ଚଇତି କ୍ରୀଡା ମହୋତ୍ସବର ତୃତୀୟ ଦିନ

ବାଳକ ଓ ବାଳିକା ବର୍ଗରେ କବାଡି ସହ ବରିଷ୍ଠ ନାଗରିକଙ୍କ ଚାଲିବା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଚଇତି କ୍ରୀଡା ମହୋତ୍ସବ-୨୦୨୨ର ତୃତୀୟ ଦିନରେ ବରିଷ୍ଠ ନାଗରିକଙ୍କ ଚାଲିବା ପ୍ରତିଯୋଗିତା ସହ ବାଳକ ଓ ବାଳିକା ବର୍ଗରେ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଚଇତି କ୍ରୀଡା ମହୋତ୍ସବ ଅଧ୍ୟକ୍ଷ ତଥା ଜିଲ୍ଳା ଏସ.ପି.ବିବେକାନନ୍ଦ ଶର୍ମାଙ୍କ ତତ୍ୱାବଧାନରେ କ୍ରୀଡା ମହୋତ୍ସବ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ଆଜି ସ୍ଥାନୀୟ କୋରାପୁଟ ଛକ ଠାରୁ କଟଲାଗୁଡା ସ୍ଥିତ ତାରିଣୀ ମନ୍ଦିର ଯାଏଁ ଦୀର୍ଘ ୪କିମିରୁ ଉର୍ଦ୍ଧ ବାଟ ପର୍ଯ୍ୟନ୍ତ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଚାଲିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ସରସ୍ୱତୀ ମାଝି,ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ,ଡିଏସପି ସୁଶାନ୍ତ ତାଉଡିଆ, ଏସଡିପିଓ ଦିବ୍ୟଜ୍ୟୋତି ଦାସ, ଆଇଆଇସି ରଶ୍ମିରଂଜନ ପ୍ରଧାନଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ସବୁଜ ପତାକା ଦେଖାଇ ଚାଲିବା ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ୫୦ରୁ ୬୦ବର୍ଷ ବର୍ଗରେ ଗୋଟିଏ ଗ୍ରୁପ୍ ଏବଂ ୬୦ବର୍ଷ ତଥା ତଦୁର୍ଦ୍ଧରେ ଆଉ ଏକ ଗ୍ରୁପ୍‌ରେ ଉଭୟ ମହିଳା ଓ ପୁରୁଷ ପ୍ରତିଯୋଗୀଙ୍କୁ ସାମିଲ କରାଯାଇଥିଲା । ୫୦ରୁ ୬୦ବର୍ଷ ବର୍ଗରେ ୩୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ୬ଜଣ ମହିଳା ମଧ୍ୟ ଭାଗ ନେଇଥିଲେ । ତେବେ ମହିଳାମାନଙ୍କୁ ସ୍ଥାନୀୟ ଶିରିଗୁଡା ପେଟ୍ରୋଲ ପମ୍ପ ନିକଟରୁ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ୨କିଲୋମିଟର ଚାଲିବା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୫୦ରୁ ୬୦ବର୍ଷ ବର୍ଗରେ ମନୋଜ କୁମାର ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟରେ ରାମୁଡୁ ମିଶାଲ ଏବଂ ଗୁଣ୍ଡୁଚି ରାଉତ ତୃତୀୟ ସ୍ଥାନ ଅଧିକାର କରିିଥିଲେ । ସେହିପରି ମହିଳା ବର୍ଗରେ ସୁଜାତା ମାଦଲା ପ୍ରଥମ, ସୁଜାତା ବାରିକ ଦ୍ୱିତୀୟ ଏବଂ କେ.ବସୁନ୍ଧରା ତୃତୀୟ ସ୍ଥାନ ଅଧିକାର କରିଥିଲେ । ୬୦ବର୍ଷରୁ ତଦୁର୍ଦ୍ଧ ପ୍ରତିଯୋଗିତାରେ ଲାବଣ୍ୟବତୀ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବିଶେଷ କରି ସକାଳେ ଅତ୍ୟଧିକ ଥଣ୍ଡା ପଡୁଥିବାରୁ ବରିଷ୍ଠ ନାଗରିକମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପାରି ନ ଥିବା ଜଣାପଡିଛି । ଆଜି ଅପରାହ୍ନରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ହାଇସ୍କୁଲ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଳକ ଓ ବାଳିକା ଟିମ୍ ଅଂଶଗ୍ରହଣ କରିଛନ୍ତି । ବାଳକ ବର୍ଗରେ ୭ଟି ଏବଂ ବାଳିକା ବର୍ଗରେ ୪ଟି ରହିଛନ୍ତି । ଏହି ପ୍ରତିଯୋଗିତା ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜିଲ୍ଳା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବି ବ୍ରଜସୁନ୍ଦର ନାୟକ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ପ୍ରତିଯୋଗିତା ଶୁଭାରମ୍ଭ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶାରୀରିକ ଶିକ୍ଷା ନିରୀକ୍ଷକ ଶତ୍ରୁଘ୍ନ ମଲ୍ଳିକ, ଡିଏସପି ସୁଶାନ୍ତ ତାଉଡିଆ ଏବଂ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.