ରେଣ୍ଡୋ ମାଝୀଙ୍କ ୧୬୭ତମ ସହିଦ୍ ଦିବସ ପାଳନ

ଆଦିବାସୀ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ପାଳନୋତ୍ସବ, ୧୩ଜଣ ପ୍ରତିଭାଦିପ୍ତ ବ୍ୟକ୍ତିତ୍ବଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, କଳାହାଣ୍ଡିର ବରପୁତ୍ର ସହିଦ୍ ରେଣ୍ଡୋ ମାଝୀଙ୍କ ୧୬୭ତମ ଜିଲ୍ଲା ସ୍ତରୀୟ ସହିଦ୍ ଦିବସ ଭବାନୀପାଟଣା ଟାଉନ ହଲ ଠାରେ ଜିଲ୍ଲା ଆଦିବାସୀ ସଂଘ ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଦିବାସୀ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ଧର୍ମଗଡ଼ ବିଧାୟକ ମହୋଷଧି ବାଗ, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଅଡିଟର ଜେନେରାଲ ପୂର୍ଣ୍ଣଚନ୍ଦ୍ର ମାଝୀ, କଳାହାଣ୍ଡି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ପିତାମ୍ବର ଭୋଇ, ବିଶିଷ୍ଟ କବି ଭବାନୀଶଙ୍କର ନିଆଲ, ସରପଞ୍ଚ ସଂଘ ସଭାପତି ସୁବୋଧ ରଣା, ବିଇଓ ତପିମଣି ଜାନୀ, ୧୩ଟି ବ୍ଲକର କାର୍ଯ୍ୟକର୍ତ୍ତାଙ୍କ ସମେତ ପଡୋଶୀ ବଲାଙ୍ଗୀର, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାର ସଭାପତିମାନେ ଯୋଗ ଦେଇଥିଲେ।

ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବେଶଭୂଷାରେ ସଜ୍ଜିତ ହୋଇ ଆଦିବାସୀମାନେ କଲେଜ ଛକ ଠାରୁ ଡାକା ବଜା, ଡାଲ ନଚା, ସଲପ ନିସାନର ସାଂସ୍କୃତିକ ବିଭବ ସହ ଜେଲଛକ ସ୍ଥିତ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ। ସେଠାରେ ସହିଦ୍ ରେଣ୍ଡୋ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହାପରେ ଟାଉନ ହଲ ଠାରେ ଏକ ସଭାର ଆୟୋଜନ କରାଯାଇ କଳାହାଣ୍ଡିର ବରପୁତ୍ର ସହିଦ୍ ରେଣ୍ଡୋ ମାଝୀଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିଲ୍ଲାର ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ କବି ଋତୁରାଜ ମାଝୀ ସଭା ପରିଚାଳନା କରିଥିବାବେଳେ ରମେଶ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ଶହଶହ ଜନସାଧାରଣ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.