ଶୀତ ଦିନେ ବି ମହାଳିଙ୍ଗ ଗ୍ରାମରେ ପିଇବା ପାଣି ସମସ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ରାଜ୍ୟ ସରକାର ଗ୍ରାମାଞ୍ଚଳରେ ପିଇବା ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ତେବେ କେତେକ ମୁନାଫାଖୋର ଅଧିକାରୀଙ୍କ ପାଇଁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପିଇବା ପାଣି ସମସ୍ୟାର ସମୁଖୀନ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗ ଗ୍ରାମର ଲୋକେ । ମହାଲିଙ୍ଗ ଗ୍ରାମରେ ବସୁଧା ଯୋଜନାରେ ପିଇବା ପାଣି ଯୋଗାଇ ଦେବାକୁ ତିନୋଟି ପ୍ରକଳ୍ପ ଅଛି ଓ ପାଣି ଟାଙ୍କି ମଧ୍ୟ ନିର୍ମାଣ କରି କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି ହେଲେ ମଧ୍ୟ ଲୋକଙ୍କୁ ପିଇବା ପାଣି ଯୋଗାଇ ଦେଇପାରୁନି ଗ୍ରାମପଞ୍ଚାୟତ । ଗତ ୧୭ ତାରିଖ ରାତିରେ ମହାଲିଙ୍ଗ ଗ୍ରାମର ଉଦନ୍ତୀ ନଦୀ ପଠାରେ ଥିବା ଜଳଯୋଗାଣ ପ୍ରକଳ୍ପରୁ କେହି ଦୁର୍ବୃତ୍ତ ତାର ଚୋରି କରି ନେଇଥିଲା । ଇତି ମଧ୍ୟରେ ୮ଦିନରୁ ଉର୍ଦ୍ଧ୍ବ ସମୟ ହେବ ଜଳ ଯୋଗାଣ ସଂପୂର୍ଣ୍ଣ ବନ୍ଦ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟ କଥା ଯେ ମହାଲିଙ୍ଗ ପଞ୍ଚାୟତରେ ପ୍ରତିବର୍ଷ ନୂତନ ମୋଟର କିଣା ଯାଉଛି ହେଲେ ପଞ୍ଚାୟତ ଅଫିସରେ ବର୍ତ୍ତମାନ ଗୋଟିଏ ବି ମୋଟର ନ ଥିବା ଜଣେ କର୍ମଚାରୀ ପ୍ରକାଶ କରିଛନ୍ତି । ପ୍ରତି ବର୍ଷ କିଣା ଯାଉଥିବା ମୋଟର ଏବେ କେଉଁଠି ଅଛି ନା ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀ ମିଶି ତାକୁ ଆତ୍ମସାତ କରିଛନ୍ତି ତାହା ଏବେ ତଦନ୍ତ ସପେକ୍ଷ । ଇତି ମଧ୍ୟରେ ଆଠ ଦିନରୁ ଉର୍ଦ୍ଧ୍ବ ସମୟ ହେଲା ଲୋକେ ନଦୀରୁ ବାଲିଚୁଆ ମାଧ୍ୟମରେ ହିଁ ପିଇବା ପାଣି ବ୍ୟବହାର କରୁଛନ୍ତି । ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଗ୍ରାମପଞ୍ଚାୟତ ଓ ବିଭାଗୀୟ ଅଧିକାରୀମାନେ ଚୁପ ବସିଥିବାରୁ ସାଧାରଣ ଜନତା ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ବିଭାଗୀୟ ଅଧିକାରୀଙ୍କ ଏଭଳି ଖାମଖିଆଲି ନୀତି ଯୋଗୁଁ ସାଧାରଣରେ ଆନ୍ଦୋଳନ ଦାନ ବାନ୍ଧୁଛି । ଏଦିଗରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ତୁରନ୍ତ ଧ୍ୟାନ ଦେଇ ଏହି ସମସ୍ୟା ସମାଧାନ କରିବାକୁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.