୨୦୨୨ ପାଇଁ କବି ରଞ୍ଜନ କୁମାର ଦାସ ଓ ୨୦୨୧ ପାଇଁ କବୟତ୍ରୀ ଡ଼ଃ ଗାୟତ୍ରୀବାଳା ପଣ୍ଡା ପାଇବେ ମହୁରି ସମ୍ମାନ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ଓଡ଼ିଆ ସାହିତ୍ୟର ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା “ମହୁରି” ପକ୍ଷରୁ ଚଳିତ ବର୍ଷର “ମହୁରି ସମ୍ମାନ” ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ସମ୍ମାନ ପାଇବେ ଲେଖକ, କବି ତଥା ଗୀତିକାର ରଂଜନ କୁମାର ଦାସ । ପ୍ରତିବର୍ଷ ମହୁରିରେ ଲେଖାଲେଖି କରୁଥିବା ଜଣେ ସାହିତ୍ୟିକଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଉଥିବାବେଳେ ଚଳିତ ବର୍ଷ ରଂଜନ କୁମାର ଦାସଙ୍କ ନାମକୁ ଚୟନ କମିଟି ସୁପାରିଶ କରିଛି । ଏନେଇ ଘୋଷଣା କରିବା ସହିତ ଆସନ୍ତା ୨୪ ଡିସେମ୍ବର -୨୦୨୨ରେ ଭୁବନେଶ୍ୱରସ୍ଥ ହୋଟେଲ୍ ସେଣ୍ଡି ଟାୱାର ଠାରେ ହେବାକୁ ଥିବା ମହୁରି ମହୋତ୍ସବ-୨୦୨୨ରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲ ଘୋଷଣା କରିଛନ୍ତି ।

ଏହି ଅବସରରେ ବର୍ଷ ୨୦୨୧ ପାଇଁ ଘୋଷିତ ହୋଇଥିବା ମହୁରି ସମ୍ମାନ-୨୦୨୧ର ବିଜୟିନୀ କବୟତ୍ରୀ ଡ଼ଃ ଗାୟତ୍ରୀବାଳା ପଣ୍ଡାଙ୍କୁ ମଧ୍ୟ ସମ୍ମାନିତ କରାଯିବ । ତାଙ୍କ କବିତାରେ ଥିବା ପ୍ରଖର ଓ ପ୍ରାସଙ୍ଗିକ ବାମାବାଦୀ ସ୍ୱର ନିମନ୍ତେ ତାଙ୍କୁ ସମ୍ମାନଜନକ ‘ମହୁରି ସମ୍ମାନ-୨୦୨୧’ ପ୍ରଦାନ କରାଯାଉଛି । ଗତ ୨୦୦୮ରୁ ନିୟମିତ ପ୍ରକାଶ ପାଇଆସୁଥିବା ଷାଣ୍ମାସିକ ସାହିତ୍ୟ ପତ୍ରିକା “ମହୁରି” ପକ୍ଷରୁ ବିଗତ ବର୍ଷମାନଙ୍କରେ ଲେଖକ ବିଷ୍ଣୁପଦ ସେଠୀ, ଗାଳ୍ପିକ ଓ ଔପନ୍ୟାସିକ ସତ୍ୟପ୍ରିୟ ମହାଳିକ, କବି ସୁଚେତା ମିଶ୍ର, ଗଦ୍ୟ ସାହିତ୍ୟର ବିଶିଷ୍ଟ ବିନ୍ଧାଣୀ ପ୍ରଫେସର ଆଦିକନ୍ଦ ସାହୁ, ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା, କବି ଡ. ସୁରେଶ ନାୟକ ଓ କବି ଲକ୍ଷ୍ମୀନାରାୟଣ ହୋତା ଏହି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି ।

ଢେଙ୍କାନାଳ ଜିଲ୍ଲାର ବୈଶିଙ୍ଗାରେ ଜନ୍ମଗ୍ରହଣ କରିଥିବା କବି ରଂଜନ କୁମାର ଦାସଙ୍କ କାବ୍ୟିକ ଦୃଷ୍ଟି ତାଙ୍କୁ ଛାତ୍ରାବସ୍ଥାରୁ କବିତା ମନସ୍କ କରିଛି । କବି ତଥା ଲେଖକ ରଂଜନ କୁମାର ଦାସ ଜଣେ ସୁପ୍ରଶାସକ ଭାବେ ପରିଚିତ । ୧୯୮୪ ମସିହାରେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଇଥିବା ଶ୍ରୀ ଦାସ ୨୦୦୭ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ । କେନ୍ଦ୍ରାପଡ଼ାର ଉପ-ଜିଲ୍ଲାପାଳ, ବିଏମସିର ସେକ୍ରେଟେରୀ ଓ ପରେ ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ସେବା ଯୋଗାଇଥିବା ଶ୍ରୀ ଦାସ ସଂପ୍ରତି ଓଡ଼ିଶା ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଅଟନ୍ତି । ଜଣେ କବି ତଥା ଗୀତିକାର ଭାବେ ଅନେକ ପ୍ରସିଦ୍ଧି ଅର୍ଜନ କରିଥିବା ଶ୍ରୀ ଦାସଙ୍କର୧୮ ଖଣ୍ଡ କବିତା ପୁସ୍ତକ ରହିଛି । ୨ଟି ଭ୍ରମଣ କାହାଣୀ ପୁସ୍ତକ ପ୍ରକାଶ ପାଇଛି । ଅନେକ ଅନୁଷ୍ଠାନ ଦ୍ୱାରା ତାଙ୍କର କବିତା ଉଚ୍ଚ ପ୍ରଶଂସା ପାଇଛି । ତାଙ୍କ କବିତାରେ ଥିବା ସମକାଳର ମଣିଷଙ୍କ ଅବ୍ୟକ୍ତ ବେଦନାର ଚିତ୍ରିତ କାବ୍ୟମୟ ପରିସ୍ଫୁଟନ ନିମନ୍ତେ ଚଳିତ ବର୍ଷ ତାଙ୍କୁ ସମ୍ମାନଜନକ ‘ମହୁରି ସମ୍ମାନ-୨୦୨୨’ ପ୍ରଦାନ କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.