ଦୁଷ୍କର୍ମ ପୀଡ଼ିତା ପରିବାରଙ୍କୁ ଭେଟିଲେ ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ କର୍ମକର୍ତ୍ତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜଣେ ବିବାହିତ ତଥା ତିନିପିଲାର ବାପା ଜଣେ ଦଳିତ ସଂପ୍ରଦାୟର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଘଟଣାରେ ଦୁଇମାସ ବିତିଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପୀଡ଼ିତାଙ୍କ ପରିବାର ପୁଲିସର ଦ୍ବାରସ୍ତ ହୋଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ପୁଲିସ ନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ନା ଅଭିଯୁକ୍ତକୁ ଗିରଫ କରିପାରିଛି । ପୁଲିସର କାର୍ଯ୍ୟଶୈଳୀକୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ଛତିକୁଡ଼ା ଗାଁରେ ଘଟିଥିବା ଏଇ ଘଟଣା ପୁଲିସ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସବୁ ଅଭିଯୋଗ ଭିତରେ ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଏକ ତିନିଜଣିଆ ପ୍ରତିନିଧି ଦଳ ଛତିକୁଡ଼ା ଗସ୍ତ କରିବା ସହିତ ପୀଡ଼ିତା ପରିବାରଙ୍କ ସହିତ ଆଲୋଚନା କରିଛନ୍ତି । ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ, କାର୍ଯ୍ୟକାରୀ ସଭାନେତ୍ରୀ ଏସ୍. ସୁଜାତା, ସଦସ୍ୟ ସୁଶୀଲ କୁମାର ବାଗଙ୍କୁ ନେଇ ଗଠିତ ତିନିଜଣିଆ ପ୍ରତିନିଧି ଦଳ ଆଜି ଛତିକୁଡ଼ା ଯିବା ସହିତ ପୀଡ଼ିତା ଓ ତାଙ୍କ ପରିବାରର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ଏଇ ଆଲୋଚନା ସମୟରେ କୁଞ୍ଜ ତାଣ୍ଡି, ତନୁ ଛତ୍ରିଆ, କବୀର ବାଗ, ଭୋଲେଶ୍ବର ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.