୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ସିନାପାଲିରେ ଭବ୍ଯ ଭୂମିପୂଜନ ଓ ଦେବଦମ୍ପତ୍ତି ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲିରେ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ଐତିହାସିକ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଏବଂ ସଂସ୍କାର ମହୋତ୍ସବ ଉପଲକ୍ଷେ ରବିବାର ସ୍ଥାନୀୟ ଯଜ୍ଞସ୍ଥଳରେ ଭବ୍ଯ ଭୂମିପୂଜନ ଓ ଦେବଦମ୍ପତ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଅଖିଳ ବିଶ୍ୱ ଗାୟତ୍ରୀ ପରିବାରଙ୍କ ତତ୍ୱାବଧାନ ଏବଂ ସିନାପାଲି ଗାୟତ୍ରୀ ଶକ୍ତିପୀଠର ପ୍ରତ୍ଯକ୍ଷ ନେତୃତ୍ୱରେ ଆୟୋଜିତ ଏହି ଆଧ୍ଯାତ୍ମିକ ସମାବେଶରେ ତିନି ହଜାର ଦମ୍ପତ୍ତିଙ୍କ ସମେତ ଓଡ଼ିଶା ଏବଂ ଛତିଶଗଡ଼ ଅଂଚଳରୁ ପ୍ରାୟ ୨୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଗାୟତ୍ରୀ ଯଜ୍ଞରେ ଏତେ ସଂଖ୍ଯାରେ ଦେବଦମ୍ପତ୍ତି ସମାବେଶ ହେବା ବିଶ୍ୱରେ ପ୍ରଥମ ବୋଲି ଗାୟତ୍ରୀ ପରିବାର ତରଫରୁ କୁହାଯାଇଛି । କାର୍ଯ୍ଯକ୍ରମରେ ଶାନ୍ତିକୁଞ୍ଜ ହରିଦ୍ୱାରର ଅର୍ନ୍ତରାଷ୍ଟ୍ରୀୟ କଥା ପ୍ରବଚକ ଶ୍ଯାମ ବିହାରୀ ଦୂବେ, ଓଡ଼ିଶା ପ୍ରଭାରୀ ଶେଷଦେବ ବଢ଼େଇ, ଦେବସଂସ୍କୃତି ବିଶ୍ୱବିଦ୍ଯାଳୟ ହରିଦ୍ୱାର ପ୍ରତିନିଧି ଖଗପତି ମେହେର ପ୍ରମୁଖ ଯୋଗ ଦେଇ ଭୂମିପୂଜନ କାର୍ଯ୍ଯ ବିଧି ଅନୁଯାୟୀ ସଂଚାଳନ କରିଥିଲେ । ବିଧି ଅନୁଯାୟୀ ପୂଜା ଆରଧାନା ପରେ ଯଜ୍ଞ ନିମନ୍ତେ ଭୂମିପୂଜନ କରାଯାଇଥିଲା । ଉପସ୍ଥିତ ଦେବଦମ୍ପତ୍ତି ସଫଳ ଜୀବନ ନିମନ୍ତେ ସଂକଳ୍ପ କରିଥିଲେ । କାଳାହାଣ୍ତି ସାଂସଦ ବସନ୍ତ ପଣ୍ତା, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସମେତ ଉପସ୍ଥିତ ମାନ୍ଯଗଣ୍ଯ ବ୍ଯକ୍ତିଗଣ ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ଏଭଲି ଭବ୍ଯ ମହାଯଜ୍ଞ ଏ ଅଂଚଳ ପାଇଁ ସୌଭାଗ୍ଯ ଓ ଗୌରବର ବିଷୟ ବୋଲି ଅବିହିତ କରିଥିଲେ । ଏଥିସହ ସଂସ୍କାରିତ ଦମ୍ପତ୍ତି ହିଁ ଏକ ସୁସ୍ଥ ସମାଜ ଗଠନର ମୂଳ ଆଧାର ବୋଲି ଏ ଅବସରରେ ଉପସ୍ଥିତ ଶାନ୍ତିକୁଞ୍ଜ ହରିଦ୍ୱାରର ପ୍ରଜ୍ଞାପୁରୁଷ ଏବଂ ଅତିଥି ମାନେ ମତ ବ୍ଯକ୍ତ କରିଥିଲେ । କାର୍ଯ୍ଯକ୍ରମର ପ୍ରାରମ୍ଭରେ ମହାଯଜ୍ଞ ସମିତିର ସଭାପତି ତରୁଣ କୁମାର ମେହେର ସମସ୍ତଙ୍କୁ ସ୍ବାଗତ କରି ସମ୍ମିଳନୀର ଆଭିମୁଖ୍ଯ ପ୍ରଦାନ କରିଥିଲେ । ଓଡ଼ିଶା ଯୁବ ପ୍ରକୋଷ୍ଠ ପ୍ରଭାରୀ ସନ୍ତୋଷ ଜେନା, ରବିଂଦ୍ର ଭାଇ, ସନ୍ତୋଷ ନାଏକ, କେଶବ ମେହେର ପ୍ରମୁଖଙ୍କ ଟୋଲି ସଂଗୀତ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ । ଭୂମିପୂଜନ ପରେ ସମସ୍ତଙ୍କ ପାଇଁ ଅନ୍ନପ୍ରସାଦ ବ୍ଯବସ୍ଥା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.