ମାଣ୍ଡିଆ ଚାଷର କ୍ରପ୍ କଟିଙ୍ଗ ଓ କ୍ଷେତ୍ର ଦିବସ ଅନୁଷ୍ଠିତ

ଧାଡିଋଆ ମାଣ୍ଡିଆ ଚାଷରେ ସରକାର ହେକ୍ଟରକୁ ୩୨୦୦ ଟଙ୍କା ପରୋତ୍ସାହନ ରାଶି ଦେଉଛନ୍ତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସରକାରଙ୍କର କୃଷି ଉପରେ ବିଭିନ୍ନ ଯୋଜନା ଏବଂ ଉନ୍ନତ ଧରଣର କୃଷି ଯନ୍ତ୍ରପାତିର ଆବିସ୍କାର ଫଳରେ ଦିନକୁ ଦିନ ଚାଷରେ ଉନ୍ନତି ଆସିବା ସହ ଏକର ପ୍ରତି ଶସ୍ୟ ଉତ୍ପାଦନ ଆଶାତିତ ଭାବରେ ବୃଦ୍ଧି ପାଉଥିବା ବେଳେ, ସ୍ୱଦେଶୀ କିସମର ବିହନ ବିଲୁପ୍ତ ହେବାକୁ ଯାଉଛି । ଏହାରି ସ୍ଥାନରେ ହାଇବ୍ରିଡ (ଶଙ୍କର ଜାତୀୟ) ବିହନ ନିଜର ଆଧିପତ୍ୟ ଜମେଇ ଚାଷୀଙ୍କୁ ଏହି ଦିଗକୁ ଆକର୍ଷିତ କରୁଛି । ଫଳ ସ୍ୱରୁପ ପାରମ୍ପରିକ ଚାଷ ପ୍ରଣାଳୀରୁ ଏକେ ଚାଷୀ ଦୁରେଇ ଗଲେଣି । ଅତ୍ୟଧିକ ରାସାୟନିକ ସାରର ପ୍ରୟୋଗ ଫଳରେ ଧିରେଧିରେ ମାଟି ନିଜର ପ୍ରାକୃତିକ ଉର୍ବରତା ହରେଇ ଆସୁଛି । ଆଉ ବିନା ରାସାୟନିକ ସାର ଓ ହାଇବ୍ରିଡ ବିହନ ନହେଲେ ଚାଷୀ ପଙ୍ଗୁ ପାଲଟି ଯାଉଛି । ପୁଣିଥରେ ସ୍ୱଦେଶୀ ବିହନ ଓ ପାରମ୍ପରିକ ଚାଷ ପାଇଁ ସରକାର ଓ କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ଜାରି ରଖିଥିବା ଦେଖିବାକୁ ମିଳୁଛି । ଆଗରୁ ଅଞ୍ଚଳର ଚାଷୀ ଚାଷ କରି ଆସୁଥିବା ମାଣ୍ଡିଆ, ଗୁରଜୀ, କୋଶଳା, କାଙ୍ଗ୍, କରନୀ, କୁସୁନା ପ୍ରଭୃତି ଶସ୍ୟ ସବୁ ବିଲୁପ୍ତ ହେବାକୁ ଯାଉଥିବା ବେଳେ, କୃଷି ବିଭାଗର ସହଯୋଗ ରେ ନର୍ଲାରେ ଚାଷୀଙ୍କ ପାଇଁ କାର୍ଯ୍ୟରତ ସହଭାଗୀ ବିକାଶ ଅଭିଯାନ, ଭଳି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଣ୍ଟାଭିଡି ବାହାରିଛନ୍ତି ଏ ସବୁ ଚାଷକୁ ନେଇ ଚାଷୀଙ୍କୁ ଉତ୍ସାହିତତ କରିବାରେ । ଏଥିପାଇଁ ସରକାର ମଧ୍ୟ ଚାଷୀଙ୍କ ପାଇଁ ପରୋତ୍ସାହନ ରାଶିର ବ୍ୟବସ୍ଥା କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ପଲମ ଠାରେ ମଙ୍ଗଳବାର ସରକାରଙ୍କ ମିଲେଟ ମିଶନ ଯୋଜନାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନ ଦ୍ୱାରା ପ୍ରଦତ୍ତ ମାଣ୍ଡିଆ ବିହନର ଉକ୍ତ ଗ୍ରାମର ଚାଷୀ ପ୍ରେମାନନ୍ଦ ସାହୁଙ୍କ ମାଣ୍ଡିଆ ଚାଷର କ୍ରପ୍ କଟିଙ୍ଗ୍ କରାଯାଇଥିଲା । ଏହି ସ୍ୱେଚ୍ଛାସେବୀ ଅନୁଷ୍ଠାନର ନର୍ଲା ବ୍ଲକ୍ ସଂଯୋଜକ ସୁକାନ୍ତ କୁମାର ଚାନ୍ଦଙ୍କ ନେତୃତ୍ୱରେ ପଲମ ଗ୍ରାମ୍ୟ କୃଷି କର୍ମଚାରୀ ସୁନୀଲ ଭୋଇ, ଏମପିସିଏଲର ନିର୍ଦେଶକ ସୁବ୍ରତ ପଧାନ, ବ୍ଲକ୍ ସଂଯୋଜକ କ୍ଷିତିଶ ଚନ୍ଦ୍ର ନାଏକ, ସହଭାଗୀ ବିକାଶ ଅଭିଯାନର ସହ ସଂଯୋଜକ ଥବିର ସାହୁ, ସିଆରପି ରାଜେନ୍ଦ୍ର ଭୋଇ, ଥୟରାମ ଭୋଇ, ମଧୁସୂଦନ ମାଝୀ, ହରିହର ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ, କୃଷି ବିଭାଗ ତରଫରୁ ଗିଗିନା ଗ୍ରାମ୍ୟକୃଷି କର୍ମଚାରୀ  ଜ୍ୟୋତ୍ସ୍ନା ମହାପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରି ମାଣ୍ଡିଆ କ୍ରପ୍ କଟିଙ୍ଗର ହିସାବ କରିଥିଲେ । ୫ ମିଟର/୫ମିଟର୍ ମାଣ୍ଡିଆ ଚାଷ ଜମିରେ ମାଣ୍ଡିଆ କାଟି ଓଜନ କରିବାରୁ ୮ କି.ଗ୍ରା ଜଟ ସହ ମାଣ୍ଡିଆ ବାହାରି ଥିଲା ।


ଏହାପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହଭାଗୀ ବିକାଶ ଅଭିଯାନର ବ୍ଲକ୍ ସଂଯୋଜକ ଶ୍ରୀ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅଞ୍ଚଳର ୧୦୦ ଜଣ ମହିଳା ଓ ପୁରୁଷ ଚାଷୀଙ୍କୁ ନେଇ କ୍ଷେତ୍ର ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ମାଣ୍ଡିଆ ଚାଷରେ ସଫଳତା ପାଇଁ ରାଜ୍ୟ ସ୍ତରୀୟ ପୁରସ୍କାର ପ୍ରାପ୍ତ ବଲବସପୁରର ବିଶିଷ୍ଟ ଚାଷୀ ରଜନୀକାନ୍ତ ସା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମାଣ୍ଡିଆ ଚାଷରେ ଆର୍ଥିକ ଲାଭର ବ୍ୟବସ୍ଥା, ମାଣ୍ଡିଆ ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି କେତେ ଲାଭ ଦାୟକ ସେ ବିଷୟରେ ମାର୍ଗ ଦର୍ଶନ ଦେଇଥିଲେ । କ୍ଷେତ୍ର ଦିବସ କାର୍ଯ୍ୟକ୍ରମର ସଭାପତି ଶ୍ରୀ ଚାନ୍ଦ୍ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଧାନଚାଷ ଅପେକ୍ଷା ମାଣ୍ଡିଆ ଭଳି ଛୋଟ ମଞ୍ଜି ଶସ୍ୟ ଚାଷରେ କିଭଳି ଚାଷୀଙ୍କୁ ପର୍ଯ୍ୟାପ୍ତ ଲାଭ ମିଳି ପାରିବ ସେ ବିଷୟରେ ବୁଝାଇଥିଲେ ।

ସମ୍ମାନୀତ ଅତିଥି ଭାବରେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର ଯୋଗଦାନ କରି ଚାଷୀଙ୍କୁ ମାର୍ଗଦର୍ଶନ ଦେଇଥିଲେ । ସହ ସଂଯୋଜକ ଥବିର ସାହୁ କାର୍ଯ୍ୟକ୍ରମ ଆଭିମୁଖ୍ୟ ପ୍ରତିପାଦନ କରିବାସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗିଗିନା ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଉପରେ କହିବା ସହ ଧାଡିରୁଆରେ ମାଣ୍ଡିଆ ଚାଷ କଲେ ସରକାର ଚାଷୀଙ୍କୁ ହେକ୍ଟର ପ୍ରତି ୩୨୦୦ ଟଙ୍କା ପରୋତ୍ସାହନ ରାଶି ପ୍ରଦାନ କରୁଥିବା କହିଥିଲେ । ଏହାପରେ ସଭାପତି ଶ୍ରୀ ଚାନ୍ଦ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.