ନର୍ଲାରୋଡ ଷ୍ଟେସନରେ ସମତା ଓ ଧାନବାଦ ଏକ୍ସପ୍ରେସ ଟ୍ରେନ ରହଣି ଦାବୀ

ରେଳ ବିଭାଗ ଶୀଘ୍ର ପଦକ୍ଷେପ ନ ନେଲେ ହେବ ଆନ୍ଦୋଳନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କରୋନା ସଂକ୍ରମଣ ହେବା ପୂର୍ବରୁ ବିଶାଖାପାଟନମ- ନିଜାମୁଦଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ, ପୁରୀ- ଅହମଦାବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକ ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନରେ ରହଣୀ ରହିଥିଲା । ନର୍ଲାରୋଡ ଓ ରୁପ୍ରାରୋଡ ଆଖପାଖ ୧୮ ରୁ ଉଦ୍ଧ୍ୱର୍ ଗାଁର ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା ନିମନ୍ତେ ନର୍ଲାରୋଡ ଓ ରୁପ୍ରାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ସମତା ଏକ୍ସପ୍ରେସରେ ରାଜଧାନୀ ଦିଲ୍ଲୀ ଯିବାର ସୁବିଧା ରହିଥିବା ବେଳେ ଏଲେପି- ଧାନବାଦ ଏକ୍ସପ୍ରେସ ଟ୍ରେନରେ ଏଠାକାର ଲୋକେ ଗୁଜୁରାଟ, ସୁରଟକୁ ଯାଇଥାନ୍ତି ପେଟ ପାଟଣା ପାଇଁ । କରୋନା ଲକଡାଉନ ଯୋଗୁଁ ଗତ ୨୦୨୦ ଅପ୍ରେଲ ମାସରୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଖୋଲିବା ପରେ ଗତ ୨୦୨୧ ଅଗଷ୍ଟ ମାସରୁ ସ୍ୱତନ୍ତ୍ର ଟ୍ରେନ ଭାବରେ ସମତା, କୋରବା, ଏଲେପି-ଧାନବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଆଗରୁ ଷ୍ଟପେଜ ରହିଥିବା ଷ୍ଟେସନ ଗୁଡିକ ନର୍ଲାରୋଡ, ରୁପ୍ରାରୋଡରେ ଏବେ ଆଉ ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ଦିଆଯାଇ ନଥିଲା । କଳାହାଣ୍ଡି ଜିଲ୍ଲାର କେବଳ କେସିଙ୍ଗା ଗୋଟିଏ ଷ୍ଟେସନରେ ହିଁ ଷ୍ଟପେଜ ରହିଥିଲା ଉପରୋକ୍ତ ଟ୍ରେନ ଗୁଡିକର । ଯାହା ଫଳରେ ନର୍ଲା ଅଞ୍ଚଳର ଲୋକେ ଦିଲ୍ଲୀ, ବିଶାଖାପାଟନମ ଯିବା ନିମନ୍ତେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନ ରେ କେବଳ ସମ୍ବଲପୁର- ରାୟଗଡା ଇଣ୍ଟରସିଟି ଟ୍ରେନଟି ରହୁଥିଲା । ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ଓ ରୁପ୍ରାରୋଡ ରେଳଯାତ୍ରୀ ସୁରକ୍ଷା ସଂଘ ତରଫରୁ ଗତ ଅପ୍ରେଲ ୧୦ ଓ ୧୧ ରେ ରେଳରୋକ ଧାରଣା ଦେବା ନିମନ୍ତେ କମିଟି ନିଷ୍ପତି ନେଇଥିଲେ । ଏହା ଜାଣିବା ପରେ ରେଳବାଇ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଓ ସ୍ଥାନୀୟ ପୋଲିସ୍ ପ୍ରଶାସନ ନର୍ଲା ଥାନାକୁ ଆସି ଉଭୟ ରେଳଯାତ୍ରୀ ସୁରକ୍ଷା ସମିତି ଓ ସଂଘର କର୍ମକର୍ତ୍ତାଙ୍କୁ ଡାକି ରେଳରୋକ ଧାରଣାରୁ ନିବୃତ ରହିବା ପାଇଁ ଅନୁରୋଧ କରିଥିଲେ । ଏବଂ ଗୋଟିଏ ମାସ ଭିତରେ ରହଣୀ ଦାବୀ ରହିଥିବା ଟ୍ରେନ ଗୁଡିକର ରହଣୀ କରାଯିବ ବୋଲି କଥା ଦେଇଥିଲେ । ଏଥିରେ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ସହମତି ପ୍ରକାଶ କରି ଧାରଣାରୁ ନିବୃତ ରହିଥିଲା । ହେଲେ ରୁପ୍ରାରୋଡ ରେଳ ଷ୍ଟେସନ ରେ ଅପ୍ରେଲ ୧୧ – ୨୦୨୨ ରେ ବଡ ଧରଣର ରେଳରୋକ ଧାରଣା ଅନୁଷ୍ଠିତ ହୋଇଥିଲା । ଫଳ ସ୍ୱରୁପ କୋରବା ଏକ୍ସପ୍ରେସ ଉଭୟ ନର୍ଲାରୋଡ ଓ ରୁପ୍ରାରୋଡ ଉଭୟ ରେଳ ଷ୍ଟେସନରେ ଓ କେବଳ ନର୍ଲାରୋଡ ରେଳ ଷ୍ଟେସନରେ ପୁରୀ ଅହମଦାବାଦ ଟ୍ରେନର ରହଣୀ ମାସଟେ ପରେ ଦେଇଥିଲା ରେଳବାଇ ବିଭାଗ । ହେଲେ ଅଞ୍ଚଳବାସୀଙ୍କ ପ୍ରମୁଖ ଦାବୀ ରହିଥିବା ଏବଂ କରୋନା ପୂର୍ବରୁ ଉଭୟ ଷ୍ଟେସନରେ ରହଣୀ ରହିଥିବା ସମତା ସୁପରଫାଷ୍ଟ ଏକ୍ସପ୍ରେସ ଓ ଏଲେପି-ଧାନବାଦ ଏକ୍ସପ୍ରେସ ର ରହଣୀ ଦିଆଯାଇନାହିଁ । ଯେଉଁଥି ପାଇଁ ଅଞ୍ଚଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ପୂର୍ବରୁ ରହଣୀ ରହିଥିବା ଓ ଅନେକ ଦାବୀ ସତ୍ୱେ ଅଦ୍ୟାବଧି ରହଣୀ ଦିଆ ଯାଇନଥିବା ଉଭୟ ଟ୍ରେନ ଗୁଡିକର ରହଣୀ ପାଇଁ ଯଦି ରେଳବାଇ ବିଭାଗ ଶ୍ରୀଘ୍ର ପଦକ୍ଷେପ ନ ନିଏ ଓ କାର୍ଯ୍ୟକାରୀ ନକରେ ତା’ହେଲେ ନର୍ଲାରୋଡ ଷ୍ଟେସନରେ ପୁଣି ଖୁବ୍ ଶୀଘ୍ର ରେଳରୋକ କରାଯିବ ବୋଲି ନର୍ଲାରୋଡ ଯାତ୍ରୀ ସୁରକ୍ଷା ସମିତି ର ସଭାପତି ପ୍ରଦୀପ କୁମାର ନାଏକ ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.