ମାଁ ମାଣିକେଶ୍ଵରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥୁଆମୂଳ ରାମପୁରର ୨୪ତମ ବାର୍ଷିକ କ୍ରୀଡ଼ା ଉତ୍ସବ
ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): ଖେଳୁଆଡ଼ ମନୋଭାବ ଜଣେ ବ୍ୟକ୍ତିକୁ ଏକ ସୁସ୍ଥ ଓ ସୁନ୍ଦର ମଣିଷ ଭାବରେ ଗଢି ତୋଳିଥାଏ ବୋଲି ମାଁ ମାଣିକେଶ୍ଵରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୪ତମ ବାର୍ଷିକ କ୍ରୀଡା ମହୋତ୍ସବ ଅବସରରେ ମତ ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ଵରୀ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଉମାକାନ୍ତ ବିହାର ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି ।
ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନାଙ୍କ ସଭପତିତ୍ୱରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ପୂର୍ବତନ ପ୍ରତିଷ୍ଠାତା ସମ୍ପାଦକ ରାଇଦାସ ନାଏକ, ସମିତି ସଭ୍ୟ ପୁଷ୍ପାଞ୍ଜଳି ନାଏକ, ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାୟକ, ଅଗ୍ନିଶମ ବିଭାଗର ହାବିଲଦାର ସୁନୀଲ ବେହେରା, କପିଳାସ ନାଏକ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ସଭା ପରିଚାଳନା କରିଥିଲେ ବବୃବାହନ ବୁଦ୍ଧିଆ।
ଛାତ୍ରଛାତ୍ରୀଙ୍କ ମଧ୍ୟରେ କବାଡି, ଭଳିବଲ, ସଟଫୁଟ, ଡିସକସ ଥ୍ରୋ, ୧୦୦ମିଟର, ୨୦୦ ମିଟର, ୫୦୦୦ ମିଟର ରନ୍, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଛାତ୍ରୀ ମାନଙ୍କର ୧୫୦୦ ମିଟର ଚାଲି, ଜେଭଲିନ ଥ୍ରୋ ପ୍ରଭୁତି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉଭୟ ଛାତ୍ର ଏବଂ ଛାତ୍ରୀମାନେ ଏହି କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ।
ସୁଶ୍ରୀ ରଂଚିତା ମାଝୀ, ଓ କୃଷ୍ଣକାନ୍ତ ମାଝୀ ଏକକ ଚମ୍ପିୟାନ ପୁରସ୍କାର ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ବନବିହାରି ପରିଡା ପରିଚାଳନା କରିଥିବାବେଳେ ସମସ୍ତ ଅଧ୍ୟାପକ, କର୍ମଚାରୀ ମିଳିତ ଭାବରେ ସହଯୋଗ କରିଥିଲେ । ଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।