ନର୍ଲା ଧାନ ମଣ୍ଡି ଉଦ୍ଘାଟିତ

ମଣ୍ଡିରେ ଚାଷୀଙ୍କ ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯିବପ୍ୟାକ୍ସ ସଭାପତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡିରେ ନଭେମ୍ବର ୨୫ ସମସ୍ତ ଧାନ ମଣ୍ଡି ଉଦ୍ଘାଟନ ହେବ ବୋଲି ସରକାର ଘୋଷଣା କରିଥିଲେ ମଧ୍ୟ ଜିଲ୍ଲାର ଅଧିକାଂଶ ମଣ୍ଡି ଏଯାଏଁ ଉଦ୍ଘାଟିତ ହୋଇନାହିଁ । ଅନ୍ୟପକ୍ଷେ ଚାଷୀ ଧାନ ଅମଳ କରି ଧାନ ବିକିବା ପାଇଁ ମଣ୍ଡି ଉଦ୍ଘାଟନକୁ ଚାତକ ପରି ଚାହିଁ ବସିଛି । ନର୍ଲା ବ୍ଲକ୍ ରେ ରହିଥିବା ୭ ଗୋଟି ପ୍ୟାକ୍ସ ଓ ଉକ୍ତ ପ୍ୟାକ୍ସ ଗୁଡିକ ଅଧିନରେ ଚାଲୁଥିବା ୧୭ ରୁ ଉର୍ଦ୍ଧ୍ବ ଧାନ ମଣ୍ଡି ମଧ୍ୟରୁ ୩୦ ନଭେମ୍ବରରେ ନର୍ଲା, ରୁପ୍ରାରୋଡ ଓ ରୁପ୍ରା ଏହି ତିନିଗୋଟି ପ୍ୟାକ୍ସରେ ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ନର୍ଲା ପ୍ୟାକ୍ସ ଅଧିନରେ ଚାଲୁଥିବା ନର୍ଲା ବସ୍ତି ଆରମ୍ଭ ମୁଣ୍ଡ ରାଜ ରାସ୍ତା କଡରେ ଏକ ଘରୋଇ ଜାଗାରେ ଅନୁଷ୍ଠିତ ହୋଇଛି ନର୍ଲା ଧାନ ମଣ୍ଡି । ୩୦/୧୧ ବୁଧବାର ସକାଳ ୧୦ ଘଣ୍ଟା ସମୟରେ ନର୍ଲା ତହସିଲଦାର ଶଙ୍କର ବାଗଙ୍କ ଉପସ୍ଥିତିରେ ନର୍ଲା ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ତହସିଲଦାର ମୁଖ୍ୟ ଅତିଥି ଭାବରେ ଏଥିରେ ଯୋଗଦାନ କରିଥିବା ବେଳେ ନର୍ଲା ପ୍ୟାକ୍ସ ସଭାପତି ମଞ୍ଜୁଲତା ଗଉଡଙ୍କ ଅଧ୍ୟକ୍ଷତାରେ, ରାଜସ୍ୱ ପରିଦର୍ଶକ ରଞ୍ଜିତ ରାଉତ, ନର୍ଲା ପ୍ୟାକ୍ସର ଭାରପ୍ରାପ୍ତ ସମ୍ପାଦକ ଲବକାନ୍ତ ସା, ସମବାୟ ସମିତି ସଦସ୍ୟ ତଥା ସର୍ଗିଗୁଡା ପଞ୍ଚାୟତର ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ସମବାୟ ସମିତି ସଦସ୍ୟ ଧନୁର୍ଦ୍ଧର ନାଏକ, ଅନ୍ୟ ସମବାୟ ସମିତି ସଦସ୍ୟ ବୃନ୍ଦ, ନର୍ଲା ଯୋଗାଣ ଅଧିକାରୀ ହରିହର ସାହୁ, ନିୟନ୍ତ୍ରୀତ ବଜାର କମିଟିର କର୍ମଚାରୀ ଜଗତ ନାଏକ, ପ୍ୟାକ୍ସର ଡାଟାଏଣ୍ଟ୍ରି ଅପରେଟର କେତନ ବଗର୍ତ୍ତି, ଦେବେନ୍ଦ୍ର ରଣା, ସର୍ଗିଗୁଡାର ଚାଷୀ କୁବେର ବିଶ୍ୱାଳ, ନର୍ଲାର ଚାଷୀ ବିରେନ୍ଦ୍ର ଚାନ୍ଦ୍, ରୋହିତ ସାହୁ, ପୂର୍ଣ୍ଣଚନ୍ଦ୍ର ପୂଝାରୀ, ଭାନ୍ପୁର ରାକ୍ସୀର ଚାଷୀ ପ୍ରସନ୍ନ କୁମାର ସାହୁ, ମଙ୍ଗଲ ମାଝୀ ତଥା ନର୍ଲା ଓ ଆଖପାଖ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ତହସିଲଦାର, ପ୍ୟାକ୍ସ ସଭାପତି ଶ୍ରୀମତୀ ଗଉଡ, କହ୍ନେୟା ଏଗ୍ରୋ ନର୍ଲାରୋଡ ମିଲର୍ସ, ରାମାନୁଜ ଏଗ୍ରୋ ବୁଢୀପଦର ମିଲର୍ସ ଓ ଶ୍ରୀ ଜଗନ୍ନାଥ ଫୁଡସ କେସିଙ୍ଗା ମିଲର୍ସଙ୍କୁ ନର୍ଲା ମଣ୍ଡିରେ ସଂଯୁକ୍ତ କରାଯାଇଥିବାରୁ ଉପରୋକ୍ତ ମିଲର୍ସଙ୍କ ପ୍ରତିନିଧିମାନେ ଓ ମଣ୍ଡିକୁ ଧାନ ଆଣିଥିବା ଚାଷୀମାନେ ଉପସ୍ଥିତ ରହିଥିଲେ । ଉପରୋକ୍ତ ଅତିଥି ମାନଙ୍କ ସମେତ ଉପସ୍ଥିତ ଚାଷୀ ମାନେ ଧାନ ବସ୍ତା, ଓଜନ ମାପକ ମେସିନ, ଆଦ୍ରତା ମାପକ ଯନ୍ତ୍ର ପ୍ରଭୃତିକୁ ଧୂପ, ଦୀପ, ଚନ୍ଦନ, ସିନ୍ଦୁର ଦେଇ ନାରୀକେଳ ଭାଙ୍ଗି ପୂଜାର୍ଚ୍ଚନା କରି ମଣ୍ଡି ଉଦ୍ଘାଟନ କରିଥିଲେ । ଉଦ୍ଘାଟନର ପ୍ରଥମ ଦିନରେ ନର୍ଲାର ଲବ କୁମାରଙ୍କ ୧୯ କ୍ୱିଣ୍ଟାଲ ଧାନ, ସର୍ଗିଗୁଡା କେଶବ ନାଏକଙ୍କ ୩୦ କ୍ୱିଣ୍ଟାଲ ଓ ବାଙ୍କେଲର ଜଗନ୍ନାଥ ନାଏକଙ୍କ ୩୦ କ୍ୱିଣ୍ଟାଲ ଏଭଳି ମୋଟ ୭୯ କ୍ୱିଣ୍ଟାଲ ଧାନ ପ୍ୟାକ୍ସ ତରଫରୁ କିଣା ଯାଇଥିଲା । ମଣ୍ଡି ଉଦ୍ଘାଟନର ପ୍ରଥମ ଦିନରେ ନର୍ଲା ମଣ୍ଡିକୁ ଆସିଥିବା ୭୯ କ୍ୱିଣ୍ଟାଲ ଧାନ ବିନା କଟନୀ ଛଟନୀ ରେ ନର୍ଲାରୋଡର କହ୍ନେୟା ଏଗ୍ରୋ ରାଇସ ମିଲ ମଣ୍ଡିରୁ ଧାନ ଉଠାଇଥିବା ଜଣାପଡିଛି । ଚଳିତ ବର୍ଷ ଅଞ୍ଚଳରେ ପ୍ରଚୁର ଧାନ ଉତ୍ପାଦନ ହୋଇଛି । ନର୍ଲା ଧାନ ମଣ୍ଡି ଆଗରୁ ମଧ୍ୟ ଶୃଙ୍ଖଳିତ ଭାବରେ ଚାଲି ଆସୁଥିଲା । ଏଥିରେ ଚାଷୀ, ନିୟନ୍ତ୍ରୀତ ବଜାର କମିଟି, ପ୍ୟାକ୍ସ କର୍ମଚାରୀ ଓ ମିଲର୍ସଙ୍କ ମଧ୍ୟରେ କୌଣସୀ ମତପାର୍ଥକ୍ୟ ନଥିଲା । ଚଳିତ ବର୍ଷ ମଧ୍ୟ ନର୍ଲାର ଧାନ ମଣ୍ଡି ଉତ୍ତମ ଭାବରେ ଚାଲିବ ବୋଲି ମୁଁ ଆଶା କରିବି । କାରଣ ନର୍ଲା ଅଞ୍ଚଳର ଚାଷୀ ବହୁତ ଭଲ । ମିଲର୍ସ, ପ୍ୟାକ୍ସ କର୍ମଚାରୀ ଓ ନିୟନ୍ତ୍ରୀତ ବଜାର କମିଟି ର କର୍ମଚାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହୁଛି । ଆମ ତରଫରୁ ମଧ୍ୟ ଚାଷୀଙ୍କ ପାଇଁ ମଣ୍ଡିରେ ଯାହା କିଛି ସୁବିଧା ରହିବା କଥା ସେ ସବୁ ଯୋଗାଇ ଦିଆଯିବ । ଏହି ପରିପ୍ରେକ୍ଷୀରେ ମୁଁ ନର୍ଲା ପ୍ୟାକ୍ସ ଅଞ୍ଚଳର ଚାଷୀ ଭାଇ ମାନଙ୍କୁ ଅନୁରୋଧ କରିବି ଉତ୍ତମ ଭାବରେ, କୌଣସୀ ଝାମେଲା ନଥାଇ ମଣ୍ଡି ଚଲେଇବା ଦିଗରେ ଆମକୁ ସାହାଯ୍ୟ, ସହଯୋଗ କରିବେ ବୋଲି ନର୍ଲା ସମବାୟ ସମିତି ସଭାପତି ମଞ୍ଜୁଲତା ଗଉଡ ତାଙ୍କ ମତାମତରେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.