୨୫ ରୁ ଆରମ୍ଭ ହେବ ମଣ୍ଡି: ଧାନ ବିକିବା ପାଇଁ ସଜବାଜ ଚାଷୀ, କିଣିବା ପାଇଁ ପ୍ରସ୍ତୁତ ହେଉଛି ଆରଏମସି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାରେ ଆସନ୍ତା ନଭେମ୍ବର ୨୫ରୁ ସରକାର ଧାନ କିଣିବା ପାଇଁ ଦିନ ଧାର୍ଯ୍ୟ କରିସାରିଥିବା ବେଳେ ଜିଲ୍ଲାରେ ୯୮ ହଜାର ୩୩୭ ଜଣ ଚାଷୀଙ୍କ ନାମ ପଞ୍ଜିକୃତ ହୋଇଛି । ୭୪ ଗୋଟି ପ୍ୟାକ୍ସ ଜରିଆରେ ୧୭୫ ଗୋଟି କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ ବୋଲି ଜଣାପଡିଛି । ଏଥିପାଇଁ ୩୩ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ନିୟୋଜିତ କରାଯାଇଥିବା ଜଣାପଡିଛି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ରହିଥିବା ୭ ଗୋଟି ସମବାୟ ସମିତି ଜରିଆରେ ମଣ୍ଡି ଖୋଲିବା ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଆରଏମ୍ସି ତରଫରୁ ସମବାୟ ସମିତି ଜରିଆରେ ଚାଷୀଙ୍କ ଧାନ କିଣିବା ପାଇଁ ୭ ଗୋଟି ସମବାୟ ସମିତିରେ ୭ ଗୋଟି ଏବଂ ଉକ୍ତ ସମିତି ଗୁଡିକ ଅଧିନରେ ୧୦ ଗୋଟି ଉପମଣ୍ଡି ଖୋଲିବା ପାଇଁ ବ୍ୟାପକ ବ୍ୟବସ୍ଥା ଚାଲିଥିବା ବେଳେ ଅଞ୍ଚଳର ଚାଷୀ ମାନେ ମଧ୍ୟ ଧାନ ବିକିବା ପାଇଁ ବିଲରୁ ଧାନ ଆଣି ନିଜ ନିଜ ଖଳା ଓ ଗାଁ ଦାଣ୍ଡରେ ରହିଥିବା କଂକ୍ରୀଟ ରାସ୍ତା ଗୁଡିକରେ ସୁଖାଇବା ସହ ଧାନକୁ ସଫା ସୁତୁରା କରିବାରେ ଲାଗି ପଡିଥିବା ଦୃଶ୍ୟମାନ ହେଉଛି । ନର୍ଲା ବ୍ଲକ ଅଞ୍ଚଳରେ ଧାନ କିଣିବା ପାଇଁ ୧୭ ଗୋଟି କେନ୍ଦ୍ର ମଧ୍ୟରୁ ଭାନପୁର, ତୁଳାପଡା ଓ ଶାନ୍ତପୁରରେ ତିନିଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ନିୟୋଜିତ କରାଯାଇଥିବା ଜଣାପଡିଛି । କେବଳ ଚଳିତ ବର୍ଷ ବୋଲି ନୁହଁ । ଗତ ତିନିଗୋଟି ଖରିଫ ସିଜନରୁ ନର୍ଲା ବ୍ଲକ ଅଞ୍ଚଳରେ ଧାନ କିଣିବା ପାଇଁ ସରକାର ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିୟୋଜିତ କରାଯାଇ ଆସୁଛି । ଅଣ ଜଳସେଚିତ ନର୍ଲା ବ୍ଲକ୍ ଅଞ୍ଚଳରେ ଚଳିତ ବର୍ଷ ସମୟାନୁଯାୟୀ ବର୍ଷା ହୋଇଥିବା ଯୋଗୁଁ ନର୍ଲା ଅଞ୍ଚଳରେ ଧାନ ଭଲ ଅମଳ ହୋଇଥିବା ସର୍ଭେ ରିପୋର୍ଟରୁ ଜଣା ପଡିଛି । ପ୍ରବଳ ଭାବରେ ଧାନ ଫସଲ ହୋଇଥିବା ବେଳେ କୋହଲା ପାଗ ଓ ଲଘୁଚାପ ଜନିତ ଅସମୟରେ ବର୍ଷା ହେବା କାରଣରୁ ଚକଡା ଓ ମାଟିଆଗୁଣ୍ଡି ପୋକ ଭଳି ରୋଗପୋକ ଲାଗି ଅବଶ୍ୟ ଧାନ ଆଦାୟ ଟିକେ କମି ଯାଇପାରେ ବୋଲି ଚାଷୀମାନେ ମତବ୍ୟକ୍ତ କରୁଛନ୍ତି । ହେଲେ ସେ ଯାହା ବି ହେଉ ଚଳିିତ ବର୍ଷ ସର୍ବମୋଟରେ ଧାନ ଫସଲ ଭଲ ହୋଇଥିବା ଯୋଗୁଁ ଧାନ ଆଦାୟ ମଧ୍ୟ ଉତ୍ତମ ହୋଇଥିବା ଜଣା ପଡିଛି । ଅଞ୍ଚଲର ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଚାଷ ଜମିରୁ ଅଳ୍ପ ଓ ମଧ୍ୟମ ସମୟ ଅବଧିର ଧାନ ସବୁ କଟା ସରିଯାଇଥିବା ବେଳେ ଦୀର୍ଘ ସମୟ ଅବଧିର ଧାନ ଗୁଡିକ କାଟିବା ବାକି ରହିଛି । ଶ୍ରମିକ ସମସ୍ୟା ଯୋଗୁଁ ନର୍ଲା ଅଞ୍ଚଳର ୯୦ ପ୍ରତିସତ ଚାଷୀ ହାରଭେଷ୍ଟର ମେସିନ ଯୋଗେ ଧାନ କାଟୁଥିବା ଦେଖିବାକୁ ମିଳୁଛି । ଗତ ବର୍ଷ ହୀନ ବୃଷ୍ଟି କାରଣରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ପାଣି ଅଭାବରୁ ଲୋକେ ବିଲରେ ଧାନ ରୋଇ ପାରି ନଥିଲେ । ଅନେକ ଉତ୍କୃଷ୍ଟ ଜମି ପଡିଆ ପଡିଥିବା ଦେଖିବାକୁ ମିଳିଥିଲା । ଗତ ବର୍ଷର ଭୟଙ୍କର ମରୁଡି ସ୍ଥିତିକୁ ଚାଷୀ ଏଯାଏଁ ଭୁଲି ପାରି ନାହାନ୍ତି । ଚଳିତ ବର୍ଷ ଧାନ ଚାଷ ଭଲ ହୋଇଥିବାରୁ ଚାଷୀ ମନରେ ଧାନ ବିକି ଭଲ ଦୁଇ ପଇସା ପାଇବ ବୋଲି ଆଶା ବାନ୍ଧି ବସିଛି । ମଣ୍ଡି ଆରମ୍ଭକୁ ଆଉ ମାତ୍ର ଅଳ୍ପଦିନ ବାକି ରହିଥିବା ବେଳେ ଧାନ ମଣ୍ଡିରେ ଦଲାଲଙ୍କ ରାଜୁତିକୁ ନେଇ ଆତଙ୍କିର ରହିଛନ୍ତି ଚାଷୀକୂଳ । ଏଥିପ୍ରତି ଚଳିତ ବର୍ଷ ସରକାର ଦୃଷ୍ଟିଦେଇ ମଣ୍ଡି ଗୁଡିକରେ ଦଲାଲ ରାଜ ବନ୍ଦ କରାଯାଉ ବୋଲି ନର୍ଲାର ଚାଷୀକୂଳ ଜିଲ୍ଲାପାଳଙ୍କ ନିକଟରେ ଦାବୀ ରଖିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.