ରୁପ୍ରାରୋଡରେ ପୋଲିସ୍ ଫାଣ୍ଡି ଖୋଲିବା ପାଇଁ ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ରୁପ୍ରାରୋଡ ଅଞ୍ଚଳର ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳି । ନର୍ଲା ହେଡ କ୍ୱାଟର୍ସ ପରେ ପରେ ରୁପ୍ରାରୋଡରେ ସକାଳୁ ରାତି ଯାଏଁ ଜନଗହଳି ଲାଗି ରହିଥାଏ । ଏଠାରେ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହ କପଡା ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଗୁଡିକର ମଧ୍ୟ ରିଟେଲ ସାଙ୍ଗକୁ ଅନେକ ହୋଲସେଲ କାଉଣ୍ଟର ଗୁଡିକ ରହିଛି । ଯାହା ଫଳରେ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ସାଙ୍ଗକୁ ଆଖପାଖ ମାଣ୍ଡେଲ, ଭୀମକେଲା, ସରିଆ, ରାକ୍ସି, କର୍ମେ ଭଳି ଗ୍ରାମ ପଞ୍ଚାୟତର ୨୦ ରୁ ଉର୍ଦ୍ଧ୍ବ ଗ୍ରାମର ଲୋକେ ରୁପ୍ରାରୋଡ ଉପରେ ନିର୍ଭର କରିଥାନ୍ତି । ଏହା ବ୍ୟତୀତ ନର୍ଲାରୁ ରୁପ୍ରାରୋଡ ଦେଇ କେସିଙ୍ଗା ଓ ଟିଟିଲାଗଡକୁ ଯିବାକୁ ମୁଖ୍ୟ ରାସ୍ତା ରହିଥିବାରୁ ଏଥିପାଇଁ ମଧ୍ୟ ରୁପ୍ରାରୋଡ ବସ୍ତିରେ ଭିଡ ଜମୁଥିବା ବେଳେ ଏଠାରେ ରହିଛି ସ୍ବାଧୀନତା ପୂର୍ବରୁ ରେଳ ଷ୍ଟେସନ । ଏଣୁ ଆଖପାଖ ଗାଁର ଯାତ୍ରୀଙ୍କ ଗହଳି ମଧ୍ୟ ପରିଲକ୍ଷିତ ହୋଇଥାଏ । ଯାହା ଫଳରେ ବାହ୍ୟ ଆଗନ୍ତୁକ ସମାଗମ ଯୋଗୁଁ ଧିରେ ଧିରେ ଚୋରୀ, ରାହାଜାନୀ ଓ ହିଂସାତ୍ମକ କାର୍ଯ୍ୟ କଳାପ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଜ୍ୱଳନ୍ତ ଉଦାହରଣ ଦୀପାବଳୀ ସମୟରେ ଜଣେ ବ୍ୟବସାୟୀଙ୍କ ଗୋଦାମ ଗୃହରେ ଦୁର୍ବୁର୍ତ୍ତ ମାନେ ନିଆଁ ଲଗେଇ ଦେଇଥିଲେ । ନର୍ଲା ଥାନାରେ ଏନେଇ ଏକ ଏତେଲା ଦାଏର ହୋଇଥିଲେ ମଧ୍ୟ ଏଯାଏଁ ଦୋଷୀକୁ ଧରି ପାରିନାହିଁ ନର୍ଲା ପୋଲିସ୍ । ଗତ ବୁଧବାର ରୁପ୍ରାରୋଡ ସାପ୍ତାହିକ ମାର୍କେଟରେ ଜଣେ ବ୍ୟକ୍ତି ବ୍ୟାଙ୍କରୁ ୨ ଲକ୍ଷ ୫୦ ହଜାର ଟଙ୍କା ଉଠେଇ ସ୍କୁଟି ଗାଡି ଡିକିରେ ନେଇ ଯାଉଥିବା ବେଳେ ବଜାର ମଧ୍ୟରେ ତାଙ୍କ ଡିକିରୁ ଟଙ୍କା ଚୋରି ହୋଇଯାଇଥିବା ନର୍ଲା ଥାନାରେ ଏତେଲା ଦାଏର ହୋଇଛି । ଏହାବାଦ୍ ରୁପ୍ରାରୋଡର ଥଣ୍ଡା ଓ ଚା, ପାନ ଦୋକାନ ଗୁଡିକରେ ବେଆଇନ ଓ ଅବୈଧ ଭାବରେ ବିଦେଶୀ ମଦ ବିକ୍ରୀ ଚାଲୁଥିବା ବେଳେ ଚାଳ ଛପର କୁଡିଆ ଜଳଖିଆ ଦୋକାନ ଗୁଡିକରେ ଦେଶୀ ମଦ ପାଉଚର ବନ୍ୟା ଛୁଟୁଛି । ସଂଧ୍ୟା ହୋଇଗଲେ ରୁପ୍ରାରୋଡରେ ମଦ୍ୟପଙ୍କ ଆତଙ୍କ ଯୋଗୁଁ କାନ୍ଥ ବାଡ ମଧ୍ୟ ଦୋହଲିବାରେ ଲାଗୁଛି । ମଦ ନିଶାରେ ଚୁର ଯୁବକରୁ ବୃଦ୍ଧ ବ୍ୟକ୍ତି ପର୍ଯ୍ୟନ୍ତ ଅପ୍ରିତିକର ଘଟଣା ଘଟାଇବାରେ ପଛାଉ ନାହାନ୍ତି । ଏଭଳି ପରିସ୍ଥିତି ଦେଇ ରୁପ୍ରାରୋଡ ଗତି କରୁଥିବା ବେଳେ ଏଇଠି ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇି ପଡିଥିବା ସାଧାରଣରେ ଆଲୋଚନା ହେଉଛି । ରୁପ୍ରାରୋଡରେ ବେଆଇନ ମଦ ବ୍ୟବସାୟ ଯୋଗୁଁ ମଦ୍ୟପଙ୍କ ସଖ୍ୟା ପ୍ରବଳ ଭାବରେ ବଢୁଥିବା ବେଳେ ଯୁବ ସମାଜ ବିପଥଗାମୀ ହେଉଛନ୍ତି । ରୁପ୍ରାରୋଡରେ ପୋଲିସ ଫାଣ୍ଡି ସ୍ଥାପନ ପାଇଁ ଗତ ପାଞ୍ଚ ଦଶନ୍ଧି ଧରି ଦାବି ହୋଇ ଆସୁଛି । ରୁପ୍ରାରୋଡର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲ, ସ୍ବର୍ଗତ କାହ୍ନୁଚରଣ ଧଙ୍ଗଡାମାଝୀ, ସ୍ବର୍ଗତ ବାଞ୍ଛାବଟ ଭୋଇ, ସ୍ବର୍ଗତ ବୁଟୁ ଜାନୀ, ସ୍ବର୍ଗତ ଶମ୍ଭୁଧର ଜାନୀ ପ୍ରମୁଖ ଏନେଇ ଅନେକଥର ରାଜ୍ୟ ସରକାର, ସଂପୃକ୍ତ ବିଭାଗ ଓ ନିର୍ବାଚିତ ଲୋକପ୍ରତିନିଧିଙ୍କ ଦୃଷ୍ଟି ଆକର୍ଷଣ କରି ଆସିଥିଲେ, କିନ୍ତୁ ସେମାନେ ଇହଧାମ ତ୍ୟାଗ କରିଗଲେ ସିନା ରୁପ୍ରାରୋଡରେ ପୋଲିସ ଫାଣ୍ଡି ସ୍ଥାପନ ହୋଇ ପାରିଲା ନାହିଁ ।

ଗତ ୨୦୧୧ ମସିହାରେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ବାର୍ଷିକ ଉତ୍ସବକୁ ମୁଖ୍ୟ ଅତିଥି ଭାବରେ ଆସିଥିଲେ ତକ୍ରାଳୀନ କଳାହାଣ୍ଡି ଏସ୍ପି । ସେହି ସମୟରେ ସ୍ଥାନୀୟ ଲୋକେ ରୁପ୍ରାରୋଡରେ ଏକ ଫାଣ୍ଡି ସ୍ଥାପନା ନେଇ ଦାବୀ ଜଣାଇଥିଲେ । ଲୋକଙ୍କ ଦାବୀକୁ ଗୁରୁତ୍ୱ ଦେଇ ତତ୍କାଳୀନ ଏସ୍ପି ଫାଣ୍ଡି ପାଇଁ ଘର ବ୍ୟବସ୍ଥା କରନ୍ତୁ ତୁରନ୍ତ ଫାଣ୍ଡି ଖୋଲାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଆଜକୁ ୧୧ ବର୍ଷ ବିତିଯାଇଥିଲେ ମଧ୍ୟ ରୁପ୍ରାରୋଡରେ ଫାଣ୍ଡି ଖୋଲାଯାଇ ପାରିଲା ନାହିଁ । ନର୍ଲା ଥାନା ଅଧିନସ୍ଥ ଏରିଆକୁ ଦେଖିଲେ ଥାନା ଅଧିନରେ ଚାରିଗୋଟି ଆଉଟ ପୋଷ୍ଟ ହେବା କଥା । ହେଲେ ବହୁ ପୂର୍ବରୁ ସିକେରକୁପାରେ ଫାଣ୍ଡି ଖୋଲାଯାଇଥିଲା । ଅଳ୍ପ କେଇ ବର୍ଷ ତଳେ ଛତିକୁଡା ଛକରେ ଗୋଟିଏ ଆଉଟ ପୋଷ୍ଟ ଖୋଲାଯାଇଛି । ବାସ୍ତବିକ କଥାକୁ ଦେଖିବାକୁ ଗଲେ ରୁପ୍ରାରୋଡରେ ମଧ୍ୟ ଗୋଟିଏ ଫାଣ୍ଡିର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରୁଛନ୍ତି । ଏଣୁ ରୁପ୍ରାରୋଡ ଅଞ୍ଚଳବାସୀ ଦାବୀ କରିଛନ୍ତି ରୁପ୍ରାରୋଡ ରେ ତୁରନ୍ତ ଏକ ଫାଣ୍ଡି ଖୋଲି ଏଠିକାର ଆଇନ ଶୃଙ୍ଖଳା ବ୍ୟବସ୍ଥା କୁ ସୁଦୃଢ଼ କରାଯାଉ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.