପ୍ରକାଶଯୋଗ୍ୟ ଯେ, ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତଃ ଡ଼ଃ ସାଧୁ ରାମ ଅଗ୍ରୱାଲଙ୍କ ସମୟରୁ ମନ୍ଦିରରେ ଶ୍ରୀଜୀଉ ମାନଙ୍କ ବିଭିନ୍ନ ପର୍ବପର୍ବାଣି ପାଳିତ ହେବାସହ ଏପରି ଆଧ୍ୟାତ୍ମିକ ପ୍ରବଚନ ଆୟୋଜିତ ହୋଇ ଆସୁଛି । ଡ଼ଃ ଅଗ୍ରୱାଲଙ୍କ ଦେହାନ୍ତ ପରେ ମଧ୍ୟ ତାଙ୍କ ପୁତ୍ର ସୁନୀଲ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ସୁମିତ ଅଗ୍ରୱାଲ ଓ ଜଗନ୍ନାଥ ମନ୍ଦିର କମିଟି ସହଯୋଗରେ ଏହି ଧାରା ବଜାୟ ରହିଛି ।


ଏବର୍ଷ ଓଡ଼ିଶାର ପ୍ରଶିଦ୍ଧ ପ୍ରବଚକ ତଥା ଆଧ୍ୟାତ୍ମିକ ଗୁରୁ ବାବା ବଳିଆଙ୍କ ସୁଶିଷ୍ୟ ଆଶିର୍ବାଦଜୀ ମହାରାଜଙ୍କ ଦ୍ୱାରା ପରିବେଷିତ ହୋଇଛି ପରମ ପବିତ୍ର ରାମ କଥା । ପ୍ରବଚନ ଶୁଣିବା ପାଇଁ ରୁପ୍ରାରୋଡ ସମେତ ବଲବସପୁର, ବୁଢିପଦର, ଅର୍ଜୁନ ଗାଁ, ଚିଆଁପଦର, ସରିଆଁ, ଦେଣ୍ଡୋଗୁଡା, ରାକ୍ସି, ଗୋଖରା, ଫତକାବାହିଲି, ବରଗାଁ, ଲାଖପଦର, ଲାଖଗୁଡା, ଦେଣ୍ଡୋରୋବାହାଲି, ମାଣ୍ଡେଲ, ଅସୁରଗଡ, ବିଲାଟ, ଦହଲ, ନର୍ଲା, ଭିମକେଲା ଆଦି ବିଭିନ୍ନ ଗ୍ରାମର ଶ୍ରଦ୍ଧାଳୁମାନଙ୍କ ସହ କେସିଙ୍ଗା, ଭବାନୀପାଟଣା, କଣ୍ଟାବାଞ୍ଜି, ସଇଁତଲା ଓ ବିଭିନ୍ନ ସହରର ଜନତା ସମବେତ ହୋଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପ୍ରଦୀପ ଅଗ୍ରୱାଲ, ପ୍ରଶାନ୍ତ ବେହେରା, ବବୃବାହାନ ବାରିକ, ପଓ୍ବନ ଶର୍ମା (କାଲୁ), ରତନ ଅଗ୍ରୱାଲ, ଜଗମୋହନ ରୋହିଳାଙ୍କ ସମେତ ସମସ୍ତ ସଦସ୍ଯ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.