ଖେରସାନ ସହରରୁ ସେନା ପ୍ରତ୍ୟାହାର କଲେ ପୁଟିନ

ଓଡ଼ିଆ ବାର୍ତ୍ତା/ ମସ୍କୋ: ଆଠ ମାସ ହେଲା ଋଷ- ୟୁକ୍ରେନ ଯୁଦ୍ଧ ଚାଲିଛି । ତେବେ ଆଜିର ବଡ଼ ସୂଚନା ହେଉଛି ଯୁଦ୍ଧ ବୋଧହୁଏ ଶେଷ ଆଡକୁ ଯାଉଛି  । କାରଣ ପୁଟିନଙ୍କ ସେନା ଯୁଦ୍ଧରେ ଜିତିଥିବା ଅଂଚଳରୁ ପଛକୁ ହଟିବାକୁ ନିର୍ଦେଶ ଜାରି କରିଛି । ଏହାର କାରଣ ଥଣ୍ଡା ବୋଲି ଚର୍ଚା ହେଉଥିବା ବେଳେ ଦ୍ବିତୀୟ କାରଣ ହେଉଛି ୟୁକ୍ରେନ ସେନାର ଘନଘନ ଆକ୍ରମଣ  । ୟୁକ୍ରେନ ସେନା ଜୋରଦାର ଆକ୍ରମଣ କରୁଥିବାରୁ ଋଷ ସେନାକୁ ପଛକୁ ହଟିବାକୁ ପଡୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି । ୟୁକ୍ରେନର ବୃହତ୍ତମ ସହର ଖେରସାନରୁ ସୈନ୍ୟ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି ଋଷ । ଋଷ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ ନିଜେ ଏହି ସୂଚନା ଦେଇଥିବାରୁ ଏହାକୁ ନେଇ ବିଶ୍ବସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ଦକ୍ଷିଣ ୟୁକ୍ରେନର ଖେରସନ ସହରରୁ ସୈନ୍ୟମାନଙ୍କୁ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେବାକୁ ପୁଟିନଙ୍କ ଦୁର୍ବଳତା ଧରାଯାଉଛି। ୟୁକ୍ରେନର ଚାରୋଟି ପ୍ରଦେଶ ମଧ୍ୟରୁ ଖେରସାନ ଅଞ୍ଚଳ ହେଉଛି ସେହି ଅଂଚଳ ଯେଉଁଠାରେ  ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବେଆଇନ ଭାବେ ଦଖଲ କରିଥିଲେ ଏବଂ ପରେ ସେଠାରେ ମାର୍ଶଲ ଆଇନ ଲାଗୁ କରିଥିଲେ। ତେବେ ୟୁକ୍ରେନରେ ଏବେ ପ୍ରବଳ ଶୀତ ହେଉଛି । ଏହି ଶୀତ ସମୟରେ ଯୁଦ୍ଧ କରିବାକୁ ଚାହୁଁନାହାଁନ୍ତି ଋଷ ସେନା । ଯାହା କି ୟୁକ୍ରେନ ସେନାକୁ ସୁହାଉଛି । ଋଷ ସେନାର ଶିବିର ଉପରକୁ ଘନ ଘନ ଆକ୍ରମଣ କରୁଥିବାରୁ ଋଷ ସୈନ୍ୟମାନେ ଛତ୍ରଭଙ୍ଗ ଦେଉଥିବା କୁହାଯାଉଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.