ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ସ୍ଥିତ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବ ମନ୍ଦିରରେ ଚଳିତ ବର୍ଷ ଶିବରାତ୍ର ପାଳନ ନେଇ ଆଜି ଶନିବାର ଅପରାହ୍ନ ୪ଘଣ୍ଟା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିବରାତ୍ର ପରିଚାଳନା କମିଟି ସଭାପତି ହମେଶ କୁମାର ଜୈନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କୋଷାଧ୍ୟକ୍ଷ ଅମର ରାଉତ ଆଭିମୁଖ୍ୟ ପ୍ରଦାନ କରିଥିଲେ। ଶିବ ମନ୍ଦିର ପରିଚାଳନା କମିଟିର ସଭାପତି ଗୋବିନ୍ଦରାମ କେଡିଆ, ଶିବରାତ୍ର ପରିଚାଳନା କମିଟିର ସମ୍ପାଦକ ବିନାୟକ ମହନ୍ତ, ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳ, ଅଶୋକ ପରିଡା, ନରସିଂହ ମହାରଣା, ନନ୍ଦ କିଶୋର ଜେନା, ତୀର୍ଥ ବୁଦ୍ଧିଆ, ବିଜୟ ବୁଦ୍ଧିଆ, କୈଳାସ ସା ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ଶିବରାତ୍ର ପାଳନ ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଶିବରାତ୍ର ଫେବୃଆରୀ ୧୮ ତାରିଖ ଶନିବାରରେ ହେବାକୁ ରହିଥିବା ବେଳେ ପୂର୍ବଦିନ ଶୁକ୍ରବାର ଅପରାହ୍ନ ୪ ଘଣ୍ଟା ସମୟରେ କଳାସ ଯାତ୍ରା ଅନୁଷ୍ଠିତ ହେବ। ଶିବରାତ୍ର ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ଅନ୍ନଛତ୍ରର ବ୍ୟବସ୍ଥା କରାଯିବ। ଅଷ୍ଟପ୍ରହର ନାମଯଜ୍ଞ ପରିଚାଳନା ନିମନ୍ତେ ନର୍ଲାର ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଥିଲା। ମହାଦୀପ ଚଢେଇବା ନିମନ୍ତେ ଶିବରାତ୍ର ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ନୀଳକଣ୍ଠେଶ୍ୱର ମନ୍ଦିର ପୁଝାରୀ ନୃସିଂହ ଚରଣ ପାଢୀ ପୂଜାକାର୍ଯ୍ୟ ପରିଚାଳନା କରିବେ ବୋଲି କମିଟି ତରଫରୁ ନିଷ୍ପତି ନିଆଯାଇଥିଲା।ଶେଷରେ ବରିଷ୍ଠ ସଦସ୍ୟ ଜହରଲାଲ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।