ଶାଢୀ ପିନ୍ଧି ହାତରେ ତ୍ରିରଙ୍ଗା ଧରି ମାରାଥନରେ ଦୌଡୁଛନ୍ତି ୮୦ ବର୍ଷର ବୃଦ୍ଧା

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ମାରାଥନରେ ଦୌଡୁଛନ୍ତି ମହିଳା । ଆପଣ ଭାବୁଥିବେ ଏଥିରେ ନୂଆ କ’ଣ ଅଛି ? ଗୋଟିଏ ନୁହେଁ ଅନେକ କିଛି ନୂଆ ଘଟଣା ଏହି ମାରାଥନ ଦୌଡରେ ଯୋଡି ହୋଇ ରହିଛି । ଏହାର ଭିଡିଓ​ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମହିଳା ଜଣକ ଶାଢୀ ପିନ୍ଧି ମାରାଥନରେ ଦୌଡୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କର ବୟସ । ୮୦ ବର୍ଷ ବୟସରେ ବୃ୍ଦ୍ଧା ଜଣକ ଶାଢୀ ପିନ୍ଧି ମାରାଥନରେ ଦୌଡୁଥିବା ଦେଖିବାକୁ ମିଳିଛି । ବୟସର ଅପରାହ୍ନରେ ବୃଦ୍ଧ-ବୃଦ୍ଧାମାନେ ସାଧାରଣତଃ ଗୋଟିଏ ଜାଗାରେ ବସି ଭଗବାନଙ୍କୁ ଧ୍ୟାନ କରିବାକୁ ପସନ୍ଦ କରିଥାନ୍ତି । ହେଲେ  ଏଇ ବୃଦ୍ଧା ଜଣକ  ୮୦ବର୍ଷ ବୟସରେ ମାରାଥନରେ ଦୈଡୁଛନ୍ତି ତାହା ପୁଣି ଶାଢୀ ପିନ୍ଧି । ବୟସ ସିନା ଅଧିକ ହେଲେ ମନ ଆଜି ବି ଯୌବନର ଜୋଶ । ମହିଳାଙ୍କ ନାଁ ହେଉଛି ଭାରତୀ  ।   ଗତ ରବିବାର ମୁମ୍ବାଇରେ ଆୟୋଜିତ ହୋଇଥିବା ଟାଟା ମୁମ୍ବାଇ ମାରାଥନରେ ସେ ଅଂଶଗ୍ରହଣ କରିଥିଲେ । ମାରାଥନରେ ପ୍ରାୟ ୫୫ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ବୃଦ୍ଧା ମହିଳା ୫୧ ମିନିଟରେ ପ୍ରାୟ ୪.୨କିଲୋମିଟର ଦୈାଡ଼ିଥିଲେ । ଡିମ୍ପଲ୍ ମେହେଟ୍ଟା ଫର୍ଣ୍ଣାଣ୍ଡିସ୍ ନାମକ ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ବୃଦ୍ଧା ଜଣକ କିପରି ଶାଢ଼ି ପିନ୍ଧି ଦୌଡ଼ୁଛନ୍ତି। ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ ୮୦ ବର୍ଷ ବୟସ୍କା ଜେଜେମା ଟାଟା ମାରାଥନରେ ଅଂଶଗ୍ରହଣ କରିବା ଦେଖି ମୁଁ ବହୁତ ଖୁସି।’ ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଖବୁ ପସନ୍ଦ କରିଛନ୍ତି। ଏଥିସହିତ ଜଣେ ଲେଖିଛନ୍ତି, ‘ବହୁତ ସୁନ୍ଦର ଏବଂ ପ୍ରେରଣାଦାୟକ ଭିଡିଓ ।’ ଅନ୍ୟ ଜଣେ ଲେଖିଛନ୍ତି, ‘ମୁଁ ବୃଦ୍ଧାଙ୍କ ଉପରେ ବହୁତ ପ୍ରଭାବିତ । ଜୀବନରେ ସର୍ବଦା ସକାରାତ୍ମକ ହେବା ଉଚିତ୍ ।’

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.