ଅଧିନାୟକ ଦାୟିତ୍ୱ ତୁଲାଇବା ପାଇଁ ସମୟ ମାଗିଲେ ହାର୍ଦ୍ଦିକ, ହଟିବେ କି ରୋହିତ ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦିନିକିଆ ଏବଂ ଟି୨୦ରୁ ରୋହିତ ଶର୍ମା ଅଧିନାୟକ ପଦରୁ ହଟିବା ନେଇ ଆଲୋଚନା ଜୋର ଧରିଛି । ଏଏନଆଇ ରିପୋର୍ଟ ଅନୁସାରେ ରୋହିତ ହଟିବା ଏକପ୍ରକାର ନିଶ୍ଚିତ । ଏପରିକି ତାଙ୍କ ବିକଳ୍ପ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିବା ନେଇ ବିସିସିଆଇ ବ୍ୟଗ୍ର ହୋଇ ଉଠିଛି । ତେବେ ହାର୍ଦ୍ଦିକ ଏଥିନେଇ ବୋର୍ଡ କିଛିଦିନ ସମୟ ମାଗିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଆଇପିଏଲରେ ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇବା ସହ ଗୁଜରାଟ ଟାଇଟନ୍ସଙ୍କୁ ସେ ଚାମ୍ପିୟନ କରାଇଥିଲେ । ତାଙ୍କ ଅଧିନାୟକ ଦକ୍ଷତାରେ ବୋର୍ଡ ପ୍ରଭାବିତ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସେ ଅଧିନାୟକ ହେବା ପରେ ତାଙ୍କ ପ୍ରଦର୍ଶନରେ ସୁଧାର ହୋଇଥିଲା । ହାର୍ଦ୍ଦିକ ୧୫ ମ୍ୟାଚରେ ୪୮୭ ରନ କରିଥିଲେ । ସେହିପରି ତାଙ୍କ ନେତୃତ୍ୱରେ ଭାରତ ନ୍ୟୁଜିଲାଣ୍ଡ ଏବଂ ଆୟର୍ଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଜିତିଥିଲା ।ଅପରପକ୍ଷରେ ଏସିଆକପ ଏବଂ ଟି୨୦ ବିଶ୍ୱକପରେ ରୋହିତଙ୍କ ନେତୃତ୍ୱରେ ଭାରତ ଭଲ ପ୍ରଦର୍ଶନ କରିପାରି ନାହିଁ । ଯାହା ପାଇଁ ଏବେ ଟାର୍ଗେଟରେ ରହିଛନ୍ତି ରୋହିତ । ବିରାଟ କୋହଲିଙ୍କ ସ୍ଥାନରେ ରୋହିତଙ୍କୁ ଅଧିନାୟକ କରି ବିସିସିଆଇ ବଡ ରିସ୍କ ନେଇଥିଲେ ମଧ୍ୟ ତାହା କାମରେ ଲାଗିଲାନି । ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରୋହିତ ଟେଷ୍ଟ ଓ ଦିନିକିଆ ଏବଂ ହାର୍ଦ୍ଦିକ ଟି୨୦ ଅଧିନାୟକ ପଦ ତୁଲାଇବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.