ସେରଗଡ ଧାନ ମଣ୍ଡିରେ କଟନୀ ଛଟନୀ ବିବାଦ, ନର୍ଲା ଥାନାରେ ୩ ମାମଲା ଦାଏର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ସେରଗଡ ଧାନ ମଣ୍ଡିରେ କଟନୀ ଛଟନୀକୁ ନେଇ ବିବାଦ ଦେଖା ଦେଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ତୁଳାପଡା ପ୍ୟାକ୍ସ ଅଧିନରେ ଚାଲୁଥିବା ସେରଗଡ ଧାନ ମଣ୍ଡି ଆରମ୍ଭ ଦିନରେ ୯ କି.ଗ୍ରା ଧାନ କଟନୀ ଛଟନୀକୁ ନେଇ ଚାଷୀ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଥବିର ରଣାଙ୍କୁ ଚାଷୀଙ୍କ ଧାନ କ୍ରୟ ସମୟରେ କାହିଁକି ୯ କି.ଗ୍ରା. କଟନୀ କରୁଛ ଆଗରୁ ଯେମିତି ଚାଲି ଆସୁଛି ୩ ରୁ ୪ କି.ଗ୍ରା. ଧାନ କଟନୀ କରି ସାମୁହିକ ଭାବରେ ଧାନ କ୍ରୟ କରାଯାଉ ଏଥିରେ ଚାଷୀ ରାଜି ଅଛନ୍ତି ବୋଲି କୃଷକ ନେତା ତଥା ସେରଗଡ ସରପଞ୍ଚ ରାହୁଲ ସାହୁ କହିବାରୁ ଆମର ଧାନ ପରୀକ୍ଷଣରେ ଯେତେ ପଏଣ୍ଟ ବାହାରିବ ତାକୁ ନେଇ ଧାନ କଟନୀ କରାଯିବ, ଏଥିରେ ବିଲକୁଲବି ବୁଝାମଣା ନାହିଁ ବୋଲି କହିଥିଲେ ପେକ୍ସ ସମ୍ପାଦକ କହିଥିବା ଅଭିଯୋଗ ହୋଇଛି । ଏହାପରେ ସେରଗଡ ମଣ୍ଡିକୁ ଧାନ ଆଣିଥିବା ଚାଷୀମାନେ ଆମେ ଆଉ ଧାନ ବିକ୍ରୟ କରିବୁ ନାହିଁ ବୋଲି କହି ଧାନବସ୍ତା ରଖି ଧାରଣା ଦେଇଥିଲେ ବୋଲି ଉପସ୍ଥିତ ଚାଷୀ ମାନେ ମତବ୍ୟକ୍ତ କରିଛନ୍ତି । ହେଲେ ଦିନ ଗୋଟାଏ ବେଳେ ପ୍ୟାକ୍ସ ସମ୍ପାଦକ ଶ୍ରୀ ରଣା ନର୍ଲା ଥାନାକୁ ଆସି କୃଷକ ସଂଗଠନ ସଭାପତି ତଥା ସେରଗଡ ସରପଞ୍ଚ ଶ୍ରୀ ସାହୁ ଉତ୍ୟକ୍ତ ହୋଇ ମଣ୍ଡିରେ ଥିବା ଧାନ ଓଜନ ମାପକ ଯନ୍ତ୍ର, ଆଦ୍ରତା ମାପକ ଯନ୍ତ୍ର ଓ ଚୌକି ସବୁକୁ କଚଡା କଚଡି କରି ଭାଙ୍ଗି ଦେଇଥିବା ନେଇ ଏତେଲା ଦାଏର କରିଥିଲେ ।

ଏଭଳି ଘଟଣା ଜାଣିବା ପରେ ସଂଧ୍ୟା ୬ ଘଣ୍ଟା ସମୟରେ ଚାଷୀ ମେଘନାଦ ନାଏକ, କୁଞ୍ଜବିହାରୀ ସାହୁ, ବାବୁଲାଲ ପଧାନ, କୁମୁଦ କିଶୋର ସାହୁ, ତେଜରାଜ ରଣା, ପ୍ରକାଶ ନାଏକ, ରଘୁମଣି ମାଝୀ, ଲୋଚନ ରଣା, ସଞ୍ଜୀବ ବେହେରା, ଗୌରାଙ୍ଗ ବେହେରା, ବିଷ୍ଣୁ ସାହୁ, ତେଜରାଜ ନାଏକ, କୃଷ୍ଣ ବିଶିଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ସେରଗଡ ଅଞ୍ଚଳର ଚାଷୀଙ୍କ ସହ ନର୍ଲା ଥାନାକୁ ଆସି ସରପଞ୍ଚ ରାହୁଲ ସାହୁ ସେମାନେ ୮ ରୁ ୯ କି.ଗ୍ରା. କଟନୀ ଛଟନୀକୁ ନେଇ ବିରୋଧ କରି ଧାରଣାରେ ବସିଥିଲେ । ହେଲେ ମଣ୍ଡି ମଧ୍ୟରେ ଥିବା ଯନ୍ତ୍ରପାତି କିମ୍ବା କୌଣସୀ ଚୌକି ଭଙ୍ଗାରୁଜା କରିବା କିମ୍ବା ଅପ୍ରିତିକର ଘଟଣା ଘଟାଇ ନାହାନ୍ତି । ମାତ୍ରାଧିକ କଟନୀ ଛଟନୀ କରି ଚାଷୀଙ୍କୁ ଶୋଷଣ କରୁଥିବା ପ୍ୟାକ୍ସ ସମ୍ପାଦକ ଶ୍ରୀ ରଣା ଚାଷୀଙ୍କ ଧାରଣା ଦେବାକୁ ନେଇ ଆତଙ୍କିତ ହୋଇ ଏଭଳି ଅସଦ୍ ଉପାୟ ଅବଲମ୍ବନ କରିଛନ୍ତି ବୋଲି ଥାନା ବାରପ୍ରାପ୍ତ ଅଧିକାରୀଙ୍କୁ କହିବା ସହ ପ୍ୟାକ୍ସ ସମ୍ପାଦକଙ୍କ ବିରୁଦ୍ଧରେ ସରପଞ୍ଚ ଭାବରେ ଏକ କେସ ଦେଇଥିବା ବେଳେ ଉକ୍ତ ପ୍ୟାକ୍ସ ସମ୍ପାଦକ ଶ୍ରୀ ରଣାଙ୍କ ବିରୁଦ୍ଧରେ କୃଷକ ସଙ୍ଗଠନ ତରଫରୁ ମଧ୍ୟ ଆଉ ଏକ ଏତେଲା ଦିଆ ଯାଇଥିବା ଜଣାପଡିଛି । ଶନିବାର ଉଭୟ ପକ୍ଷକୁ ଡାକି ଏହାର ତଦନ୍ତ କରାଯିବ ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.